ସମ୍ବଲପୁର: ବଜ୍ରାଘାତରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଗୋପାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ରାମଜୀ ମନ୍ଦିର ଗୁଆଲିଆ ପଡ଼ା ନିବାସୀ ଭୁରନ ଯାଦବ(୭୫) ଗାଈ ଓ ମହିଷି ପାଳନ କରିଥିଲେ। ଗୋରୁମାନଙ୍କ ପାଇଁ ସେ ଆଜି ଅପରାହ୍ନରେ ମହାନଦୀ ପୋଲ-୨ ଆରପଟକୁ ଘାସ ଆଣିବାକୁ ଯାଇଥିଲେ। ଘାସ ନେଇ ସନ୍ଧ୍ୟାରେ ଫେରିବା ବେଳକୁ ସେ ବଜ୍ରାଘାତର ଶିକାର ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଉ ଅଧଘଣ୍ଟା ପରେ ଭରନ ଯାଦବ ନିଜ ଘରକୁ ଫେରିଥାନ୍ତେ ଓ ଗାଈମାନଙ୍କୁ ଘାସ ଖାଇବାକୁ ଦେଇଥାନ୍ତେ। ମାତ୍ର ତାହା ହୋଇପାରିଲା ନାହିଁ। ବଜ୍ରାଘାତର ଶିକାର ହେବା ପରେ ଭୁରନ ଯାଦବ ରାସ୍ତାରେ ହିଁ ଟଳି ପଡ଼ିଲେ। କିଛି ସମୟ ପରେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ପରେ ଭୁରନଙ୍କୁ ଆମ୍ବୁଲାନ୍ସରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଭରନ ଯାଦବ ଉତ୍ତରପ୍ରଦେଶରୁ ଆସି ସମ୍ବଲପୁର ସହରର ଗୁଆଲିଆପଡ଼ାରେ ବହୁ ବର୍ଷ ପୂର୍ବରୁ ତାଙ୍କ ପରିବାର ସହିତ ବସବାସ କରୁଥିଲେ। ଏଠାରେ ସେ ଗୋପାଳନ କରି ପରିବାର ପୋଷୁଥିଲେ।