ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବି କରି ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘ ତରଫରୁ ଏହି ବନ୍ଦ ସଂକ୍ରାନ୍ତରେ ପୂର୍ବରୁ ଘୋଷଣା କରାଯାଇଥିବାରୁ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ଏହାକୁ ସମର୍ଥନ କରିଥିବା ଦେଖାଯାଇଛି। ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଭଳି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ ଓ ବେସକାରୀ କାର୍ଯ୍ୟାଳୟ, କୋର୍ଟ କଚେରି, ସ୍କୁଲ୍ କଲେଜ୍ ଓ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ଜରୁରୀକାଳୀନ ସେବା ନିମନ୍ତେ କେବଳ ଡାକ୍ତରଖାନା ଓ ଔଷଧ ଦୋକାନ ସବୁ ଖୋଲା ରହିଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଏହି ବନ୍ଦ ଡାକରାକୁ ସମର୍ଥନ କରୁଥିଲେ ମଧ୍ୟ ଆଂଶିକ ବନ୍ଦ ପାଳନ କରୁଛି। ସେଠାରେ କେବଳ କୋର୍ଟ ଓ କଚେରି ବନ୍ଦ ରହୁଛି।
ସକାଳ ଛଅଟା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ଛଅଟା ଯାଏଁ ଚାଲିବାକୁ ଥିବା ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଓ ବିଭିନ୍ନ ଆଞ୍ଚଳିକ ସଙ୍ଗଠନ ସମର୍ଥନ କରୁଛନ୍ତି।
ପଶ୍ଚିମଓଡ଼ିଶାର ସମସ୍ତ ଜିଲ୍ଲା ମଧ୍ୟକୁ ଓ ଜିଲ୍ଲା ବାହାରକୁ ସଡ଼କ ଓ ରେଳପଥରେ କୌଣସି ଯାନବାହନ ଚଳାଚଳ କରୁନାହିଁ। ସମ୍ବଲପୁର ଓକିଲ ସଂଘ ତରଫରୁ ଆଜି ସକାଳୁ ସମ୍ବଲପୁର ଜଙ୍କ୍ସନ୍ ଏବଂ ସମ୍ବଲପୁର ସିଟି ଷ୍ଟେସନ୍ରେ ରେଳରୋକ କରାଯାଇଛି।
ହାଇକୋର୍ଟ ବେଞ୍ଚର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆଇନଜୀବୀଙ୍କ ପକ୍ଷରୁ ମଙ୍ଗଳବାର ସମ୍ବଲପୁରରେ ଏକ ବାଇକ୍ ରାଲି ବାହାରିଥିଲା। କଚେରି ଛକରୁ ଏହା ଆରମ୍ଭ ହୋଇ ମ୍ୟୁନିସିପାଲଟି ଛକ, ବଡ଼ବଜାର, କ୍ଷେତରାଜପୁର, ରେମେଡ଼, ବରେଇପାଲି, ଅଇଁଠାପାଲି, ବୁଢାରଜା, ମୁଦିପଡ଼ା, ଜିଲ୍ଲା ସ୍କୁଲ ଛକ ଦେଇ କଚେରି ପର୍ଯ୍ୟନ୍ତ ପହଞ୍ଚିଥିଲା।