ମୋଦି ସରକାରଙ୍କ ନୂଆ ଯୋଜନା: ମାତ୍ର ୫୯ ମିନିଟରେ ମଞ୍ଜୁର ହେବ ଶିଳ୍ପଦ୍ୟୋଗୀଙ୍କୁ ୧ କୋଟି ଟଙ୍କା ଋଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ଆକର୍ଷଣୀୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ମାତ୍ର ୫୯ ମିନିଟ୍ରେ ଜଣେ ଶିଳ୍ପଦ୍ୟୋଗୀ ସରକାରୀ ସୂତ୍ରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। କେନ୍ଦ୍ର ସରକାରଙ୍କର ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଲାଗି ସହାୟତା ଯୋଗାଇବା କାର୍ଯ୍ୟକ୍ରମ ଅଧିନରେ ଏହି ଯୋଜନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି,‘ମୁଁ ଏହି ୫୯ ମିନିଟ୍ରେ ଋଣ ମଞ୍ଜୁରୀ ପୋର୍ଟାଲକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ କରିଥିବା ଶିଳ୍ପପତିଙ୍କୁ ସମର୍ପିତ କରୁଛି। ଯେତେବେଳେ ବିଭିନ୍ନ ବାଧାକୁ ଅତିକ୍ରମ କରି ମିଳିତ ଭାବେ କୌଣସି କାର୍ଯ୍ୟ ଆରମ୍ଭ କରାଯାଏ,ମିଳିତ ଭାବେ କୌଣସି ବଡ଼ ନିଷ୍ପତ୍ତି ନିଆଯାଏ,ତାହାର ଫଳାଫଳ ଓ ପ୍ରଭାବ ମଧ୍ୟ ବଡ଼ ହୋଇଥାଏ।’
ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଶିଳ୍ପର ବିକାଶକୁ କେନ୍ଦ୍ର ସରକାର ଖୁବ୍ ଗୁରୁତ୍ୱ ନେଉଛନ୍ତି। ତେଣୁ ଏହି ୫୯ମିନିଟ୍ରେ ଋଣ ମଞ୍ଜୁର କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ କରାଯାଇଛି। ଏହି ଯୋଜନା ୧୦୦ଦିନ ଧରି ଚାଲିବ ଓ ଏହା ଦ୍ୱାରା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳି ପାରିବ ବୋଲି ସୂଚନା ମିଳିଛି। ଶିଳ୍ପପତିମାନେ ଏହାର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି।