କଣ୍ଟାବାଞ୍ଜି ପାଇଁ ନବୀନଙ୍କ ପ୍ରାର୍ଥିପତ୍ର ଦାଖଲ

ଟିଟିଲାଗଡ଼: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ  ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ନିକଟରେ ସେ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହିସମୟରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଦଳର ଉପସଭାପତି ଅନଙ୍ଗଉଦୟ ସିଂହଦେଓ, ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁବାର ସକାଳେ ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନରେ ଆସି ତୁଷୁରା ନିକଟସ୍ଥ ବଙ୍ଗୋମୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲେ। ସେଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ତୁଷୁରା ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟସ୍ୱାଲ, ରମେଶ ଅଗ୍ରୱାଲ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ସେ ହେଲିକପ୍ଟରରେ ଯାଇ ଟିଟିଲାଗଡ଼ ସିଟି ସ୍କୁଲ୍‌ ପଡ଼ିଆରେ ଓହ୍ଲାଇଥିଲେ। ହେଲିପ୍ୟାଡ୍‌ଠାରେ ମନ୍ତ୍ରୀ ଟୁକୁନୀ ସାହୁ, ଅନଙ୍ଗ ଉଦୟ ସିଂହଦେଓ, ବଲାଙ୍ଗୀର ପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ସୁରେନ୍ଦ୍ର ସିଂଭୋଇ, ପୂର୍ବତନ ବିଧାୟକ ଆୟୁବ ଖାନ, ନିରୁପମା ମାଝୀ, ହଂସରାଜ ଜୈନ, ଗିରିରାଜ ସିଂ ମାଝୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରୁ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଦୁଇଟି ସେଟ୍‌ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେହିପରି, ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଟୁକୁନୀ ସାହୁ ମଧ୍ୟ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣୀ ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ ପରେ ତାଙ୍କ ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଅମଳରେ ହୋଇଥିବା ଦ୍ରୁତ ବିକାଶ ହିଁ ବିଜେଡିକୁ ବଳ ଦେବାସହ ପୁଣିଥରେ କ୍ଷମତାକୁ ଆସି ପୂର୍ବ ଭଳି ଲୋକଙ୍କ ସେବା ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର