ନବରଙ୍ଗପୁର/ ବାଲେଶ୍ବର /ଜଳେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ମହିଳା କଲେଜର ଜଣେ ମହିଳା କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ନବରଙ୍ଗପୁରର ଶିକ୍ଷକ ଜଣଙ୍କ ହେଲେ ସୁବ୍ରତ ଚୌଧୁରୀ। ସେ ଜିଲ୍ଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ କିିଛିମାସ ତଳେ ଇସ୍ତଫା ଦେଇଥିଲେ। ଶ୍ରୀ ଚୌଧୁରୀଙ୍କ ବିରୁଦ୍ଧରେ ଆୟ ବିହର୍ଭୂତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା। ଆଜି କୋରାପୁଟ ସ୍ବତନ୍ତ୍ର ଭିଜିଲାନ୍ସ କାର୍ଯ୍ୟାଳୟର ନିର୍ଦେଶକ୍ରମେ ନବରଙ୍ଗପୁର, ଜୟପୁର, ରାୟଗଡା, ମାଲକାନାଗିରି ଓ ଭବାନୀପାଟନା ଭିଜିଲାନ୍ସର ୬ଟି ଟିମ୍ ଏକକାଳୀନ ଶ୍ରୀ ଚୌଧୁରୀଙ୍କ ପୈତୃକ ଘର ଏବଂ ତାଙ୍କ ପତ୍ନୀଙ୍କ ନାଁରେ ରହିଥିବା ଘର ଏବଂ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରିଥିଲେ। ଖବର ଲେଖା ହେବା ସୁଦ୍ଧା ଚଢ଼ାଉ ଜାରି ରହିବା ସହିତ ତାଙ୍କ ସମ୍ପତ୍ତିର ଆକଳନ କରାଯାଉଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଜଳେଶ୍ବର ମହିଳା କଲେଜର କିରାଣି ତରଣୀ ଭୂୟାଁଙ୍କ ଜଳେଶ୍ବର ଧରାଷ୍ଟକସ୍ଥିତ ଘର, ଆରୁହାସ୍ଥିତ ପୈତୃକ ଘର, ଖାଲିନାସ୍ଥିତ ଶ୍ୱଶୁର ଘର ଓ ପତ୍ନୀ ଚାକିରି କରିଥିବା ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଲୁହାଶୀଳା ସ୍କୁଲରେ ଏକା ସାଙ୍ଗରେ ଭିଜିଲାନ୍ସ ଚଢ଼ଉ ହୋଇଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୫ଟାରୁ ଏହି ଚଢ଼ଉ ଆରମ୍ଭ ହୋଇଥିଲା। ଖବର ଲେଖା ହେବା ଯାଏ ଅର୍ଥାତ୍ ସନ୍ଧ୍ୟା ୬ଟା ଯାଏ ଏହି ଚଢ଼ଉ ଜାରି ରହିଥିଲା। ଏହି ଚଢ଼ଉରେ ୫ଟି ଟିମ୍ରେ ୩୧ ଜଣ ଭିଜିଲାନ୍ସ ଅଫିସର ଓ ପଦାଧିକାରୀ ସାମିଲ ଥିବା କୁହାଯାଇଛି।