ବିଜେପି ଫୋକସ୍‌ରେ ମୟୂରଭଞ୍ଜ: ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ସୁନୀଲ ଓ ତ୍ରିବେନ୍ଦ୍ର

ଖୁବ୍‌ଶୀଘ୍ର ଆସିବେ ମୋଦୀ ଓ ଶାହ

ବାରିପଦା: ଏଥର ବି ବିଜେପି ଫୋକସ୍‌ରେ ରହିଛି ମୟୂରଭଞ୍ଜ। ଗତ ନିର୍ବାଚନରେ ଲୋକସଭା ସହିତ ୯ଟି ବିଧାନସଭା ଆସନରୁ ୬ଟିରେ ବିଜୟୀ ହୋଇଥିଲା ବିଜେପି। ଆସନ୍ତା ଜୁନ ୧ରେ ନିର୍ବାଚନ ହେବାକୁ ଥିବା ବେଳେ ପୂର୍ବ ସଫଳତାକୁ ଦୋହରାଇବା ଲାଗି କେନ୍ଦ୍ରୀୟ ନେତାମାନଙ୍କର ମୟୂରଭଞ୍ଜ ଗସ୍ତ ଆରମ୍ଭ ହୋଇଛି। ଏହି କ୍ରମରେ ବିଜେପିର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଗତକାଲି ରାତିରେ ବାରିପଦା ଆସି ସ୍ଥାନୀୟ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ରୁଦ୍ଧଦ୍ବାର ବୈଠକ କରିଥିଲେ। ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ମୋଦୀ ସରକାରଙ୍କ ୧୦ ବର୍ଷର ସଫଳତା ଓ ରାଜ୍ୟ ବିଜେଡି ସରକାରଙ୍କ ୨୪ ବର୍ଷର ବିଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରି ଭୋଟ ଭିକ୍ଷା କରିବାକୁ ଦୁଇ କେନ୍ଦ୍ରୀୟ ନେତା ପରାମର୍ଶ ଦେଇଥିଲେ। ଏଥିସହିତ ସେମାନେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଜିଲ୍ଲାକୁ ବହୁତ ଭଲ ପାଆନ୍ତି।

ବିକାଶମୂଳକ କାର୍ଯ୍ୟକ୍ରମକୁ ସେ ଅଗ୍ରାଧିକାର ଦେଇଛନ୍ତି। ପ୍ରତିଦାନ ସ୍ବରୂପ ମୟୂରଭଞ୍ଜବାସୀ ୨୦୧୯ ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇଥିଲେ। ଗତଥର ପରି ଏଥର ମଧ୍ୟ ଏହି ସଫଳତାକୁ ଦୋହରାଇବା ନିମନ୍ତେ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ତେଣୁ ମତାନ୍ତର ଓ ମନାନ୍ତର ଭୁଲି ଏକ ହୋଇ କାମ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ୨୦ ତାରିଖ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଓ ଷ୍ଟାର୍‌ ପ୍ରଚାରକ ମୟୂରଭଞ୍ଜକୁ ପ୍ରଚାର ନିମନ୍ତେ ଆସିବେ ବୋଲି ଦୁଇ କେନ୍ଦ୍ରୀୟ ନେତା ସୂଚନା ଦେଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ବୈଠକରେ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ, ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତା, ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର