ରାୟପୁର: ମାଓ ଇଲାକାରେ ଦେଖିବାକୁ ମିଳିଲା ହିନ୍ଦୀ ଫିଲ୍ମ କାହାଣୀ ଭଳି ଘଟଣା । ହିନ୍ଦୀ ସିନେମା ‘ନାୟକ’ରେ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଦେଖିବାକୁ ମିଳିଛନ୍ତି । ସେହିଭଳି ଆଦିବାସୀ ଅଧ୍ୟୁଷିତ ମାଓ ଅଞ୍ଚଳରେ ଦେଖିବାକୁ ମିଳିଛନ୍ତି ଗୋଟିଏ ଦିନର ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ସୀମାନ୍ତ ଛତିଶଗଡ କୋଣ୍ଟା ଥାନାରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଯେଉଁଠି ୩ ଜଣ ଆଦିବାସୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ପୁଲିସର କ୍ଷମତା ଦେଇଥିଲା ଛତିଶଗଡ ପୁଲିସ । ଦିନକ ପାଇଁ ଥାନା ଅଧିକାରୀ ଓ ସବ ଇନସପେକ୍ଟର ସାଜିଲେ ୩ ଆଦିବାସୀ ଛାତ୍ରୀ । ମହିଳା ଦିବସରେ ଏଭଳି ଅଭିନବ ଉପାୟରେ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଛି ଛତିଶଗଡ ପୁଲିସ ।
ତେବେ ମାଓ ଉପଦୃତ ସୁକମା ଜିଲ୍ଲା ତଥା ମାଲକାନଗିରି ସୀମାରେ କୋଣ୍ଟା ଥାନାରେ ଗତକାଲି ଦେଖିବାକୁ ମିଳିଛି ଏଭଳି ଚିତ୍ର । ଦିବ୍ୟାଶା ନାମକ ଛାତ୍ରୀ ଦିନକ ପାଇଁ ଥାନା ଅଧିକାରୀ ଭାର ସମ୍ଭାଳି ଥିବାବେଳେ କୋର୍ସା ସପନା ଓ ମଣ୍ଡାବୀ ଐଶ୍ଚର୍ଯ୍ୟା ସବ-ଇନସ୍ପେକ୍ଟର ଦାୟିତ୍ୱ ତୁଲାଇଥିଲେ । ଆଉ ଦିନ ତମାମ ଥାନାର ସମସ୍ତ କାମ କରିଥିଲେ । ପାଟ୍ରୋଲିଂ ଠାରୁ ଆରମ୍ଭ କରି ଯାନବାହାନ ଯାଞ୍ଚ ଯାଏଁ ପୁଲିସର ସବୁତକ କାମ କରିଥିଲେ ଏହି କୁନି ଅଧିକାରୀ ।
ତେବେ ମାଓ ଇଲାକାରେ ଛାତ୍ରଛାତ୍ରୀଙ୍କୁ ନକ୍ସଲଙ୍କ କବଳରୁ ରକ୍ଷା କରିବାକୁ ଆଉ ଲାଲଗଡରେ ମାଓବାଦୀଙ୍କୁ ମୂଳପୋଛ କରିବାକୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଏଭଳି ପଦକ୍ଷେପ ନେଉଛି। ଯାହା ଫଳରେ ପିଲା ପୁଲିସ ଫ୍ରେଣ୍ଡଲି ହେବେ ଆଉ ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବେ ।