ନୂଆଦିଲ୍ଲୀ: ଆୟାର୍ଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କ୍ଲିଫ ଅଫ୍ ମୋହରରେ ସେଲଫି ନେବା ସମୟରେ ୨୬ ବର୍ଷୀୟ ଜଣେ ଛାତ୍ର ପାହାଡ଼ରୁ ଖସି ପଡ଼ି ପ୍ରାଣ ହରାଇଥିବା ଜଣାଯାଇଛି। ମୃତ ଛାତ୍ରଙ୍କ ନାଆଁ ହେଲା ଆନନ୍ଦ ଗୋଏଲ୍। ଦିଲ୍ଲୀର ଶକ୍ତି ନଗରରେ ରହୁଥିବା ଆନନ୍ଦ ଡବଲିନ ସ୍ଥିତ ଟ୍ରିନିଟି କଲେଜରେ ମାର୍କେଟିଂ ଓ ଡିଜାଇନିଂରେ ମାଷ୍ଟର କୋର୍ସ କରୁଥିଲେ। ନୂଆ ବର୍ଷରେ ଛୁଟି କଟାଇବା ଲାଗି ଆନନ୍ଦ ନିଜର ସାଙ୍ଗମାନଙ୍କ ସହ ଗତ ୪ ତାରିଖରେ ଆୟାର୍ଲାଣ୍ଡ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଆୟାର୍ଲାଣ୍ଡର ‘କ୍ଲିଫ୍ ଅଫ ମୋହର’ ନାମରେ ପ୍ରସିଦ୍ଧ ପାହାଡକୁ ବୁଲିବାକୁ ଯାଇଥିଲେ। ସେଠାରେ ହେରି ପୋଟର ଆଣ୍ଡ ଦ ହାଫ ବ୍ଲଡ ପ୍ରିନ୍ସ ଫିଲ୍ମର ଏକ ସିନ୍ ସୁଟ୍ ହୋଇଥିଲା। ଆନନ୍ଦ ସେଠାରେ ସେଲ୍ଫି ନେବା ବେଳେ ପ୍ରାୟ ଛଅ ଶହ ଫୁଟ୍ ତଳେ ଥିବା ସମୁଦ୍ରରେ ପଡ଼ିଗଲେ ବୋଲି ଜଣେ ସାଙ୍ଗ କହିଛନ୍ତି। ଆନନ୍ଦଙ୍କ ପିତା ସିଦ୍ଧାର୍ଥ ଗୋଏଲ ଓ ମାଆ ବିଭାଙ୍କ ସହିତ ଆନନ୍ଦ ୩ ତାରିଖ ରାତିରେ ଭିଡ଼ିଓ କଲ୍ କରି କଥା ହୋଇଥିଲେ। ପୁଅର ସେଲଫି ମୃତ୍ୟୁ ଖବରକୁ କିନ୍ତୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ପିତାମାତା। ଆନନ୍ଦଙ୍କ ମୃତ୍ୟୁ ଖବର ପାଇବାପରେ ଶକ୍ତି ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।