ଦେବଗଡ଼/ବାରକୋଟ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିକୁଦର ନିକଟରେ ରବିବାର ସନ୍ଧ୍ୟାରେ ଏକ ଲୁହାପଥର ବୋଝେଇ ଟ୍ରକ୍ (ଓଡି ୧୬ସି-୦୭୭୪) ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ସମେତ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନାନୁସାରେ, ବାରକୋଟ ବ୍ଲକ ପୁରୁଣାପାଣି ଅଞ୍ଚଳର କିଛି ଲୋକ ଏକ ବାହାଘର ଉତ୍ସବରେ ବଜା ବଜାଇବାକୁ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମକୁ ଯାଇଥିଲେ। ସେଠାରେ ବାହାଘର ଶୋଭାଯାତ୍ରା ସାରି ସନ୍ଧ୍ୟାରେ କୌଣସି ଗାଡ଼ି ନ ପାଇବାରୁ ଏକ ଲୁହାପଥର ବୋଝେଇ ଟ୍ରକ୍ରେ ଗାଁ’କୁ ଫେରୁଥିଲେ। ତେବେ ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବାବେଳେ ଖୁଲୁଣ୍ଡିକୁଦର ନିକଟରେ ହଠାତ୍ ଆଗ ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୯ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଣାପାଣି ଗ୍ରାମର ଶତ୍ରୁଘ୍ନ ନାୟକ (୩୦), ହିମାଦ୍ରି ନାୟକ (୨୭) ଓ ମହରଗୁ ବେହେରା (୪୦)ଙ୍କ ମୃତ୍ୟୁ ଘଟିଥିଲା। ମୃତ ଶତ୍ରୁଘ୍ନ ଓ ହିମାଦ୍ରି ଦୁଇ ଭାଇ ବୋଲି ଜଣାପଡ଼ିଛି। ଅନ୍ୟପଟେ ଗାଡ଼ିର ହେଲ୍ପରଙ୍କ ସହ ଗାଁ’ର ପିଣ୍ଟୁ ନାୟକ (୧୦), ସମ୍ଭାରୁ ନାୟକ (୩୦), ମୋହନ ବେହେରା (୨୮), ଗଙ୍ଗାବେହେରା (୧୫) ଓ ଭିକାରୀ ବେହେରା (୩୬) ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବାରକୋଟ ପରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍ର ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଖବରପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।