ଗୋଟିଏ ସପ୍ତାହ ଆରାମରେ ବିତିବ: ଦିନକରେ ତାତି କମିଲା ୭.୩ ଡିଗ୍ରି

ଭୁବନେଶ୍ବର: ଭୁବନେଶ୍ବରରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ସହରବାସୀଙ୍କୁ ଆଶ୍ବସ୍ତି ମିଳିଛି। ଲଗାତାର ଦୁଇଦିନ ଧରି ଜାରି ରହିଥିବା କାଳବୈଶାଖୀ ଜନିତ ପବନ ଓ ବର୍ଷା ପ୍ରଭାବରେ ସହରର ତାପମାତ୍ରା ୨୪ ଘଣ୍ଟା ମଧ୍ୟରେ ୭ ଡିଗ୍ରି ପର୍ଯ୍ୟନ୍ତ ହ୍ରା‌ସ ପାଇଛି। ସୋମବାର ପୂର୍ବାହ୍ନରେ ସହରର ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା, ‌ଆଜିର ସର୍ବୋଚ୍ଚ ତାପମାତ୍ର‌ା ୩୨.୫ ଡିଗ୍ରି ରେକର୍ଡ କରାଯାଇଛି। ଆଜି ସକାଳେ ପାଗ କୋହଲା ରହିବା ସହିତ ସ୍ଥାନେ ସ୍ଥ‌ାନେ ବର୍ଷା ହୋଇଛି। ଲଗାତାର ଭାବେ ୨୧ ଦିନ ହେଲା ସକାଳ ୮ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ସହରର ତାପମାତ୍ରା ୩୨ଡିଗ୍ରି ଉପ‌ରେ ରହୁଥିଲା‌। କିନ୍ତୁ ଆଜି ସକାଳ ସମୟରେ ତାପମାତ୍ରା‌ ୨୫ ଡିଗ୍ରି ତଳକୁ ଖସି ଆସିଥିଲା।

ସୋମବାର କାଳବୈଶାଖୀ ବେ‌ଳେ ୯୧ କିଲୋମିଟର ବେଗରେ ପବନ ବହିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ସହରରେ ୧୪.୭ ମିଲିମିଟର ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗିଥିଲେ ମଧ୍ୟ ବର୍ଷା ଯୋଗୁ ସହରବାସୀଙ୍କୁ ତାତିରୁ ମୁକ୍ତି ମିଳିଛି। କାଳବୈଶାଖୀ କାରଣରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ପରି ବୁଧବାର ମଧ୍ୟ ସହରର ତାପମାତ୍ରା ୩୨ରୁ ୩୩ ଡିଗ୍ରି ରହିବ। ସେହିପରି ୯ ତାରିଖ (ଗୁରୁବାର)ରେ ‌ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ରହିବ। ପରବର୍ତ୍ତି ୪ ଦିନ, ଅର୍ଥାତ୍‌ ୧୩ ତାରିଖ ପର୍ଯ୍ୟନ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଛୁଇଁପାରେ। ସର୍ବନିମ୍ନ ତା‌ପମାତ୍ରା‌ ୨୪ ଡିଗ୍ରି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବରର ଓୟୁଏଟିଠାରେ ଘଣ୍ଟା ପ୍ରତି ୯୧ କିଲୋମିଟର ବେଗରେ ପବନ ହୋଇଥିଲା। ଏହାବ୍ୟତୀତ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି। ବର୍ଷା ହେଉଥିବାରୁ ଭୁବନେଶ୍ବରରେ ଏଭଳି ତାପମାତ୍ରା ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର