କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ଦଳଗାଡ଼ିଆ

ମେଣ୍ଢାଶାଳ: ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ମେଣ୍ଢାଶାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାର ପୋତି ହୋଇଯାଇଛି। ଏବେ ଅନାବନା ଗଛ ଓ ଦଳରେ ଏହା ଦଳଗାଡ଼ିଆ ପାଲଟି ଯାଇଛି। ଏହି ପ୍ରକଳ୍ପ ଉପରେ ମେଣ୍ଢାଶାଳ, ଛତାବର ଜାମୁଝରି, ଅରିଶଲ ମଦନପୁର ଆଦି ଗ୍ରାମର ଶତାଧିକ ଚାଷୀ ନିର୍ଭର କରୁଥିଲେ। ଏବେ ବର୍ଷା ଅଭାବ ସମୟରେ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହି ପ୍ରକଳ୍ପ ଉପରେ ଖୋର୍ଦ୍ଧା ନିର୍ବାହୀ ଯନ୍ତ୍ରୀଙ୍କର ଆଦୌ ନଜର ପଡୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅକ୍ଷୟ ତୃତୀୟାରେ ଚାଷୀ ଧାନମୁଠି ଅନୁକୂଳ କରି ଧାନଚାଷ ଆରମ୍ଭ କରିବା କଥା, କିନ୍ତୁ ଏପର୍ଯ୍ୟନ୍ତ ଏହି ଜଳଭଣ୍ଡାରରେ ପାଣି ନାହିଁ। ତେଣୁ କେନାଲ ଶୁଖିଲା ପଡ଼ିଛି। କେନାଲ ମଧ୍ୟ ଅନାବନା ଗଛରେ ପୋତି ହୋଇଯାଇଛି। ପ୍ରଚଣ୍ଡ ଖରା ପାଇଁ ବିଲସବୁ ଶୁଖିଲା ପଡ଼ିଛି। ବିଲରେ ପାଣି ମାଡ଼ିଲେ ଚାଷ କାମ ଆରମ୍ଭ ହେବ। କିନ୍ତୁ ବର୍ଷା ନଥିବାରୁ ବିଲରେ ଲଙ୍ଗଳ ଚାଲିବା ମଧ୍ୟ ବର୍ତ୍ତମାନ କଷ୍ଟକର। ତେଣୁ ଧାନବୁଣା କଥା ଚାଷୀ ଚିନ୍ତା ବି କରି ପାରୁନାହାନ୍ତି।

୧୯୬୮ ମସିହାରେ ଡେରାସ ଜଳଭଣ୍ଡାରରୁ ଆସୁଥିବା ଜଳଧାରା ଉପରେ ମେଣ୍ଢାଶାଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ବନ୍ଧ ନିର୍ମାଣ କରାଯାଇ ଏହି ଜଳଭଣ୍ଡାର ସୃଷ୍ଟି କରାଯାଇଥିଲା। ଜଳଭଣ୍ଡାରର ସ୍ଥିତି ଠିକ୍‌ ଥିବାବେଳେ ଏହାଦ୍ବାରା ଖରିଫ ଋତୁରେ ୨୨୪ ହେକ୍ଟର ଓ ରବି ଋତୁରେ ୪୦ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଏ। ତେବେ ରକ୍ଷଣାବେକ୍ଷଣ ଅଭାବରୁ କାଳକ୍ରମେ ଏହି କ୍ଷୁଦ୍ର ଜଳଭଣ୍ଡାରଟି ଏକପ୍ରକାର ଆକାମୀ ହୋଇ ଯାଇଛି। ବନ୍ଧଠାରୁ ଚାଷଜମିକୁ ପ୍ରାୟ ୫୦୦ ମିଟର ତଳକୁ କେନାଲ ତିଆରି ହୋଇଥିଲେ ହେଁ ଅନାବନା ଘାସ ଓ ଲଟାରେ ପୂର୍ଣ୍ଣହୋଇ ତାହା ଅସ୍ଥିତ୍ବ ହରାଇଛି। ଡ୍ୟାମ୍‌ର ମୁହଁଠାରୁ କେନାଲ ସଫା କରାଯାଇନଥିବାରୁ ଧାନବିଲକୁ ପାଣି ମାଡ଼ିବାରେ ବାଧା ସୃଷ୍ଟି ହେଉଛି। ସେହିପରି ମୁଖ୍ୟ ବନ୍ଧର ଭିତର ଅଞ୍ଚଳ ବାଲିରେ ପୋତି ହୋଇଗଲାଣି। ଏହି ମୁଖ୍ୟ ବନ୍ଧ ପାଇଁ ବାରମ୍ବାର ଟେଣ୍ଡର କରାଯାଉଥିଲେ ସୁଦ୍ଧା କାର୍ଯ୍ୟ ହେଉନାହିଁ। ଚାଷ ସମୟ ଆଗରୁ କେନାଲ ଓ ମୁଖ୍ୟ ଜଳଭଣ୍ଡାର ସଫା କରାନଗଲେ ସ୍ଥାନୀୟ ଅଞ୍ଚଳର ଧାନଚାଷ ସଂପୂର୍ଣ୍ଣ ଭାବେ ବ୍ୟାହତ ହେବା ନିଶ୍ଚିତ। ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ପଦକ୍ଷେପ ନେବାଲାଗି ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର