କଟକ: ଦେଶର ସ୍ୱାଧୀନତା ସଂଗ୍ରାମ, ଜାତୀୟ ଜାଗରଣ ଓ ରାଜନୈତିକ ଚେତନା ସୃଷ୍ଟି କ୍ଷେତ୍ରରେ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଆଇନ ପେସା। ଆଇନ ପେସା ହେଉଛି ସବୁଠାରୁ ଉତ୍କଷ୍ଟ ପେସା। ଏହା ମହାନ ପରମ୍ପରା ଉପରେ ପର୍ଯ୍ୟବେଶିତ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି। ଆଜି ସିଡିଏସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ ମିଶ୍ର କହିଛନ୍ତି ଯେ ଛାତ୍ରମାନେ ଆଇନଜୀବୀ ହେବା ପରେ ସେମାନଙ୍କ କାନ୍ଧ ଉପରେ ବହୁ ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଜଣେ ସଫଳ ଓକିଲ ହେବା ଅପେକ୍ଷା ଜଣେ ନୈତିକ ଆଚରଣ ସଂପନ୍ନ ଓକିଲ ହେବା ଉଚିତ। ଆଇନର କେଉଁ କ୍ଷେତ୍ର ଅଧିକ ଲାଭଜନକ ତାହା ଛାତ୍ରଛାତ୍ରୀମାନେ ଚିନ୍ତା କରୁଥିବେ। କିନ୍ତୁ ଲାଭଜନକ ଓ ସଫଳତା ମଧ୍ୟରେ ରହିଥିବା ପାର୍ଥକ୍ୟ କଥା ଚିନ୍ତା କରାଯିବା ଉଚିତ। ସଫଳତାକୁ ଉଚ୍ଚ ସାମାଜିକ ସ୍ଥାନର ପ୍ରତୀକ ଭାବେ ଚିନ୍ତା କରିବା ଉଚିତ ନୁହେଁ। ସମାଜର ମଙ୍ଗଳ ତଥା ନିଷ୍ପେସିତଙ୍କ ଉତ୍ଥାନ ପାଇଁ ଆଇନଜୀବୀମାନେ କାର୍ଯ୍ୟ କରିବା ଉଚିତ। ଯେଉଁମାନେ ନିସହାୟ ସେମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଆଇନଜୀବୀମାନେ ପ୍ରୟାସ କରିବା ଉଚିତ। ଏହା ସେମାନଙ୍କ ପଥ ତଥା ଲକ୍ଷ୍ୟ ହେବା ଉଚିତ। ଠିକ୍ ଏବଂ ଭୁଲ ଭିତରେ ଉଚିତ ନିଷ୍ପତ୍ତି ନେବା ପାଇଁ ଅଦାଲତକୁ ସହଯୋଗ କରିବା ଉଚିତ। ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଜଣେ ଜଣେ ଯୋଗ୍ୟତା ପ୍ରାପ୍ତ ଆଇନଜୀବୀ ହୋଇଥିବା ବେଳେ ଆସନ୍ତାକାଲିର ଆଲୋକ ପ୍ରଦର୍ଶକ ହେବେ ବୋଲି ଜଷ୍ଟିସ ମିଶ୍ର କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱବିଦ୍ୟାଳୟର ଆମ୍ପିଥିଏଟରରେ ଆୟୋଜିତ ଉତ୍ସବରେ କୁଳାଧିପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଯୋଗଦେଇ ସମାବର୍ତ୍ତନର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅମିତାଭ ରାୟ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଶ୍ରୀକ୍ରିଷ୍ଣା ଦେବା ରାଓ କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ସହ ବିଶ୍ୱବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ସ୍ୱର୍ଗତ ସମରେଶ୍ୱର ମହାନ୍ତିଙ୍କ ଲିଖିତ ‘ଓଡ଼ିଶା ଲ’ ଜଣ୍ଣାଲ’, ‘ହ୍ୟୁମାନ ରାଇଟସ୍ ଲ’ ଜଣ୍ଣାଲ ଆଣ୍ଡ୍ ଏନ୍ଏଲୟୁଓ ଷ୍ଟୁଡେଣ୍ଟ ଲ’ ରିଭ୍ୟୁ’ ଓ ‘ଜଣ୍ଣାଲ ଅଫ୍ ରାଇଟ୍ସ୍ ଅଫ୍ ଚାଇଲ୍ଡ ଅଫ୍ ଏନ୍ଏଲୟୁଓ ଆଣ୍ଡ୍ ରିପୋର୍ଟ ଅଫ୍ ସେଣ୍ଟର ଫର ଚାଇଲ୍ଡ ରାଇଟସ୍’ ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଛି।
୪ର୍ଥ ସମାବର୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର ୧୪୫ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୫୯ଜଣଙ୍କୁ ବିଏ ଏଲଏଲବି, ୫୫ଜଣଙ୍କୁ ବିବିଏ ଏଲଏଲବି, ୩୦ଜଣଙ୍କୁ ଏଲଏଲଏମ୍ ଓ ଜଣଙ୍କୁ ପିଏଚ୍ଡି ଡିଗ୍ରି ପ୍ରଦାନ କରାଯାଇଛି। ଏଥିରେ ମୋଟ ୧୮ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୬ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବେଳେ ବାକି ୧୨ଟି ପଦକକୁ ଆଇନ ପେସା ସହିତ ସଂପୃକ୍ତ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ପ୍ରଦାନ କରାଯାଇଛି। ଉତ୍ସବରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ, କୁଳାଧିପତି ତଥା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅମିତାଭ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳସଚିବ ଡଲି ଜାବାଲ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କ ଅଭିଭାବକ ଓ ବହୁ ବଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।