ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି : ର୍ୟାଗିଂ କଲେ ତଡ଼ା ଖାଇବେ
ଭୁବନେଶ୍ବର : ଆଗକୁ ଛାତ୍ର ସଂସଦ ନିର୍ବାଚନ। ତା’ ପୂର୍ବରୁ ଅଶାନ୍ତ ହେଉଛି କ୍ୟାମ୍ପସ। ଇତି ମଧ୍ୟରେ କେତେକ କଲେଜ କ୍ୟାମ୍ପସରେ ରୢାଗିଂ ହୋଇଥିବା ଅଭିଯୋଗ ଆସିଛି। କେଉଁଠାରେ ଜୁନିଅର ଛାତ୍ରଙ୍କୁ ସିନିଅରମାନେ ମାଡ଼ ମାରିଛନ୍ତି ତ ଆଉ କେଉଁଠି ବସଉଠ୍ କରାଯାଉଛି। ଗତ କିଛି ଦିନ ମଧ୍ୟରେ ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଣ୍ଟି-ରୢାଗିଂ ସ୍କ୍ବାଡ୍ ଗଠନ କରିବାକୁ ଗତ ମାସରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଆଉ ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଗ୍ରି, ସ୍ବୟଂଶାସିତ, ସେଲ୍ଫ ଫାଇନାନ୍ସଡ୍ ଓ ସଂସ୍କୃତ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖାଯାଇଛି। କୌଣସି ପରିସ୍ଥିତିରେ କ୍ୟାମ୍ପସରେ ରୢାଗିଂକୁ ପ୍ରଶ୍ରୟ ଦିଆଯିବ। ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କ ବିରୋଧରେ ରୢାଗିଂ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ହଷ୍ଟେଲରୁ ବହିଷ୍କାର, ନାମଲେଖା ରଦ୍ଧ, ପରୀକ୍ଷା ଫଳ ସ୍ଥଗିତ, ଜରିମାନା ଆଦାୟ ସମେତ ରୢାଗିଂ ଅଭିଯୁକ୍ତଙ୍କୁ କ୍ୟାମ୍ପସରୁ ତଡ଼ିବା ଲାଗି କଡ଼ା ଭାଷାରେ ଚିଠି ଲେଖିଛି ବିଭାଗ।
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ଆଣ୍ଟି-ରୢାଗିଂ କମିଟି ଓ ସ୍କ୍ବାଡ୍ ଗଠନ, ଆଣ୍ଟି-ରୢାଗିଂ ସେଲ୍ ପ୍ରତିଷ୍ଠା, ବିଶ୍ବବିଦ୍ୟାଳୟ ବ୍ରୋଚରରେ ଆଣ୍ଟି-ରୢାଗିଂ ସମ୍ପର୍କରେ ଉଲ୍ଲେଖ କରିବା, ୱେବସାଇଟ୍ରେ ଆଣ୍ଟି-ରୢାଗିଂ କମିଟିର ନୋଡାଲ୍ ଅଫିସରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍ ନମ୍ବର, ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀ ଅଣ୍ଟରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି। ଆଣ୍ଟି-ରୢାଗିଂ ସ୍କ୍ବାଡ୍ର ସଦସ୍ୟମାନେ ହଷ୍ଟେଲ, କ୍ୟାଣ୍ଟିନ୍, ରେଷ୍ଟ ରୁମ୍, ଶୌଚାଳୟ, ବସ୍ଷ୍ଟାଣ୍ଡ ଆଦି ଉପରେ ଅଚାନକ ଚଢ଼ଉ କରିବାକୁ କୁହାଯାଇଛି। ଆଣ୍ଟି-ରୢାଗିଂ ନେଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କର୍ମଶାଳା, ଆଲୋଚନାଚକ୍ର କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ୟୁଜିସି ପକ୍ଷରୁ ଆଣ୍ଟି-ରୢାଗିଂ ହେଲ୍ପ ଲାଇନ୍ ନମ୍ବର(୧୮୦୦-୧୮୦-୫୫୨୨) ଜାରି କରାଯାଇଛି। ଇ-ମେଲ୍ ‘[email protected]’ରେ ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। କ୍ୟାମ୍ପସକୁ ରୢାଗିଂ ମୁକ୍ତ କରିବା ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ୟୁଜିସିର ସଚିବ ପ୍ରଫେସର ରଜନୀଶ ଜୈନ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୩ରୁ ୨୦୧୭ ମଧ୍ୟରେ ଦେଶରେ ୩୦୨୨ଟି ରୢାଗିଂ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିକଟରେ ଅଭିଯୋଗ ହୋଇଥିଲା। ୨୦୧୩ରେ ସାରା ଦେଶରୁ ୬୪୦ଟି ଅଭିଯୋଗ ଆସିଥିଲା। ୨୦୧୭ରେ ଅଭିଯୋଗ ସଂଖ୍ୟା ୯୦୧ରେ ପହଞ୍ଚିଥିଲା। ୨୦୧୫ରେ ଅଭିଯୋଗ ସ˚ଖ୍ୟା ୪୨୩ ଥିବା ବେଳେ ୨୦୧୬ରେ ୫୧୫ଟି ଅଭିଯୋଗ ହୋଇଥିଲା। ୨୦୧୭ ତୁଳନାରେ ୨୦୧୮ରେ ରୢାଗିଂ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା। ରୢାଗି˚ରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଏହା ତଳକୁ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ତାମିଲନାଡ଼ୁ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକରେ ଗତ ୬ ବର୍ଷ ମଧ୍ୟରେ ଶତାଧିକ ରୢାଗିଂ ଅଭିଯୋଗ ଆସିଥିଲା। ୨୦୧୩ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୨୦୭ଟି ଅଭିଯୋଗ ହୋଇଥିଲା।