ଭୁବନେଶ୍ବର: ଜଣେ ବାଇକ୍ ଲୁଟେରାକୁ ଆଜି ସହିଦନଗର ଥାନା ପୁଲିସ ଭିଏସ୍ଏସ୍ ନଗର ହାଟ ନିକଟରୁ ଗିରଫ କରିଛି। ପଚରାଉଚରା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଟି ବାଇକ୍ ଜବତ କରିଛି। ସେ ହେଲା ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳର ଦୁଷ୍ମନ୍ତ ସୁବୁଦ୍ଧି(୩୦)। ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ପ୍ରସନ୍ନ ରାଉତରାୟ ନାମକ ଜଣେ ଯୁବକ ଭୁବନେଶ୍ବର ଆସିଥିଲେ। ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ବାଇକ ରଖି ନିକଟସ୍ଥ ଏକ ଅଫିସ୍କୁ ଯାଇଥିଲେ। ଫେରିବା ବେଳକୁ କେହି ତାଙ୍କ ବାଇକ୍ ନେଇଯାଇଥିଲା। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳ ପ୍ରାୟ ୯ଟାରେ ଦୁଷ୍ମନ୍ତ ବାଇକ୍ ନେଇ ଭିଏସ୍ଏସ୍ ନଗର ହାଟକୁ ଆସିଥିବା ପୁଲିସ ଖବର ପାଇଥିଲା। ତୁରନ୍ତ ପୁଲିସର ଏକ ଟିମ୍ ସେଠାକୁ ଯାଇ ଛକି ବିସିଥିଲା। ଦୁଷ୍ମନ୍ତ ବାଇକ୍ ଷ୍ଟାର୍ଟ କରିବା ପୂର୍ବରୁ ପୁଲିସ ତାକୁ କାବୁ କରିଥିଲା।