ଦିବ୍ୟାଙ୍ଗ ଦୃଷ୍ଟିହୀନ ସୁବାଷଙ୍କ ଆଖି ସାଜିଲେ ରାଧା

ଜୟପୁର: ଜୟପୁର ସହରରେ ଆଜି ଗୋଟିଏ ନିଆରା ପତି-ପତ୍ନୀଙ୍କୁ ଦେଖିବାକୁ ମିଳିଛି। ପତି ଦୃଷ୍ଟିହୀନ ଦିବ୍ୟାଙ୍ଗ ହୋଇଥିଲେ ହେଁ ପତ୍ନୀ ତାଙ୍କ ଆଖି ସାଜି ବାଟ କଡ଼େଇ ନେଉଛନ୍ତି। ଉଭୟ ଯଦିଓ ଭିକ୍ଷାବୃତ୍ତି କରି ବଂଚୁଥିଲେ ହେଁ ଉଭୟଙ୍କ ମଧ୍ୟରେ ରହିଛି ପ୍ରେମର ନିବୀଡ଼ତା। ଆଜିର ଦୁନିଆରେ ପତି-ପତ୍ନୀଙ୍କ ଏଭଳି ସଂପର୍କ କ୍ବିଚିତ୍। ହିନ୍ଦୀ ଚଳଚ୍ଚିତ୍ର ଏକଦୁଜେ କେ ଲିୟେର ଗୀତ  ‘ହାମ ବନେ ତୁମ ବନେ ଏକ ଦୁଜେ କି ଲିୟେ’ ପୁରା ଫିଟ୍‌ ବସୁଛି।

ଜୟପୁର ବ୍ଲକର ଟାଙ୍କୁଆ ପଂଚାୟତର ପଦ୍ମପୁର ଗାଁର ସୁବାଷ ପରଜା ନାମକ ଜଣେ ଦୃଷ୍ଠିହୀନ ଦିବ୍ୟାଙ୍ଗଙ୍କ ଆଖି ସାଜିଛନ୍ତି ପତ୍ନୀ ରାଧା। ବୟସର ସାୟାହ୍ନରେ ସେ ତାଙ୍କ ପତି ସୁବାଷଙ୍କ ହାତ ଧରି ବାଟ କଡ଼ାଇ ନେଉଛନ୍ତି। ସୁବାଷଙ୍କ ନାଁରେ ଆସିଥିବା ଆବାସ ଯୋଜନାର ପକ୍କାଘର ନିର୍ମାଣ କରି ହସ୍ତାନ୍ତର କରି ଦେବାର ମିତ୍ୟା ପ୍ରତିଶ୍ରୃତି ଗାଁର ଜଣେ ଭଦ୍ରବ୍ୟକ୍ତି ଦେଇ ଚଂଚକତା କରି ଠକେଇ କରିଥିବା ଅଭିଯୋଗ କରିଛନ୍ତି। ସେ ଏ ଅଭିଯୋଗ ଥାନାରେ ଦେବା ପରେ ଘର ଉପରେ ଟିଣ ଚଦର କେବଳ ଅର୍ଦ୍ଧପନ୍ତରିଆ ପକାଇ ଦେଇଥିଲେ। କାହାରିକୁ ଅଭିଯୋଗ କରିଲେ ବି କେହି ଶୁଣୁ ନଥିବା କହିଛନ୍ତି ସୁବାଷ ଓ ରାଧା। ଦିନ ଥିଲା ଜୟପୁର ସହରରେ ରିକ୍ସା ଚଳାଇ ପରିବାରର ପ୍ରତିପୋଷଣକରି ଆସୁଥିଲା ସୁବାଷ। ପତ୍ନୀ ଓ ଗୋଟିଏ ଝିଅକୁ ନେଇ ସୁଖଦୁଃଖରେ ପରିବାର ଚଳି ଆସୁଥିଲେ।

ଗତ ୧୦ବର୍ଷ ତ‌ଳେ ଅଚାନକ ଭାବେ ସୁବାଷର ଆଖି ଆଉ ଦିଶି ନଥିଲା। ତା ପରେ ବାରମ୍ବାର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଦଉଡି ଦଉଡି ନୟାନ୍ତ ହେବା ପରେ ବି ଚକ୍ଷୁ ଆଉ ଫେରିପାଇ ନାହନ୍ତି। ସେ ଦିନ ଠାରୁ ତାଙ୍କର ୨୪ଘଣ୍ଟିଆ ଆଖି ସାଜିଛନ୍ତି ପତ୍ନୀ ରାଧା। ଝିଅକୁ ବାହା କରିବା ପରେ ଉଭୟଙ୍କ ମିଳୁଥିବା  ଭତ୍ତା ପଇସା ୫୦୦‌ଟଙ୍କା ଲେଖାଏଁ , ୩୫କିଲୋ ଚାଉଲରେ ଚଳି ଆସୁଛନ୍ତି। ମହରଗ ଯୁଗରେ ଚଳିବା ମୁସ୍କିଲ। ସୁବାଷ ଆଉ ଉପାର୍ଜନକ୍ଷମ ନୁହନ୍ତି। ବୟସର ସାୟାହ୍ନରେ ରାଧା ବି ଆଉ ଦିନ ମଜୁରିଆ ଭାବେ କାମ କରି ପାରୁନାହାନ୍ତି। ଦୃଷ୍ଟିହୀନ ଦିବ୍ୟାଙ୍ଗ ପତି ସୁବାଷଙ୍କୁ ଘରେ ଏକା ଛାଡ଼ିଲେ ହଇରାଣ ହରକତ ହେବେ। ତେଣୁ ପତି ସୁବାଷଙ୍କୁ ସବୁ ଦିନ ସାଙ୍ଗରେ ଧରି ସହରକୁ ଭିକ୍ଷାବୃତ୍ତି କରିବାକୁ ରାଧା ଆସୁଥିବା କହିଛନ୍ତି। ସାଙ୍ଗରେ ବ୍ୟାଗରେ ପାଣି ବୋତଲ ଧରି ଆସୁଥିବା କହିଛନ୍ତି ରାଧା। ପ୍ରବଳ ଖରା ଓ ତାତିକୁ ଖାତିର ନକରି ମୁଣ୍ଡରେ ଉଭୟ ଟାୱଲ ଖଣ୍ଡିକ ଲେଖାଏଁ ଗୁଡାଇ ବୁଲୁଥିବା ଦେଖିବାକୁ ମିଳିଛି। ଏଭଳି ଅସହାୟ ପରିବାରକୁ ସହଯୋଗ କରିବା ଏବଂ ସେମାନଙ୍କୁ ଆଣି ଭଲ ଭାବେ ରଖିବା ପାଇଁ ସାମାଜିକ ସଶକ୍ତିକରଣବିଭାଗରେ ବିଭିନ୍ନ ଯୋଜନା ରହିଥିଲେ ହେଁ ତାହା କାଗଜକଲମ ଓ ଖବରକାଗଜର ପ୍ରଚାର ଓ ପ୍ରସାରରେ ସୀମିତ। ସେହିପରି ଅର୍ଦ୍ଧପନ୍ତରିଆ ରହିଥିବା ଆବାସ ଘର ସଂପର୍କରେ ପ୍ରଶାସନ ତଦନ୍ତ କରି ଆଶୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଅପରପକ୍ଷରେ ସହରରେ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ରହିଥିଲେ ହେଁ ଏଭଳି ଅସହାୟମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର