ତାତିରୁ ମିଳିବ ଆଶ୍ବସ୍ତି: ୬ ପରେ କମିବ ଗ୍ରୀଷ୍ମ ପ୍ରବାହ, ବଲାଙ୍ଗୀର ପାଲଟିଲା ଉତ୍ତପ୍ତ ସହର

ଏପ୍ରିଲରେ ୧୬ ଦିନ ୪୦ଂ ଉପରେ ରହିଲା ରାଜଧାନୀ

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି। ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିବ। ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ତେବେ ୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରୁ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରେ ବ୍ରେକ୍‌ ଲାଗିବ। ଲଗାତାର ୧୭ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ତ୍ରାହିତ୍ରାହି ଡାକୁଥିବା ଓଡ଼ିଶାବାସୀଙ୍କୁ ଏଭଳି ଆଶ୍ବାସନା ବାଣୀ ଶୁଣାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଦକ୍ଷିଣ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହାର ପ୍ରଭାବରେ ଗତକାଲି ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ସର୍ବାଧିକ ୪୯ ମିମି ବର୍ଷା ରେକର୍ଡ କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ‌ତେବେ ଦୁଇ ଦିନ ପରେ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ଆଦୌ ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କେ‌ତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇପାରେ। ହେଲେ ଏହାର ପ୍ରଭାବ ୬ ତାରିଖ ବେଳକୁ କମିବ। ଏହାପରଠାରୁ ଦିନ ତାପମାତ୍ରାରେ ଆହୁରି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳ ମୁହାଁ ହୋଇପାରେ। କାରଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ଉତ୍ତପ୍ତ ବାୟୁମଣ୍ଡଳ ସ୍ପର୍ଶରେ ଆସି କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

୬ ପରେ କମିବ ଗ୍ରୀଷ୍ମ ପ୍ରବାହ
ଏପ୍ରିଲରେ ୧୬ ଦିନ ୪୦ଂ ଉପରେ ରହିଲା ରାଜଧାନୀ
ବଲାଙ୍ଗୀର ପାଲଟିଲା ଉତ୍ତପ୍ତ ସହର
ଉପକୂଳରେ ସାମାନ୍ୟ କମିଲା ତାତି

ସେପଟେ ୧୭ ଦିନ ପରେ ଭୁବନେଶ୍ବର ତାତି ଆଜି ୪୦ ଡିଗ୍ରି ତଳକୁ ଖସିଛି। ୧୮ ତମ ଦିନରେ ଆଜି ୩୯ ଡିଗ୍ରି ରେକର୍ଡ ହୋଇଛି। ୧୯୬୯ରୁ ୨୦୨୪ ମଧ୍ୟରେ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ଲଗାତାର ୧୬ ଦିନ ଧରି ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ଶେଷ ଥର ଲାଗି ୨୦୧୬ରେ ଏପ୍ରିଲ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସେହିପରି ୨୦୦୯ରୁ ୨୦୨୪ ମସିହା ମଧ୍ୟରେ ଏପ୍ରିଲ ମାସରେ ରାଜ୍ୟରେ ଅନୁଭୂତ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଗତ ୧୫ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି। ୨୦୧୦ରେ ସର୍ବାଧିକ ୨୩ ଦିନ ଥିବା ବେଳେ ୨୦୧୬ରେ ୨୧ ଦିନ ଓ ଚଳିତବର୍ଷ ୧୮ ଦିନ ରହିଥିଲା। କାଳବୈଶାଖୀ ବର୍ଷା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅନେକ ସ୍ଥାନରେ ତାତି କମିଛି। ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୫ ଡିଗ୍ରି ସହ ବଲାଙ୍ଗୀର ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୨୯ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ଓ କଟକ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ବଲାଙ୍ଗୀର ବ୍ୟତୀତ ଅନୁଗୁଳରେ ୪୪.୭, ନୂଆପଡ଼ାରେ ୪୪.୬, ‌ତା‌ଳଚେର ଓ ଟିଟିଲାଗଡ଼ରେ ୪୪.୫, ବୌଦ୍ଧରେ ୪୪.୩, ବାରିପଦାରେ ୪୩.୪, ଭବାନୀପାଟଣାରେ ୪୩ ଡିଗ୍ରି ରହିଥିଲା। ବାରିପଦା ସହରର ତାପମାତ୍ରା ସ୍ବାଭାବିକଠାରୁ ୫.୬ ଡିଗ୍ରି ଅଧିକ ରହିଥିବା ବେଳେ ବାଲେଶ୍ବରରେ ୫, କେନ୍ଦୁଝରରେ ୪.୯, ଅନୁଗୁଳରେ ୪.୪, କୋରାପୁଟରେ ୩.୯, ଫୁଲବାଣୀରେ ୩.୭ ଡିଗ୍ରି ଅଧିକ ରହିଥିଲା। ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ‌ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୪ରୁ ୬ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବାର ସମ୍ଭାବନା ରହିଛି।

ସେଣ୍ଟର ଫର୍‌ ଏନ୍‌ଭର୍ନମେଣ୍ଟ ଆଣ୍ଡ କ୍ଳାଇମେଟ(ସିଇସି) ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି ଯେ ଉତ୍ତର ପଶ୍ଚିମ ଦିଗରୁ ହେଉଥିବା ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ଉପକୂଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇଛି। ମେ’ ୧୨ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗିରହିବ। ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା କମ୍‌ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୬ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନ ତାପମାତ୍ରା ୪୦ରୁ ୪୩ ଡିଗ୍ରି ଓ ଉପକୂଳ ଓଡ଼ିଶାରେ ୩୮ରୁ ୪୧ ଡିଗ୍ରି ମଧ୍ୟରେ ରହିବ। ମେ’ ୭ରୁ ୧୨ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩୬ରୁ ୪୦ ଡିଗ୍ରି ଏବଂ ଉପକୂଳ ଓଡ଼ିଶାରେ ୩୫ରୁ ୩୯ ଡିଗ୍ରି ରହିବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୬ରୁ ୧୦ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର