କଟକ: ବାଙ୍ଗାଲୋରରେ ଚାଲିଥିବା ସର୍ବଭାରତୀୟ ମାନ୍ୟତା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଯୁଗଳରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଟ୍ରଫି ହାତେଇଛନ୍ତି। କେ ମନୀଷାଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା ରବିବାର ଫାଇନାଲ୍ରେ ଶୀର୍ଷ ମାନ୍ୟତା ଯୋଡ଼ି ଶିଖା ଗୌତମ ଓ ଅଶ୍ବିନୀ ଭଟ୍ଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୭ରେ ପରାସ୍ତ କରିଦେଇଥିଲେ। ଏହି ମୁକାବିଲା ଜିତିବା ପାଇଁ ଋତୁପର୍ଣ୍ଣା-ମନୀଷାଙ୍କୁ ମାତ୍ର ୪୦ ମିନିଟ୍ ସମୟ ଲାଗିଥିଲା। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳରେ ଅର୍ଜୁନ ଏମ୍ଆର୍ ଓ ମନୀଷା କେ’ଙ୍କ ଯୋଡ଼ି ୧୭-୨୧, ୨୧-୧୩, ୨୧-୧୧ରେ ଡିଙ୍ଗୁ ସିଙ୍ଗ କନ୍ଥୋଉଜାମ୍ଙ୍କୁ, ପୁରୁଷ ଯୁଗଳରେ ଉତ୍କର୍ଷ ଆରୋରା ଓ ସୌରଭ ଶର୍ମାଙ୍କ ଯୋଡ଼ି ୧୪-୨୧, ୨୧-୯, ୨୧-୧୬ରେ କ୍ରିଷ୍ଣା ପ୍ରସାଦ ଜି ଓ ରାମଚନ୍ଦ୍ରନ ଶ୍ଲୋକ ଯୋଡ଼ିକୁ ହରାଇଥିଲେ। ପୁରୁଷ ଏକକରେ ମିଥୁନ୍ ଏମ୍ ୨୧-୧୭, ୨୧-୧୯ରେ କୌଶଳ ଧର୍ମାମରଙ୍କୁ ଓ ମହିଳା ଏକକରେ ଆକର୍ଷି କାଶ୍ୟପ ୨୧-୧୭, ୧୨-୨୧, ୨୧-୯ରେ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ହରାଇ ଟ୍ରଫି ଜିତି ନେଇଥିଲେ।