କଂଗ୍ରେସରୁ ଇସ୍ତଫା ଦେଲେ ଲକ୍ଷ୍ମଣଙ୍କ ସମେତ ୯ ନେତା
ବିରୋଧୀ ଦଳ ନେତାଙ୍କୁ ଦାୟୀ କଲେ, କାନ୍ଦିଲେ ଭଗବାନ ଓ ଲକ୍ଷ୍ମଣ, କୌଣସି ପ୍ରଭାବ ପଡ଼ିବ ନାହିଁ: କଂଗ୍ରେସ ପ୍ରଚାର କମିଟି
ବଲାଙ୍ଗୀର : ଲକ୍ଷ୍ମଣ ମେହେରଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ବୁଧବାର ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ଶ୍ରୀ ମେହେରଙ୍କ ସମେତ ବଲାଙ୍ଗୀର ଜିଲ୍ଲା କଂଗ୍ରେସର ୯ ଜଣ ବରିଷ୍ଠ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅନ୍ୟମାନେ ହେଲେ ଶ୍ରୀ ମେହେରଙ୍କ ପତ୍ନୀ ଦେଓଗାଁ ବ୍ଲକର ଅଧ୍ୟକ୍ଷା ରୀନା ମେହେର, ପୂର୍ବ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭଗବାନ ବଗର୍ତ୍ତି, ପୂର୍ବ ଉପସଭାପତି ରାଧାକାନ୍ତ ନାଏକ, ପୂର୍ବ ପୌରାଧ୍ୟକ୍ଷ ପ୍ରଦୀପ ସାହୁ, ଲିଗାଲ ସେଲର ପୂର୍ବ ଅଧ୍ୟକ୍ଷ ପ୍ରବୀଣ ମିଶ୍ର, ସୋସିଆଲ ମିଡିଆର କୋଅର୍ଡିନେଟର ପ୍ରଦ୍ୟୁମ୍ନ ମିଶ୍ର ଓ ଲୋଇସିଂହା ବ୍ଲକର ପୂର୍ବ ସଭାପତି ମହେନ୍ଦ୍ର ଜାଲ ପ୍ରମୁଖ ରହିଛନ୍ତି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଇସ୍ତଫା ଦେଇଥିବା ନେତାମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରିଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ତାଙ୍କ ପଦର ଅପବ୍ୟବହାର ଓ ପୁରୁଖା ନେତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର କଂଗ୍ରେସରୁ ଏଥର ଲୋକସଭା ପ୍ରାର୍ଥୀ ଭାବେ ଆଶାୟୀ ଥିଲେ ଲକ୍ଷ୍ମଣ। ହେଲେ ବିରୋଧୀ ଦଳ ନେତା ନରସିଂହଙ୍କ ପୁଅ ସମରେନ୍ଦ୍ର ଟିକଟ ପାଇଥିଲେ। ଯାହାକୁ ନେଇ ପୂର୍ବରୁ ଲକ୍ଷ୍ମଣ ଏଥର ନିର୍ବାଚନରେ ସେ ନରସିଂହଙ୍କ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଥିଲେ। ଶ୍ରୀ ମେହେର କହିଛନ୍ତି ଯେ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସହ ହାତ ମିଳାଇଛନ୍ତି। କଂଗ୍ରେସ ଦଳକୁ ତଳକୁ ନେଇଛନ୍ତି। ତାଙ୍କୁ ଲୋକସଭା ପ୍ରାର୍ଥୀ ହେବାକୁ ନିଜେ ନରସିଂହ ପ୍ରସ୍ତୁତ ହେବାକୁ କହିଥିଲେ, ହେଲେ ନିଜ ପୁତ୍ର ସମରେନ୍ଦ୍ରଙ୍କୁ ପ୍ରାର୍ଥୀ କଲେ ବୋଲି କହିଥିଲେ। ୨୦୧୪ ନିର୍ବାଚନ ସମସ୍ତେ ମିଶି ତାଙ୍କୁ ଜିଣାଇଥିଲେ। ହେଲେ ସେ ସମସ୍ତଙ୍କୁ ଧୋକା ଦେଇଛନ୍ତି ବୋଲି କହିଥିଲେ। ସେହିପରି ବିରୋଧୀ ଦଳ ନେତା ନରସିଂହ କେତେ ଜଣ ବ୍ୟକ୍ତିଙ୍କ କଥା ମାନି କାମ କରୁଛନ୍ତି। ପ୍ରକୃତ ଦଳୀୟ ନେତାଙ୍କୁ ଅଣଦେଖା କରୁଛନ୍ତି ବୋଲି ଇସ୍ତଫା ଦେଇଥିବା ଅନ୍ୟ ନେତାଗଣ ଅଭିଯୋଗ ଉଠାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କାନ୍ଦିଲେ ଭଗବାନ ଓ ଲକ୍ଷ୍ମଣ
ବଲାଙ୍ଗୀର : ଦଳ ଛାଡ଼ିବା ପରେ କାନ୍ଦି ପକାଇଛନ୍ତି ପୂର୍ବ ଡିସିସି ସଭାପତି ଭଗବାନ ବଗର୍ତ୍ତି। ସେ କଂଗ୍ରେସ ସହ ୪୫ ବର୍ଷ ରହି ଏମିତି କେବେ ବି ସାମ୍ନା କରି ନଥିଲେ ଯେ, ଦଳ ଛାଡ଼ିବାକୁ ବାଧ୍ୟ ହେବେ। କିନ୍ତୁ କଂଗ୍ରେସକୁ ନରସିଂହ ମିଶ୍ର ଆସିବା ପରେ ଗୋଷ୍ଠୀ ବିବାଦ କରି ଦଳକୁ ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ବଗର୍ତ୍ତି କହିଛନ୍ତି, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏକଦା କଂଗ୍ରେସକୁ କବର ଦେବାକୁ ଆହ୍ୱାନ ଦେଉଥିଲେ। ଏବେ ସେ ପରିବାରବାଦ ରାଜନୀତି କରି ଦଳର ନେତାଙ୍କୁ କୋଣଠେସା କରୁଛନ୍ତି। ବହୁ ଦିନ ପର୍ଯ୍ୟନ୍ତ ସମସ୍ତେ ଦଳରେ ରହି ନିରବ ଥିଲେ। କିନ୍ତୁ ଏଣିକି ଆଉ କେହି ବି ନିରବ ରହିବେ ନାହିଁ ବୋଲି ସେ କହିଥିଲେ। ବହୁ କଷ୍ଟରେ କଂଗ୍ରେସ ସଂଗଠନକୁ ମଜବୁତ କରିଥିବା ବେଳେ ବର୍ତ୍ତମାନ କଂଗ୍ରେସକୁ ଦମନ ଅଭିଯାନ ଚାଲିଥିବା କହିଥିଲେ। ସେ ଦଳ ତ୍ୟାଗ କରୁଥିବା କହି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କାନ୍ଦି ପକାଇଥିଲେ। ସେହିପରି ଲକ୍ଷ୍ମଣ ମଧ୍ୟ ଇସ୍ତଫା ଦେଇ ଦଳରେ ବିତିଥିବା ଦିନକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ।
କୌଣସି ପ୍ରଭାବ ପଡ଼ିବ ନାହିଁ: କଂଗ୍ରେସ ପ୍ରଚାର କମିଟି
ବଲାଙ୍ଗୀର : ଦଳ ଛାଡ଼ିଥିବା ନେତାମାନେ କଂଗ୍ରେସ ଦଳ ଦ୍ୱାରା ହିଁ ପ୍ରତିଷ୍ଠା ଏବଂ ପରିଚୟ ପାଇଛନ୍ତି। ସେମାନଙ୍କ ଦଳ ଛାଡ଼ିବା ଦ୍ୱାରା ଦଳ କିମ୍ବା ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଦଳ, ନେତା ଓ ଜନତାଙ୍କ ପ୍ରତି ଲକ୍ଷ୍ମଣ ମେହେର ଓ ତାଙ୍କ ସମର୍ଥକମାନେ ବିଶ୍ୱାସଘାତ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ନିର୍ବାଚନୀ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ଦଳ ଛାଡ଼ିଥିବା ନେତାଏ ବିଧାୟକଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ କରିଛନ୍ତି। ସେମାନେ ଜାଣିଯିବା ଦରକାର ଯେ, ନରସିଂହ ମିଶ୍ର ଜନସାଧାରଣଙ୍କ ବିଧାୟକ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦିଲୀପ ବେହେରା, ପିସିସି ସଂପାଦକ ସୁଦାମ ସାହୁ, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ଏବଂ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ ମଞ୍ଚାସୀନ ଥିଲେ।