ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଖୟାମ୍‌ ଆଇସିୟୁରେ, ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ମୁମ୍ବାଇ: ‘କଭି କଭି’ ଏବଂ ‘ଉମ୍‌ରାଓ ଜାନ୍‌’ ଭଳି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶନା ପାଇଁ ପ୍ରଶଂସିତ ବିଖ୍ୟାତ ସଙ୍ଗୀତ ନିର୍ଦେଶକ ଖୟାମ୍‌ ସୁଜୟ ହସ୍‌ପିଟାଲ୍‌ର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ‘ସଙ୍ଗୀତ ନାଟକ ଏକାଡେମି’ ଏବଂ ‘ପଦ୍ମଭୂଷଣ’ ସମ୍ମାନପ୍ରାପ୍ତ ସଙ୍ଗୀତଜ୍ଞ ଖୟାମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବା କଥା ‘ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ ୟୁନିୟନ୍‌’ର ଅଧ୍ୟକ୍ଷ ବିଏନ୍‌ ତିଓ୍ଵାରି ସୂଚନା ଦେଇଛନ୍ତି। ଖୟାମ୍‌ ନାମରେ ସୁପରିଚିତ ମହମ୍ମଦ ଜହୁର ‘ଖୟାମ୍‌’ ହାସ୍‌ମି ମାତ୍ର ୧୭ ବର୍ଷ ବୟସରେ ଲୁଧିଆନା ସହରରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ। ବ୍ଲକ୍‌ବଷ୍ଟର୍‌ ‘ଉମ୍‌ରାଓ ଜାନ୍‌’ରେ ସେ ପ୍ରଥମେ ସୁଯୋଗ ପାଇଥିଲେ ଏବଂ ତାହାରି ବଳରେ ହିଁ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚିରକାଳ ପାଇଁ ସ୍ଥାନ ଦଖଲ କରିପାରିଥିଲେ।

Image Source: NDTV

ସଙ୍ଗୀତ ନିର୍ଦେଶନା ପାଇଁ ସେ ଅନ୍ୟ କେତେକ ପୁରସ୍କାର ସହ ଜାତୀୟ ପୁରସ୍କାର ଏବଂ ଫିଲ୍ମ ଫେୟାର୍‌ ସମ୍ମାନ ପାଇଛନ୍ତି। ରେଖା, ରାଜ୍‌ ବବର ଏବଂ ନାସିରୁଦ୍ଦିନ୍‌ ଶାହାଙ୍କ ଭଳି ଅଭିନେତ୍ରୀ ଓ ଅଭିନେତାଙ୍କ ଅଭିନିତ ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଛନ୍ତି।

‘ପାଓଁ ପଡୁନ୍‌ ତୋରେ ଶ୍ୟାମ୍‌’, ‘ବ୍ରିଜ୍‌ ମେଁ ଲଉଟ୍‌ ଚଲୋ’ ଏବଂ ‘ଘଜବ୍‌ କିୟା ତେରେ ବାଡ଼େ ପେ ଏତ୍‌ଓ୍ଵାର୍‌ କିୟା’ ଆଦି ଖୟାମ୍‌ଙ୍କ ଅଣ-ଚଳଚ୍ଚିତ୍ର ଗୀତଗୁଡ଼ିକ ମଧ୍ୟ ଶ୍ରୋତୃମଣ୍ଡଳୀର ପ୍ରଶଂସାଭାଜନ ହୋଇପାରିଛି। ସେ ମଧ୍ୟ ଦିବଂଗତା ମୀନା କୁମାରୀଙ୍କ ‘ନଜମ୍‌ସ୍‌’ (କବିତା) ଆଲ୍‌ବମ୍‌ ‘ଆଇ ରାଇଟ୍‌, ଆଇ ରିସାଇଟ୍‌’ର ସ୍ୱରସଂଯୋଜନା କରିଥିଲେ। ସ୍ୱୟଂ ମୀନା କୁମାରୀ ହିଁ ଏହାକୁ ଗାୟନ କରିଥିଲେ।

ସମ୍ବନ୍ଧିତ ଖବର