ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର : ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତାକାଲି (ଶନିବାର)ଠାରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ଗୋଟିଏ ଦିନରେ ଆରମ୍ଭ ହେଉଥିଲେ ମଧ୍ୟ ଦଶମ ପରୀକ୍ଷା ମାର୍ଚ୍ଚ ୨୦ ଓ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ। ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ୧୪ଟି ବିଷୟର ପରୀକ୍ଷା ରହିଛି। ମାର୍ଚ୍ଚ ୨୦ ତଥା ଶେଷ ଦିନରେ କମ୍ପ୍ୟୁଟର୍ ଆପ୍ଲିକେସନ୍ ଓ ଇନ୍ଫରମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବିଷୟର ପରୀକ୍ଷା ହେବ। ଫେବ୍ରୁଆରି ୨୪ରେ ଓଡ଼ିଆ କିମ୍ବା ଅନ୍ୟାନ୍ୟ ଭାଷାର ପରୀକ୍ଷା ଥିବା ବେଳେ ୨୬ରେ ଇଂରାଜୀ, ୨୯ରେ ହିନ୍ଦୀ, ମାର୍ଚ୍ଚ ୪ରେ ବିଜ୍ଞାନ ବିଷୟର ଥିଓରି ଓ ପ୍ରାକ୍ଟିକାଲ, ମାର୍ଚ୍ଚ ୭ରେ ସଂସ୍କୃତ, ମାର୍ଚ୍ଚ ୧୨ରେ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ୨୩ଟି ବିଷୟର ପରୀକ୍ଷା ରହିଛି। ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷାର ଶେଷ ଦିବସରେ ସାମାଜିକ ବିଜ୍ଞାନ ବିଷୟର ପରୀକ୍ଷା ରହିଛି। ଫେବ୍ରୁଆରି ୨୭ରେ ଇଂରାଜୀ ଇଲେକ୍ଟିଭ୍ ଓ କୋର୍ ବିଷୟର ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୨ରେ ପଦାର୍ଥ ବିଜ୍ଞାନ, ମାର୍ଚ୍ଚ ୫ରେ ଆକାଉଣ୍ଟାନ୍ସି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୧୩ରେ ଅର୍ଥନୀତି, ମାର୍ଚ୍ଚ ୧୪ରେ ଜୀବ ବିଜ୍ଞାନ, ମାର୍ଚ୍ଚ ୧୭ରେ ଗଣିତ, ମାର୍ଚ୍ଚ ୨୮ରେ ବାୟୋଟେକ୍ନୋଲୋଜି ପରୀକ୍ଷା ହେବ। ପ୍ରତିଦିନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ। ବିଷୟ ଅନୁଯାୟୀ, ପରୀକ୍ଷାର ସମୟ ସୀମା ଧାର୍ଯ୍ୟ କରାଯାଇଛି। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଛି। ୧୦ଟା ୧୫ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଏବଂ ପ୍ରଶ୍ନପତ୍ର ଦିଆଯିବ। ପ୍ରଥମେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ସେମାନଙ୍କ ସବିଶେଷ ତଥ୍ୟ ଲେଖିବେ। ଆସିଷ୍ଟାଣ୍ଟ ସୁପରିନ୍ଟେଣ୍ଡେଣ୍ଟମାନେ ତାହାକୁ ଯାଞ୍ଚ କରିବା ସହ ଦସ୍ତଖତ ମାରିବେ। ୧୦ଟା ୧୫ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଢ଼ିବାକୁ ସମୟ ଦିଆଯିବ। ୧୦ଟା ୩୦ରୁ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ ଛାତ୍ରଛାତ୍ରୀ। ଚଳିତବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୯ ହଜାର ଓ ଦ୍ୱାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ଜଣାପଡ଼ିଛି।