ତୁଳସୀ ବଗିଚା ଏବେ ବଣଭୋଜି ସ୍ଥଳ: ଭୋଜି ପରେ ଗଡ଼ୁଛି ମଦ ବୋତଲ

ଭାଙ୍ଗିଲାଣି ଲୁହା ଫାଟକ, ଗଦା ହେଉଛି କଂକ୍ରିଟ ବର୍ଜ୍ୟ

ପୁରୀ: ମହାପ୍ରଭୁଙ୍କ ତୁଳସୀ ବଗିଚା ପାଲଟିଛି ବଣଭୋଜି ସ୍ଥଳ। ବଗିଚାରେ ଗଡ଼ୁଛି ମଦ ବୋତଲ। ମହାପ୍ରଭୁଙ୍କ ପାଇଁ ଫୁଲର ଚାହିଦା ମେଣ୍ଟାଉଥିବା ଉଦ୍ୟାନ ଏବେ ନିଶାଖୋରଙ୍କ ଆଡ଼ାସ୍ଥଳୀ। କେବଳ ସେତିକି ନୁହେଁ, ଉଦ୍ୟାନ ପରିସରକୁ ମୁକ୍ତ ଶୌଚାଳୟରେ ପରିଣତ କରିଦେଲେଣି। ଜଗୁଆଳି ଅଛନ୍ତି, କିନ୍ତୁ ନାଚାର। ନରେନ୍ଦ୍ର ପୁଷ୍କରିଣୀ ଓ ଜଟିଆ ବାବାଜୀ ମଠ ମଧ୍ୟଭାଗରେ ଥିବା ମହାପ୍ରଭୁଙ୍କ ତୁଳସୀ ଓ ଫୁଲ ବଗିଚାରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ନରେନ୍ଦ୍ର ପୁଷ୍କରିଣୀ ନିକଟସ୍ଥ ଉଦ୍ୟାନରୁ ପ୍ରତିଦିନ ତୁଳସୀ ଶ୍ରୀମନ୍ଦିରକୁ ଯାଉଛି। ତୁଳସୀ ସହ ଦୟଣା, ଟଗର, ସୁଗନ୍ଧରାଜ, ଗୋଲାପ ଆଦି ଚାଷ କରାଯାଉଛି। ମହାପ୍ରଭୁଙ୍କ ଫୁଲ ଓ ତୁଳସୀ ସେବା ଲାଗି ଉଦ୍ୟାନକୁ ସମର୍ପିତ କରାଯାଇଛି। ମହାପ୍ରଭୁଙ୍କ ନିକଟକୁ ଏଠାରୁ ତୁଳସୀ ଯାଉଥିଲେ ହେଁ କିଛି ବ୍ୟକ୍ତି ଏହା ମଧ୍ୟରେ ଭୋଜି କରି ଖାଉଥିବା ଦେଖିବାକୁ ମିଳୁଛି। ମଦ୍ୟପାନ କରିବା ସହ ଏଠାରେ ଆମିଷ ଭୋଜି କରୁଛନ୍ତି। ଏହି ତୁଳସୀ ବଗିଚା ନରେନ୍ଦ୍ର ପୁଷ୍କରିଣୀ ନିକଟରେ ରହିଛି। ଏଠାରେ ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରାଯାଉଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସଂସ୍କୃତିପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସଂପ୍ରତି ଉଦ୍ୟାନ ପରିସରରେ ତୁଳସୀ ଓ ଗୋଲାପ ସହ ଅନ୍ୟ ଫୁଲର ସମ୍ଭାର ଦେଖିବାକୁ ମିଳୁଛି। କିନ୍ତୁ ରକ୍ଷଣାବେକ୍ଷଣ ନଥିବାରୁ ଉଦ୍ୟାନର ପ୍ରବେଶ ଫାଟକର ଗୋଟିଏ ପାର୍ଶ୍ବ ଭାଙ୍ଗିଯାଇଛି। ଆଉ ଗୋଟେ ଫାଳ ଲଟକି ରହିଛି। ଫାଟକ ସଂଯୋଗ ହୋଇଥିବା ସ୍ତମ୍ଭ ଭାଙ୍ଗି ଝୁଲି ରହିଛି। ତେଣୁ ଫାଟକ ବନ୍ଦ କରିବା ମଧ୍ୟ ସମ୍ଭବ ହେଉନାହିଁ। ଖୋଲାମେଲା ଯୋଗୁ ଉଦ୍ୟାନ ମଧ୍ୟକୁ ଅବାଧ ପ୍ରବେଶ ହେଉଛି।

ନରେନ୍ଦ୍ର ପୁଷ୍କରିଣୀ ଉନ୍ନତୀକରଣ ଆରମ୍ଭ ହେବା ପରଠୁ ଉଦ୍ୟାନର ବହୁ କ୍ଷତି ହୋଇଛି। ଉଦ୍ୟାନ ମଧ୍ୟରେ ପଥର ଗାଡ଼ି ପ୍ରବେଶ କରିବାରୁ ବହୁ ଗଛ ଭାଙ୍ଗି ପଡ଼ିଥିଲା। ଏବେ ମଧ୍ୟ ଭଙ୍ଗା କଂକ୍ରିଟ୍‌ ଓ ପଥର ଖଣ୍ଡ ଉଦ୍ୟାନ ପରିସରରେ ପାହାଡ଼ ଭଳି ଗଦା ହେଲାଣି। ଉଦ୍ୟାନକୁ ଲାଗି ନରେନ୍ଦ୍ର ପୁଷ୍କରିଣୀର ଏକ ତୁଠ କରାଯାଉଥିବାରୁ ଏହା ଅସାମାଜିକ ବ୍ୟକ୍ତିଙ୍କୁ ଆହୁରି ସୁହାଇବ ବୋଲି ଜଳଜଳ ବାରି ହୋଇପଡ଼ୁଛି। ଉଦ୍ୟାନ ପରିସରରେ ବୃନ୍ଦାବତୀଙ୍କର ଏକ ମୂର୍ତ୍ତି ସହ କୁଞ୍ଜ ରହିଛି। କିନ୍ତୁ ବୃନ୍ଦାବତୀଙ୍କର ମୂର୍ତ୍ତି ଓ କୁଞ୍ଜ ବି ଭାଙ୍ଗିରୁଜି ଗଲାଣି। ମହାପ୍ରଭୁଙ୍କ ପୁଷ୍ପ ସେବା ପାଇଁ ଗୋଟେ ପରେ ଗୋଟେ ବଗିଚା ସ୍ଥାପନ କରିବା ପାଇଁ ଉଦ୍ୟମ ହେଉଛି। ବହୁ ଭକ୍ତ ସ୍ବତଃ ତୁଳସୀ ଓ ଫୁଲ ଚାଷ କରି ଆଣି ପହଞ୍ଚାଉଛନ୍ତି। କିନ୍ତୁ ଏଣେ ଫୁଲ ଓ ତୁଳସୀ ଭେଟି ଦେଉଥିବା ଉଦ୍ୟାନଗୁଡ଼ିକର ଆଧ୍ୟାତ୍ମିକ ପରିବେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗୁରୁତ୍ବ ନଦେବା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି।

ସମ୍ବନ୍ଧିତ ଖବର