ଦେଶବାସୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ସଚିନ
ମୁମ୍ବାଇ : ଦୀର୍ଘ ୨୮ ବର୍ଷ ପରେ ଭାରତ ୨୦୧୧ ମସିହାରେ ଆଇସିସି ଦିକିକିଆ ବିଶ୍ବକପ୍ ଜିତିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଦଳ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ବିଶ୍ବକପ୍ ଟ୍ରଫି ତୋଳି ଧରିଥିଲେ। ଏହା ପରେ ବିଶ୍ବକପ୍ ବିଜେତା ଖେଳାଳିମାନେ ଦଳର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ତୋଳି ଧରି ପଡିଆ ପରିକ୍ରମା କରିଥିଲେ। ଭାରତୀୟ କ୍ରିକେଟ୍କୁ ଦୁଇ ଦଶନ୍ଧି ଧରି ସେବା କରିଥିବା ସଚିନଙ୍କ ଖେଳ ଜୀବନର ଏକ ଅଧୁରା ସ୍ବପ୍ନ ସାକାର ରୂପ ନେଇଥିଲା। ପ୍ରଶଂସକମାନେ ଏହି ଅଭୂଲା ମୁହୂର୍ତକୁ ସର୍ବାଧିକ ଭୋଟ ଦେବାରୁ ସଚିନ ତେନ୍ଦୁଲକର ମର୍ଯ୍ୟଦାଜନକ ଭାବେ ଲୌରିୟସ୍ ପୁରସ୍କାରର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ବିଜେତା ହୋଇଛନ୍ତି। ଦୀର୍ଘ ପ୍ରତୀକ୍ଷା ପରେ ସଚିନ ନିଜର ଷଷ୍ଠ ବିଶ୍ବକପ୍ରେ ହିଁ ଏହି ସ୍ବପ୍ନକୁ ସାକାର କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଲିନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ସଚିନ ତେନ୍ଦୁଲକରଙ୍କୁ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍ ୱ ପୁରସ୍କାର ପ୍ରଦାନ କରିଥିଲେ। ଟେନିସ୍ କିଂବଦନ୍ତି ବୋରିସ ବେକର ପୁରସ୍କାର ଘୋଷଣା କରିଥିଲେ। ‘ବିଶ୍ବକପ୍ ବିଜୟର ମୁହୂର୍ତକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଏହି ପ୍ରତିଯୋଗିତାରେ ଯେତେ ଥର ଖେଳିଥିଲେ ମଧ୍ୟ ମିଶ୍ରିତ ଅନୁଭୂତି ନେଇ ଫେରିବାକୁ ପଡ଼ିଥିଲା। ଖୁବ୍ କ୍ବଚିତ ଦେଶ ଏଭଳି ଉତ୍ସବ ପାଳନ କରିଥାଏ। ମୋ କ୍ରିକେଟ୍ ଯାତ୍ରା ୧୯୮୩ ମସିହାରେ ଆରମ୍ଭ ହୋଇଥିଲା। ବିଶ୍ବକପ୍ ଟ୍ରଫି ହାତରେ ଧରିବା ବେଳେ ଉତ୍ସବ ପାଳନର ଗୁରୁତ୍ବକୁ ବୁଝି ପାରିନଥିଲି। ସମସ୍ତେ ମାତିଯାଇଥିଲେ ବୋଲି ମୁଁ ବି ସାମିଲ ହୋଇଥିଲି। ଏହା ମୋ ପାଇଁ ସବୁଠୁ ଗୌରବମୟ ମୁହୂର୍ତ ଥିଲା। ୨୨ ବର୍ଷ ଧରି କ୍ରିକେଟ୍କୁ ପଶ୍ଚାତଧାବନ କରି ମୁଁ ଆଶା ହରାଇନଥିଲି। ଦେଶବାସୀଙ୍କ ପକ୍ଷରୁ ଟ୍ରଫି ଧରିବାର ମୁହୂର୍ତ ନିଶ୍ଚିତ ବିରଳ’ ବୋଲି ସଚିନ କହିଥିଲେ। ସଚିନ ଏହି ପୁରସ୍କାର େଶଷରେ ଭାରତବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି।