ନିଯୁକ୍ତି ନାଁରେ ଠକେଇ: ଅଭିଯୁକ୍ତ ଯୁବକ ଗିରଫ
ସାରା ରାଜ୍ୟରେ ଲମ୍ବିଛି ଚେର
ବାରିପଦା: ଇଣ୍ଟରନେଟ୍ରେ ଆକର୍ଷଣୀୟ ବିଜ୍ଞାପନ ଆଉ ଟେଲିଫୋନ୍ରେ ସାକ୍ଷାତକାର, ଆବଶ୍ୟକ ଟଙ୍କା ଜମା କରି ସାରିଲେ ଚାକିରି। ମାତ୍ର ଟଙ୍କା ପାଇସାରିବା ପରେ ମୋବାଇଲ୍ ସୁଇଚ୍ ଅଫ୍। ସିଏମ୍ଏସ୍ ସିକ୍ୟୁରିଟି ଇନ୍ଫୋ ନାମକ ସ˚ସ୍ଥାରେ ଚାକିରି ଦେବାକୁ କହି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତକୁ ଆଜି ବାରିପଦା ଟାଉନ୍ ଥାନା ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳ ସିଦ୍ଧାର୍ଥ କୁମାର ପାଲ। ପୁଲିସ୍ର ସୂଚନା ଅନୁସାରେ, ସିଦ୍ଧାର୍ଥ ବାରିପଦାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୪୫ ଜଣ ଛାତ୍ରଙ୍କ ନିକଟରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିଲେ। ୨୦୧୬ ଡିସେମ୍ବରରେ କ୍ରାଇମବାଞ୍ଚ କାର୍ଯ୍ୟାଳୟ କଟକରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଭିଯୋଗ କରିଥିଲେ। ଏନେଇ ବାରିପଦା ଟାଉନ୍ ଥାନା ପକ୍ଷରୁ ତାଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିଲା। ଅଭିଯୁକ୍ତ ସିଦ୍ଧାର୍ଥ ଆଜି ଘରେ ଥିବା ଖବର ପାଇ ପୁଲିସ୍ ଚଢ଼ାଉ କରି ତାଙ୍କୁ ଧରିଥିଲା। ଅଭିଯୁକ୍ତ ସିଦ୍ଧାର୍ଥ ରାଜଧାନୀର ଖଣ୍ତଗିରି ଧର୍ମବିହାର ଅଞ୍ଚଳରେ ଏକ କାର୍ଯ୍ୟାଳୟ ଖୋଲିଥିଲା। ସେଠାରୁ ବିଭିନ୍ନ ଜିଲ୍ଲାରେ ଥିବା ଘରୋଇ ସ˚ସ୍ଥାଗୁଡ଼ିକ ସହିତ ଯୋଗାଯୋଗ କରି ଠକେଇ କରିଥିବା ଜଣାପଡ଼ିଛି।