ସୋନପୁର: ସୋନପୁର ତେଲନଦୀ ସେତୁ ଅସୁରକ୍ଷିତ ଅବସ୍ଥାରେ ଥିବା ବେଳେ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାକୁ ସଂଯୋଗ କରିବା ପାଇଁ ସତୁରୀ ଦଶକରେ ଏହି ସେତୁ ନିର୍ମାଣର ପରିକଳ୍ପନା କରାଯାଇଥିଲା। ଏହି ସେତୁ ନିର୍ମାଣ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୦ ଜୁନ ୧୯୭୦ରେ ଶୁଭ ଦେଇଥିଲେ। ୨୧୦୪ ଫୁଟ ବିଶିଷ୍ଟ ଏହି ସେତୁ ସେହି ସମୟରେ ୩୧.୮୦ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିଲା। ୨ ଡିସେମ୍ବରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୩ ମାର୍ଚ୍ଚ ୧୯୭୩ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି ସେତୁକୁ ତତ୍କାଳୀନ ରାଜ୍ୟପାଳ ବିଡି ଜଟ୍ଟି ୧୧ ନଭେମ୍ବର ୧୯୭୩ରେ ଉଦଘାଟନ କରିଥିଲେ। ଏହି ସେତୁ ନିର୍ମାଣ କେବଳ ସୋନପୁର ନୁହେଁ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଅନ୍ୟାନ୍ୟ ଅଞ୍ଚଳର ପୂର୍ବ ଓଡିଶାକୁ ଦୂରତା କମିଥିଲା ଏବଂ ପୂର୍ବ ଓଡ଼ିଶାକୁ ସଂଯୋଗର ମାଧ୍ୟମ ପାଲଟିଥିଲା ତଥା ପୂର୍ବ ଓଡିଶାକୁ ଦୂରତା ହ୍ରାସ ପାଇଥିଲା। ଇତି ମଧ୍ୟରେ ୪୬ ବର୍ଷ ବିତିଯାଇଛି କିନ୍ତୁ ସେତୁଟି ବିଭିନ୍ନ କାରଣରୁ ଅବହେଳାର ଶୀକାର ପାଲଟିଛି। ସେତୁ ଉପରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହିତ ସଙ୍କୋଚନ ପ୍ରସାରଣ ପାଇଁ ଥିବା ଯନ୍ତ୍ରପାତି ଚୋରି ହେବା ଫଳରେ ସେତୁର ସୁରକ୍ଷା ନେଇ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିକି ସେତୁର ଉଭୟ ପାର୍ଶ୍ବରେ ଗର୍ତ୍ତ ସୃଷ୍ଟି ହେଉଥିବା ବେଳେ ବିଭାଗ ଖାଲି ମରମତି କରି ଦେଇ ଚପ ବସୁଛି ବିଭାଗ। ଏହି ମରାମତି କିନ୍ତୁ ମାତ୍ର ଦିନ କେଇଟା ଯାଉଛି ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ଆଗରୁ ସେତେ ଭାରି ଯାନ ଯାଉନଥିଲା ଏବେ ଏହି ସେତୁ ଉପରେ ଅଧିକ ଭାରି ଯାନ ଯାଉଛି ଯାହାକି ସେତୁ ସୁରକ୍ଷା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସେପଟେ ସେତୁର ଉଭୟ ପାର୍ଶ୍ବରେ ବେଆଇନ ଭାବରେ କେବୁଲ ତାର ବଇଛାଯାଇ କଂକ୍ରିଟ କରାଯାଇଥିବାରୁ ସେତୁ ଅଧିକ କ୍ଷତିଗ୍ରସ୍ତ ହେଉଛି। ଏହି ସେତୁ ନିର୍ମାଣ ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଘଟିଛି। ଏଭଳି ଏକ ସେତୁର ସୁରକ୍ଷା ନେଇ ଯେତିକି ଧ୍ୟାନ ଦେବାର କଥା ଦିଆଯାଉ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଣୁ ଏହି ସେତୁର ସୁରକ୍ଷା ପାଇଁ ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।