ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ ହକିର କ୍ୱାର୍ଟର ଫାଇନାଲରେ ଗୁରୁବାର ଭାରତୀୟ ଦଳ ନେଦରଲାଣ୍ଡ ଠାରୁ ପରାସ୍ତ ହେବା ସହ ଅଭିଯାନ ଶେଷ କରିଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି ହକି ପ୍ରେମୀ । ତେବେ ମ୍ୟାଚ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ଆଉ ଏକ ଦୃଶ୍ୟ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଥିଲା । କ୍ୱାର୍ଟର ଫାଇନାଲ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ସରିବା ପରେ ଯେତେବେଳେ କ୍ୟାମେରା ମୁଖ୍ୟମନ୍ତ୍ରୀ ବସିଥିବା ଗ୍ୟାଲେରୀ ଉପରେ ପଡିଥିଲା ସେତେବେଳେ ତାଳି ମାଡରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । କାରଣ ଗ୍ୟାଲେରୀରେ କେବଳ ନବୀନ ବସିନଥିଲେ ବରଂ ତାଙ୍କ ପାଖରେ ଘେରି ବସିଥିଲେ ଆତ୍ମସର୍ମପଣ କରିଥିବା ହାର୍ଡକୋର ମାଓବାଦୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ପଡ଼ିଆ ଭିତରେ କ୍ୱାଟର ଫାଇନାଲରେ ଜୋରଦାର ମୁକାବିଲା ହେଉଥିଲା, ଅନ୍ୟପଟେ ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ପୂର୍ବରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ଜଣ ନକ୍ସଲ ଆଜି ବିଶ୍ୱକପ ହକି ଖେଳ ଦେଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ସେମାନଙ୍କୁ ହକି ମ୍ୟାଚ୍ ଦେଖାଇବା ପାଇଁ ବ୍ୟବସ୍ଥା କରିଥିଲା ପୁଲିସ ପ୍ରଶାସନ । ତେବେ ସେମାନଙ୍କ ଖେଳ ଦେଖା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ହକି ଦେଖିଥିଲେ । ଏବଂ ସେମାନଙ୍କ ସହ କରମର୍ଦ୍ଦନ କରି ଭଲମନ୍ଦ ପଚାରି ବୁଝିଥିଲେ ନବୀନ ।
କୋରାପୁଟରୁ ୧୦ଜଣ ଏବଂ ମାଲକାନଗିରିର ୨୦ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଆଉ ଏହି ପୂର୍ବତନ ନକ୍ସଲଙ୍କ ମଧ୍ୟରେ ଥିଲେ ୧୬ ଜଣ ମହିଳା କ୍ୟାଡର ।
ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍ ଦେଖିବା ପରେ ଏହି ପୂର୍ବତନ ନକ୍ସଲ କ୍ୟାଡର ବେଶ୍ ଖୁସି ଜାହିର କରିଛନ୍ତି । ପ୍ରକୃତରେ ସମାଜର ମୁଖ୍ୟସ୍ରୋତକୁ ଆସି ଯାଇଥିବା ସେମାନେ ଅନୁଭବ କରୁଥିବା କହିଛନ୍ତି । ଶାନ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ରାଜ୍ୟ ସରକାରଙ୍କ ଥଇଥାନ ନୀତି, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଲାଲଗଡ଼ ଛାଡିଥିବା କହିଛନ୍ତି ଏହି ପୂର୍ବତନ ମାଓବାଦୀମାନେ ।
ହକି ମ୍ୟାଚ ଦେଖିବା ପରେ ଭୁବନେଶ୍ୱର ଡଟ୍ ଫେଷ୍ଟ ବୁଲିଦେଖିବା ସହ ସେମାନେ ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ଓ ଶ୍ରୀମନ୍ଦିର ଦର୍ଶନ କରିବେ। ପୂର୍ବତନ ନକ୍ସଲଙ୍କ ସହ ନବୀନ ମ୍ୟାଚ୍ ଦେଖିବାକୁ ସାଧାରଣ ଲୋକ ବେଶ ପ୍ରଂଶସା କରିଛନ୍ତି ।