‘ଏ ସଂସାରରେ ନାରୀର କୌଣସି ସମ୍ମାନ ନାହିଁ’: ଟିକେଟ କଟିବା ପରେ ଅରୁନ୍ଧତୀଙ୍କ କ୍ଷୋଭ

ଦେବଗଡ଼: ଦେବଗଡ଼ ବିଧାନସଭା ଆସନରେ ପ୍ରଥମେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ବିଜେଡି ପ୍ରାର୍ଥୀ ଘୋ‌ଷଣା କରିଥିଲା। ପରବର୍ତ୍ତୀ ସମୟରେ ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟିଦେଇଥିଲା ବିଜେଡି। ତାଙ୍କ ବଦଳରେ ବିଜେଡି ରାଜ୍ୟ ସଂପାଦକ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପୁଣିଥରେ ଭରସା କରି ଦଳ ପ୍ରାର୍ଥୀ କରିଛି। ଟିକେଟ କଟିବା ପରେ ଅରୁନ୍ଧତୀ ଦେବୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଶାସକ ବିଜେଡିକୁ ଇଙ୍ଗିତ କରି ଏକ ପୋଷ୍ଟ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ(ଫେସ୍‌ବୁକ)ରେ ‘ସୀତା ମାତା ଗଲା ବେଳେ ଗୋଟିଏ ସତ କଥା କହିଥିଲେ, ଏ ସଂସାରରେ ନାରୀର କୌଣସି ସମ୍ମାନ ନାହିଁ’ କହି ଅଭିମାନଭରା ପୋଷ୍ଟ କରିଛନ୍ତି।

ଉକ୍ତ ପୋଷ୍ଟରେ ସୀତାଙ୍କ ଏକ କ୍ରନ୍ଦନ ଫଟୋ ମଧ୍ୟ ରହିଛି। ଉକ୍ତ ପୋଷ୍ଟକୁ ଅନୁଧ୍ୟାନ କଲେ ଟିକେଟ କଟିବା ପରେ ଅରୁନ୍ଧତୀ ଦେବୀ ବ୍ୟଥିତ ଥିବା ଜଣାପଡୁଛି। ଏହା ସହିତ ଅରୁନ୍ଧତୀ ଦେବୀ ତାଙ୍କର ସାମାଜିକ ଗଣମାଧ୍ୟମରେ ‘ଯଦି ତୁମକୁ ହରାଇବା ପାଇଁ ପରିଶ୍ରମ ଓ ପ୍ରୟ‌ାସ ନକରି ଆପଣଙ୍କ ପଛ ପଟେ ଯଦି କିଏ ଷଡ୍‌ଯନ୍ତ୍ର କରୁଛନ୍ତି, ତେବେ ଆପଣଙ୍କର ବର୍ଷର ପରିଶ୍ରମ ସଫଳ ହୋଇଛି ବୋଲି’ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଆଗାମୀ ନିର୍ବାଚନରେ ଅରୁନ୍ଧତୀଙ୍କ ଭୂମିକା କ’ଣ ରହିବ ସେନେଇ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପୁନର୍ବାର ଟିକେଟ ପ୍ରଦାନ କରାଯିବା ପରେ ବିଜେଡିରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ହାରିଥିବା ଶ୍ରୀ ବିଶ୍ବାଳଙ୍କୁ ଯଦି ଦଳ ପକ୍ଷରୁ ପୁନର୍ବାର ଟିକେଟ ‌ଦିଆଯାଏ, ତେବେ ସମସ୍ତ ବିଜେଡି କର୍ମୀ ସମୂହ ଇସ୍ତଫା ଦେବେ‌ ବୋଲି ଚେତାବନୀ ଦେଇଥିଲେ। ଏହି କ୍ରମରେ ଗତ ୩ ତାରିଖ ଦିନ ଜିଲ୍ଲା ବିଜେଡି କମିଟିରୁ ୧୩ଜଣ ସଦସ୍ୟ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର