କାଳିଆପାଣି : ଏବେ ବି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି ମାଙ୍କେଡ଼ିଆ ଜନଜାତି। ଯାଜପୁର ଜିଲ୍ଲାର ରତ୍ନଗର୍ଭା ସୁକିନ୍ଦା କ୍ରୋମ୍ ଉପତ୍ୟକାର କେନ୍ଦ୍ରସ୍ଥଳରେ ଅବସ୍ଥାନ କରୁଥିଲେ ମଧ୍ୟ ସେମାନଙ୍କ ଦୈନନ୍ଦିନ ଚଳଣିରେ ଉଲ୍ଲେଖନୀୟ ପରିବର୍ତନ ଆସିନି କି ସେମାନଙ୍କୁ ଆଧୁନିକତା ସ୍ପର୍ଶ କରିପାରିନି। ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହ୍ଲାରସାହିସ୍ଥିତ ଅସଜଡ଼ା ମାଙ୍କେଡ଼ିଆ ବସ୍ତିରେ ୧୨୦ ରୁ ଅଧିକ ପରିବାର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବସବାସ କରୁଥିଲେ ମଧ୍ୟ ଏଯାବତ୍ ସେମାନେ ମୌଳିକ ସମସ୍ୟାରୁ ମୁକୁଳି ପାରିନଥିବା ଜଣାପଡ଼ିଛି। ଏବେ ବି ଅଧିକାଂଶ ପରିବାର ଖାଦ୍ୟ, ବାସଗୃହ ଓ ବସ୍ତ୍ର ପ୍ରପୀଡ଼ିତ ରହିଥିବା ଦେଖିବାକୁ ମିଳିଛି। ୭୦ ରୁ ଅଧିକ ପରିବାର ତିନି ପିଢ଼ି ଧରି ନିରକ୍ଷର ରହିଆସିଛନ୍ତି। ଏହାହିଁ ଏହି ବିଲୁପ୍ତ ଜନଜାତି କ୍ଷେତ୍ରରେ ବାସ୍ତବ ସ୍ଥିତି।
Sambad is now on WhatsApp
Join and get latest news updates delivered to you via WhatsApp
ସତୁରୀ ଦଶକ ମଧ୍ୟ ଭାଗରେ ଯାଯାବର ପ୍ରଜାତିର ହାତଗଣତି ସଂଖ୍ୟାଲଘୁ ମହ୍ଲାର ଜନଜାତି ଓଡ଼ିଶା ଖଣି ନିଗମ(ଓଏମ୍ସି) ଲିଜ୍ ଏରିଆରେ ଥିବା ଉକ୍ତ ବସ୍ତି ଛାଡ଼ି ପଳାଇଥିଲେ। ଏହି ସମୟରେ କଅଁସ ବିଟ୍ ସାହିରୁ ବିତାଡ଼ିତ ଦୁଇ ସମୁଦ୍ଧି ସ୍ବର୍ଗତ ବିଜ୍ଲି ଓ ଜାରକା ମାଙ୍କେଡ଼ିଆ ଏବଂ ଫୁଲ ଓ କାବରା ମାଙ୍କେଡ଼ିଆ ବୁଲିବୁଲି ଆସି ଉକ୍ତ ପରିତ୍ୟକ୍ତ ବସ୍ତିକୁ ଆବୋରି ନେଇଥିଲେ। ମହ୍ଳାରମାନେ ଛାଡ଼ି ଯାଇଥିବା ଶୁଖିଲା ଡାଳପତ୍ର ଓ ପଥର ଖଣ୍ଡ ସହାୟତାରେ ପଲାମରା କୁଡ଼ିଆ କରି ସେଇଠି ବସତି ସ୍ଥାପନ କରିଥିଲେ। କିଛିଦିନ ପରେ ଜାରକା ମାଙ୍କେଡ଼ିଆଙ୍କ ପୁଅବୋହୂ ଗୁରୁ ଓ ନୁପାଲ ଏବଂ କାବରାଙ୍କ ଚାରି ପୁଅବୋହୂ ରାମଧାନି ଓ କେଢ଼େର ଏବଂ ଶମ୍ଭୁ ଓ କୁଚାମୁନି, ସଂପର୍କୀୟ ମୁରଛି ଓ ମୋତିଙ୍କୁ ନେଇ ୬ଟି ମାଙ୍କେଡ଼ିଆ ଜନଜାତି ପରିବାର ସେଇଠି ବସ୍ତି ସ୍ଥାପନର ମୂଳଦୁଆ ପକାଇଥିଲେ। ସେତେବେଳେ ଉକ୍ତ ବସ୍ତି ଚତୁର୍ଦିଗରେ ଥିବା ଘଞ୍ଚ ଜଙ୍ଗଲରୁ ମାଙ୍କେଡ଼ିଆମାନେ ପ୍ରଚୁର ପରିମାଣରେ ଜାଳେଣି କାଠ, ଦାନ୍ତକାଠି, ଶିଆଳି ଲଇ ସଂଗ୍ରହକରି ଆଖପାଖ ବଜାର ଓ ଗାଁଗଣ୍ଡାରେ ବିକି ଗୁଜୁରାଣ ମେଣ୍ଟାଉଥିଲେ। ଶିକାର ପ୍ରିୟ ମାଙ୍କେଡ଼ିଆମାନେ ଜଙ୍ଗଲରୁ ମାଙ୍କଡ଼ ଓ ଅନ୍ୟ ବନ୍ୟଜନ୍ତୁ ମାରି ଖାଉଥିଲେ। ଏଠି ଅପେକ୍ଷାକୃତ ସହଜ ରୋଜଗାର ଓ ଖାଦ୍ୟ ଉପଲବ୍ଧ ଥିବାରୁ ଧୀରେ ଧୀରେ ଟମକା, କଅଁସ, ଘଟଗାଁ ପାଖ ମେଲାଣ, କେନ୍ଦୁଝର ଯୋଡ଼ା ଉପକଣ୍ଠ ତାଟିଭା, ଦେବଗଡ଼ ଓ ସମ୍ବଲପୁର ମଧ୍ୟସ୍ଥ କଦଳୀପାଳ ଇଲାକାରୁ କିଛି ସଂପର୍କୀୟ ଉକ୍ତ ସ୍ଥାନକୁ ଆସି ଏକାଠି ରହିବାକୁ ଲାଗିଲେ। ସଚେତନତା ଅଭାବ ସାଙ୍ଗକୁ ବସ୍ତି ଗଠନରେ କୌଣସି କଟକଣା ନଥିବାରୁ ବିଗତ ୪୦ ବର୍ଷ ମଧ୍ୟରେ ଏଠି ମାଙ୍କେଡ଼ିଆଙ୍କ ଜନସଂଖ୍ୟା ୫୦ ଗୁଣରୁ ଅଧିକହୋଇ ୫ଶହ ସଂଖ୍ୟା ଟପି ଯାଇଛି। କିନ୍ତୁ ସ୍ଥାନାଭାବ ସମସ୍ୟା ପାଇଁ ସେହି ଅନୁପାତରେ ଉକ୍ତ ଘନ ଜନବହୁଳ ବସ୍ତିର କ୍ଷେତ୍ରଫଳ ବଢ଼ିନି।
ଦ୍ରୁତଗତିରେ ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ସେମାନଙ୍କ ସଭ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇନି। ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିବେଶ ମଧ୍ୟରେ ୯୫ ପ୍ରତିଶତ ପରିବାର ଝୁମ୍ପୁଡ଼ି ଓ ପଲାମରା କୁଡ଼ିଆରେ ରହୁଛନ୍ତି। ସଂଖ୍ୟାଧିକ ମାଙ୍କେଡ଼ିଆ ମଦ୍ୟପ । ନିଶା(ମହୁଲି ମଦ, ହାଣ୍ଡିଆ, ରସି) ସେବନରେ ଅହେତୁକ ଆଗ୍ରହ ପାଇଁ ରୋଜଗାର ସିଂହଭାଗ ସେହିବାଟରେ ଖର୍ଚ ହୋଇଥାଏ। ଏହି କାରଣରୁ ଉକ୍ତ ବସ୍ତିରେ ଦୈନିକ ସକାଳୁ ରାତି ପର୍ଯ୍ୟନ୍ତ ହାଣ୍ଡିଆ ହାଟ ବସୁଥିବା ଦେଖିବାକୁ ମିଳିଛି। ବିଗତ ୧୫ ବର୍ଷ ତଳେ ଦେବଗଡ଼ ଓ ସମ୍ବଲପୁର ଇଲାକାରୁ କିଛି ମାଙ୍କେଡ଼ିଆଙ୍କ ଆଗମନ ପରେ ଏଠାକାର ୫୦ ପାଖାପାଖି ପରିବାର ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ବୀ ମାଙ୍କେଡ଼ିଆମାନେ ମୁଖ୍ୟତଃ ମାଦକ ଦ୍ରବ୍ୟ ପରିହାର କରି ଅପେକ୍ଷାକୃତ ସଭ୍ୟ ଜୀବନଯାପନ କରୁଛନ୍ତି। ସାମୂହିକ ଭାବେ ବସ୍ତି ମଝିରେ ଏକ ଝାଟିମାଟି ଘର(ଜୀବନଜ୍ୟୋତି ପ୍ରାର୍ଥନା ଭବନ) ତୋଳି ସେଇଠି ନିୟମିତ ପ୍ରାର୍ଥନା ଓ ଧର୍ମ ଆଲୋଚନା ଜାରିରଖିଛନ୍ତି। ସେମାନେ ବଡ଼ଦିନ ଓ ଗୁଡ୍ ଫ୍ରାଇଡେ ପାଳନ କରନ୍ତି। ସେମାନେ ଖ୍ରୀଷ୍ଟଧର୍ମ ପରମ୍ପରା ଅନୁଯାୟୀ ବିବାହ କରିଥାନ୍ତି। ଅବଶିଷ୍ଟ ମାଙ୍କେଡ଼ିଆଙ୍କର କୌଣସି ଧର୍ମ ନଥିବା ସହ ସେମାନେ କୌଣସି ପର୍ବପାର୍ବଣୀ ପାଳନ କରନ୍ତିନାହିଁ। କମ୍ ବୟସରୁ ପରସ୍ପରକୁ ଭଲପାଇ ବିବାହ କରୁଥିଲେ ମଧ୍ୟ ନିର୍ଦିଷ୍ଟ କିଛି ଆଦିବାସୀଙ୍କ ପରି ସେମାନଙ୍କ ସମାଜରେ ଟଣାଝିଙ୍କା କରି ବିବାହ କରିବା ଦେଖାଯାଏନି। ଅତ୍ୟନ୍ତ ଦୟନୀୟ ଓ ବିପର୍ଯ୍ୟସ୍ତ ପରିବେଶରେ ତିଷ୍ଠି ରହିଥିବା କାରଣରୁ ମାଙ୍କେଡ଼ିଆମାନେ କଷ୍ଟସହିଷ୍ଣୁ।
ଚଳଣିକୁ ଅନୁଧ୍ୟାନ କଲେ ସେମାନଙ୍କର ସେଭଳି ଆଶା, ଆକାଂକ୍ଷା କିମ୍ବା ଅଭିପ୍ସା ଥିବା ପରିଲକ୍ଷିତ ହୁଏନି। ଏହି କାରଣରୁ ବସ୍ତିର ଲୋକସଂଖ୍ୟା ୬ଶହ ପାଖାପାଖି ହେଲେ ମଧ୍ୟ ୨୦୧୭ ଓ ଚଳିତବର୍ଷ କେବଳ ୨ ଜଣ ଝିଅ ମାଟ୍ରିକ୍ ପାସ୍ କରିଛନ୍ତି। ସଚେତନତା ଅଭାବରୁ ଅଧିକାଂଶ ମାଙ୍କେଡ଼ିଆ ବହୁମୁଖୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇରହିଛନ୍ତି। ବହୁ ବିଳମ୍ବରେ ଭାରତୀୟ ଜନଗଣନାରେ ସାମିଲ ହେବା କିମ୍ବା ଭୋଟ୍ ପରିଚୟ ପତ୍ର ହାତେଇବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇ ପାରେ। ଏଯାବତ୍ କୌଣସି ପରିବାର ଇନ୍ଦିରା ଆବାସ, ମୋ କୁଡ଼ିଆ, ଖଣି ପ୍ରଭାବିତ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନାହାନ୍ତି। ତେବେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ୪ କୋଟି ଟଙ୍କା ବ୍ୟୟ ବରାଦିରେ କୁସୁମୁଣ୍ଡିଆ ଗାଁରେ ଉକ୍ତ ବସ୍ତିର ୮୭ ପରିବାର ପାଇଁ ମାଙ୍କେଡ଼ିଆ ଥଇଥାନ କଲୋନିର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଅଧିକାଂଶ ପରିବାରକୁ ଖାଦ୍ୟ ସୁରକ୍ଷା ଓ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ବହୁ ବୁଢ଼ାବୁଢ଼ୀ ଓ ଶିଶୁ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି।