ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ରାଜ୍ୟ ମୁଖ୍ୟ ଅଶୋକ ତନଓ୍ଵାର
ଚଣ୍ଡିଗଡ଼: ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପୂର୍ବତନ ରାଜ୍ୟ ମୁଖ୍ୟ ଅଶୋକ ତନଓ୍ଵାର ଶନିବାର ଦଳର ପ୍ରାଥମିକ ସଦସ୍ୟତା ତ୍ୟାଗ କରିଛନ୍ତି। ତନଓ୍ଵାର ଟ୍ଵିଟ୍ରରେ ୪ ପୃଷ୍ଠାର ଏକ ଇସ୍ତଫା ପତ୍ର ଦେଇ ଦଳ ଛାଡ଼ିବା କଥା ଘୋଷଣା କରିଛନ୍ତି। ସେ ତାଙ୍କ ପତ୍ରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି ଯେ ‘କଂଗ୍ରେସ ଦଳ ଯେଉଁ ସଂକଟ ଦେଇ ଗତି କରୁଛି ତାହାର କାରଣ ବିରୋଧୀ ଦଳ ନୁହଁନ୍ତି ବରଂ ଗମ୍ଭୀର ଆଭ୍ୟନ୍ତରୀଣ କନ୍ଦଳ।’
Sambad is now on WhatsApp
Join and get latest news updates delivered to you via WhatsApp
ସେ ତାଙ୍କ ଇସ୍ତଫା ପତ୍ରରେ ଆହୁରି ବି ଲେଖିଛନ୍ତି ଯେ ‘ମୁଁ ଦୀର୍ଘ କେତେ ମାସ ଚିନ୍ତା କରିବା ପରେ ଯାଇ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଏହି ଦଳ ପାଇଁ ମୁଁ ଲହୁଲୁହ ବୁହାଇଛି। ମୋ ଲଢ଼େଇ ବ୍ୟକ୍ତିଗତ ସ୍ତରରେ କାହା ସହ ନୁହେଁ। ମାତ୍ର ସେହି ବ୍ୟବସ୍ଥାର ବିରୋଧରେ ମୋର ଲଢ଼େଇ ଯାହାକି ଏକ ବିଶାଳ ପୁରୁଣା ଦଳକୁ ନଷ୍ଟ କରୁଛି।’
ତାଙ୍କ ଇସ୍ତଫାର କାରଣ ହରିୟାଣାର ସମସ୍ତ କଂଗ୍ରେସ କର୍ମୀ ଜାଣନ୍ତି ବୋଲି ସେ କହିଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଦୀର୍ଘ ସମୟ ଧରି ବିଚାର-ବିମର୍ଶ କରିବା ପରେ ଯାଇ ସେ ଏପରି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।
ନିକଟରେ ତନଓ୍ଵାର ଦଳୀୟ ଟିକେଟ୍ ବଣ୍ଟନରେ ଅନିୟମିତା ଅଭିଯୋଗ କରି ଦିଲ୍ଲୀର ୧୦ ଜନପଥରେ ଥିବା ସୋନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ଦଳର ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ହରିଆଣାର କଂଗ୍ରେସ ମୁଖ୍ୟ ପଦରୁ ହଟାଇ ଦିଆଯାଇ ଥିଲା।