‘ସମ୍ବାଦ’-‘ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା : ରାଜ୍ୟସ୍ତରୀୟ ବିଜେତା ଘୋଷଣା
ଭାଷାଜ୍ଞାନ-ପ୍ରବନ୍ଧରେ ପ୍ରିୟାଶିଷ, ହସ୍ତାକ୍ଷରରେ ଅନନ୍ୟା, ଚିତ୍ରାଙ୍କନରେ ହିତେଶ ପ୍ରଥମ, ଅକ୍ଟୋବର ୪ରେ ପୁରସ୍କୃତ ହେବେ
ଭୁବନେଶ୍ୱର : ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଗତ ୯ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ୯ଟି ଜୋନ୍ରେ ୪୨୦ଟି ପରୀକ୍ଷା କେନ୍ଦ୍ରରେ ୧ଲକ୍ଷ ୧୬ହଜାର ୭୬୦ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଆଜି ପ୍ରତି ବିଭାଗର ଶ୍ରେଷ୍ଠ ତିନି ଜଣଙ୍କ ନାମ ଘୋଷଣା ହୋଇଛି। ଏହି କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୪ ତାରିଖରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ‘ସମ୍ବାଦ’ର ସ୍ୱନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନରେ ଗଞ୍ଜାମ ଜିଲ୍ଲା ଡିଏଭି ପବ୍ଲିକ ସ୍କୁଲ, ବୁଗୁଡାର ଛାତ୍ର ହିତେଶ କୁମାର ବାରିକ ପ୍ରଥମ ହୋଇଥିବା ବେଳେ କଟକ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ରଚନା ମହାପାତ୍ର ଦ୍ୱିତୀୟ ଏବଂ ଝାରସୁଗୁଡ଼ା ଜିଲ୍ଲା ସେଣ୍ଟ ମ୍ୟାରି ପ୍ରାଇମେରି ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଅତୁଲ୍ୟ ଗୌରବ ତୃତୀୟ ସ୍ଥାନ
ହାସଲ କରିଛନ୍ତି।
ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲାର ମଧୁସୂଦନ ଶିକ୍ଷା ନିବାସ, ରାଉରକେଲାର ସପ୍ତମ ଶ୍ରେଣୀ ଛାତ୍ରୀ ଅନନ୍ୟା ଜେନା ପ୍ରଥମ ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟାଜ୍ଞାନ ମନ୍ଦିର, କଦମପଡ଼ାର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ କୁମାର ଷାଣ୍ଢ ଦ୍ୱିତୀୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ବେହେରା ତୃତୀୟ ସ୍ଥାନ ହାସଲ କରିଛନ୍ତିି।
ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଶିଷ ରଥ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସମ୍ବଲପୁର ଜିଲ୍ଲାର କସ୍ତୁରବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟ, ମହୁଲପାଲିର ଦଶମ ଶ୍ରେଣୀ ଛାତ୍ର ଦେବେଶ କୁମାର ସାହୁ ଦ୍ୱିତୀୟ ଏବଂ ବିଶ୍ୱମ୍ବର ବିଦ୍ୟାପୀଠ, ପୁରୀର ଦଶମ ଶ୍ରେଣୀ ଛାତ୍ରୀ ସୁମିତ୍ରା ଦାଶ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ରାଜ୍ୟର ୪୨୦ଟି କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାର ୩୭୮୦ଜଣ କୃତୀ ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ଡଳୀ ପୁନଃ ମୂଲ୍ୟାୟନ କରିବା ପରେ ଏହି ରାଜ୍ୟସ୍ତରୀୟ ବିଜେତା ତାଲିକା ଘୋଷଣା ହୋଇଛି।
ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସଚିବ ରାମହରି ଜେନା, ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହରଥା ଓ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା ବିଚାରକ ଭାବେ ଯୋଗଦେଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧ ପାଇଁ ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ସଂଘମିତ୍ରା ମିଶ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ବାବାଜୀ ଚରଣ ପଟ୍ଟନାୟକ ଓ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ପ୍ରମୁଖ ବିଚାରକ ଥିଲେ।