ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ସମଗ୍ର ବିଶ୍ବରେ ଅନେକ ପ୍ରାକୃତିକ ଧାରା ଉପରେ କୁପ୍ରଭାବ ପକାଉଛି। ଉଦ୍ଭିଦର ପରାଗ ସଙ୍ଗମ କରାଉଥିବା ସାମାନ୍ୟ ଭଅଁରଟିଏ ବି ଏଥିରୁ ତ୍ରାହି ପାଉନାହିଁ। ମଣିଷଙ୍କ ପରି ସେମାନେ ବି ଜଳବାୟୁ ପରିବର୍ତ୍ତନ ପ୍ରାଦୁର୍ଭାବର ଶିକାର ହେଉଛନ୍ତି। ଉତ୍ତାପ ବୃଦ୍ଧି ପାଉଥିବାରୁ ବିଶ୍ବବ୍ୟାପୀ ଭଅଁରଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା କଥା ଗବେଷଣାରୁ ଜଣାପଡ଼ିଛି। ଏହାର କାରଣ ହେଲା, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସେମାନେ ବଂଶ ବିସ୍ତାର ପାଇଁ ଶୂକକୀଟ ବଢ଼ିବା ଭଳି ବସା ନିର୍ମାଣ କରିବାକୁ ସମର୍ଥ ହେଉନାହାନ୍ତି। ଗବେଷକମାନଙ୍କର ମନେହୁଏ, ସମ୍ଭବତଃ ଭଅଁରମାନେ ବୃଦ୍ଧି ପାଉଥିବା ତାପମାତ୍ରା ସହିତ ଖାପ ଖୁଆଇ ଚଳି ପାରୁନାହାନ୍ତି। ଗବେଷଣାର ମୁଖ୍ୟ ତଥା କାନାଡାସ୍ଥିତ ଗ୍ବେଲ୍ଫ୍ ବିଶ୍ବବିଦ୍ୟାଳୟର ଡକ୍ଟର୍ ପିଟର୍ କେବାନ୍ କହିଛନ୍ତି, ସ୍ବଳ୍ପ ସଂଖ୍ୟକ ଭଅଁର ଶାବକ ବଞ୍ଚିବାର ଆଭାସ ମିଳୁଛି ଯେ, ଏଥିପାଇଁ ସମ୍ଭବତଃ ତାପମାତ୍ରା ବୃଦ୍ଧି ଦାୟୀ। ଭଅଁରମାନେ ଉତ୍ତାପ ସହ୍ୟ କରୁଥିଲେ ବି ସେମାନଙ୍କ ବସାର ତାପମାତ୍ରା ୩୫ ଡିଗ୍ରି ସେଲ୍ସିୟସ୍ ହୋଇଗଲେ ତାହା ଶାବକମାନଙ୍କ ପାଇଁ ପ୍ରାଣନାଶକ ସାବ୍ୟସ୍ତ ହୋଇଥାଏ।
ଅଧିକାଂଶ ଜୀବଜନ୍ତୁ ଓ ଉଦ୍ଭିଦ ପାଇଁ ଅତ୍ୟଧିକ ତାପମାତ୍ରା ଖୁବ୍ ହାନିକାରକ ହୋଇଥାଏ। ତାପମାତ୍ରା ମାତ୍ରାଧିକସ୍ତରକୁ ବୃଦ୍ଧି ପାଇଲେ ଶକ୍ତି ସଞ୍ଚାର ଓ ଜୀବନକ୍ରିୟା ପାଇଁ ଆବଶ୍ୟକ ମୌଳିକ ଉପାଦାନ ନିମନ୍ତେ ପ୍ରାଣୀ ଜୀବକୋଷରେ ଘଟୁଥିବା ରାସାୟନିକ ପରିବର୍ତ୍ତନ ଧାରାରେ ବିଭ୍ରାଟ ଘଟେ ବୋଲି ସେ କହିଛନ୍ତି। ଭଅଁରମାନେ ୩୬ ଡିଗ୍ରି ସେଲ୍ସିୟସ୍ ଉତ୍ତାପ ସହିପାରନ୍ତି, କିନ୍ତୁ ୩୦ରୁ ୩୨ ଡିଗ୍ରି ସେଲ୍ସିୟସ୍ ତାପମାତ୍ରାରେ ବଂଶବୃଦ୍ଧି କରିପାରନ୍ତି ବୋଲି ସୁନିଶ୍ଚିତ କରାଇବାକୁ ଗବେଷକମାନେ ବିଭିନ୍ନ ପ୍ରଜାତିର ଭଅଁରମାନଙ୍କ ଉପରେ ୧୮୦ରୁ ଅଧିକ ବର୍ଷ ମଧ୍ୟରେ ରଚିତ ହୋଇଥିବା ନିବନ୍ଧଗୁଡ଼ିକୁ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ, ଭଅଁରମାନେ ୯୭% ବନଫୁଲର ପରାଗ ସଙ୍ଗମ କରାଇ ପ୍ରାକୃତିକ ଜୈବିକ ଧାରା ପ୍ରବାହରେ ସହାୟତା କରନ୍ତି। ପରାଗ ସଙ୍ଗମ କରାଇ ସେମାନେ ପରୋକ୍ଷରେ ଜୀବଜନ୍ତୁଙ୍କୁ ଆହାର ଓ ବାସସ୍ଥାନ ଯୋଗାଇଥାଆନ୍ତି। ସେମାନଙ୍କ ସଂଖ୍ୟା ହ୍ରାସ ପାଇଲେ ପ୍ରାକୃତିକ ଜୈବିକ ଧାରା ବିପର୍ଯ୍ୟସ୍ତ ହେବା ସୁନିଶ୍ଚିତ।