ଖଣ୍ଡଗିରି: ନକଲି ପ୍ଲେସ୍ମେଣ୍ଟ ସଂସ୍ଥା ଖୋଲି ଚାକିରି କରାଇ ଦେବା ବାହାନାରେ ୨ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ତମାଣ୍ଡୋ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଲିଙ୍ଗରାଜ ଥାନା ଲୁଇସ୍ ରୋଡ୍ରେ ରହୁଥିବା ସମରେଶ କୁମାର ମହାନ୍ତି(୨୮) ଓ ଏୟାର୍ ଫିଲ୍ଡ ଥାନା ଭୀମଟାଙ୍ଗୀ ଅଞ୍ଚଳର ଭାନୁପ୍ରତାପ ସାମଲ(୩୫)। ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କଳିଙ୍ଗବିହାରରେ ପ୍ଲେସ୍ମେଣ୍ଟ ସଂସ୍ଥା ଖୋଲି ପ୍ରାୟ ୨୦ ଜଣଙ୍କୁ ଅଭିଯୁକ୍ତଦ୍ୱୟ ଚୁନ ଲଗାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସମରେଶ ଓ ଭାନୁପ୍ରତାପ କଳିଙ୍ଗବିହାର କେ-୯ ପ୍ଲଟ ନମ୍ବର-୩୪୨ରେ ଭଡ଼ା ଘର ନେଇ ଏସ୍ଏସ୍ ଆସୋସିଏଟ୍ସ ନାମକ ଏକ ପ୍ଲେସ୍ମେଣ୍ଟ ସଂସ୍ଥା ଖୋଲିଥିଲେ। ସମରେଶ ନିଜକୁ ଏମ୍ଡି ଭାବେ ପରିଚୟ ଦେଇଥିଲା। ୨୦୧୭ ମସିହାରେ ଏହି ସଂସ୍ଥା ଖୋଲିଥିଲା। ଭୁବନେଶ୍ୱର ଏମ୍ସ, ପେଟିଏମ୍ ଭଳି ଭଲ ଘରୋଇ ସଂସ୍ଥାରେ ଚାକିରି କରାଇଦେବେ ବୋଲି ଏମାନେ ବିଜ୍ଞାପନ ଜରିଆରେ ବେକାର ଯୁବକ ଯୁବତୀମାନଙ୍କୁ ଆକୃଷ୍ଟ କରିଥିଲେ। ଚାକିରି ପାଇବା ପୂର୍ବରୁ ହିଁ ପ୍ରଥମ କିସ୍ତିରେ ମୁଣ୍ଡ ପିଛା ୩୫ ହଜାର ଟଙ୍କା ଲେଖାଏଁ ଦାବି କରିଥିଲେ। କିଛି ଯୁବକ ଯୁବତୀ ନାମ ପଞ୍ଜୀକରଣ କରାଇବା ପାଇଁ ୧୫ରୁ ୨୦ ହଜାର ଟଙ୍କା ଲେଖାଏଁ ଦେଇଥିବାବେଳେ କିଛି ଯୁବକ ପୂରା ୩୫ ହଜାର ଟଙ୍କା ପଇଠ କରି ସାରିଥିଲେ। କିନ୍ତୁ ୨୦୧୮ ମସିହାରେ ହଠାତ୍ ଏହି ସଂସ୍ଥା ଉଭାନ୍ ହୋଇ ଯାଇଥିଲା। ଟଙ୍କା ଦେଇଥିବା ଯୁବକ ଯୁବତୀମାନେ ସେମାନଙ୍କୁ ଫୋନ୍ରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ଖଣ୍ଡଗିରିବାରୀରେ ରହୁଥିବା ଖୋର୍ଧା ବୋଲଗଡ଼ର ହେମନ୍ତ ପଣ୍ଡା ଏ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ବୁଧବାର ଭାନୁପ୍ରତାପ ଖଣ୍ଡଗିରିରେ ବୁଲୁଥିବା ଖବର ପାଇ ହେମନ୍ତ କିଛି ସହଯୋଗୀଙ୍କ ସହାୟତାରେ ତାକୁ ଧରିଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାନୁକୁ ଗିରଫ କରିବା ପରେ ସମରେଶକୁ ଗିରଫ କରିଥିଲା। ସେମାନଙ୍କ ଗିରଫ ଖବର ପାଇ ଆଜି ତମାଣ୍ଡୋ ଥାନାରେ ପ୍ରାୟ ୮/୧୦ ଜଣ ଯୁବକ ଯୁବତୀ ପହଞ୍ଚି ଅଭିଯୋଗ କରିଥିଲେ।