ଆଜି ଭାରତର କୋଣଅନୁକୋଣରେ ଦ୍ରୁତ ସହରୀକରଣ ଚାଲିଛି। କଂକ୍ରିଟ୍ ଓ ପିଚୁକୁ ବିକାଶର ମାନଦଣ୍ଡ ଭାବେ ଆମେ ଏକପ୍ରକାର ଗ୍ରହଣ କରିନେଇଛୁ। ଅନ୍ୟ ପଟେ ବିକଶିତ ଦେଶମାନଙ୍କରେ ଉତ୍ତପ୍ତୀକରଣର ମୁକାବିଲା ପାଇଁ ଲୋକମାନେ ସହରରେ ପକ୍କା ଚଟାଣକୁ ଉଠାଇଦେଇ ପ୍ରାକୃତିକ ମାଟିର ଚଟାଣ ସୃଷ୍ଟି କରିବାରେ ଲାଗିଛନ୍ତି। ଏହାକୁ ‘ଡିପେଭିଂ’ ବା ‘ଡିସେଲିଂ’ ବୋଲି କୁହାଯାଉଛି। ‘ଡିପେଭିଂ’ ପ୍ରକ୍ରିୟା କେବଳ ଅବିଚାରିତ ସହରୀକରଣ ବିରୋଧରେ ବିଦ୍ରୋହର ଏକ ପ୍ରତୀକାତ୍ମକ ପ୍ରଦର୍ଶନ ନୁହେଁ, ବରଂ ଏହା ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ଯୁଗରେ ଏକ କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା। ବିଶ୍ବର ଅନେକ ସହରରେ ଏବେ ସବୁଜ ଆନ୍ଦୋଳନର ଏକ ଭିନ୍ନ ରୂପ ଦେଖିବାକୁ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିକଶିତ ଦେଶଗୁଡ଼ିକରେ ଉତ୍ତପ୍ତୀକରଣର ମୁକାବିଲା ପାଇଁ ଲୋକମାନେ ସହରରେ ପକ୍କା ଚଟାଣକୁ ଉଠାଇଦେଇ ପ୍ରାକୃତିକ ମାଟିର ଭୂଇଁ ସୃଷ୍ଟି କରିବାରେ ଲାଗିଛନ୍ତି। ଏହାକୁ ‘ଡିପେଭିଂ’ ବା ‘ଡିସେଲିଂ’ ବୋଲି କୁହାଯାଉଛି।
କଂକ୍ରିଟ ଓ ପିଚୁ ମିଶ୍ରଣରେ ଗଢ଼ିଉଠିଥିବା ସହରୀ ଭିତ୍ତିଭୂମିର ଉତ୍ତପ୍ତୀକରଣରେ ଅତିଷ୍ଠ ହୋଇ କିଛି ଉତ୍ସାହୀ ନାଗରିକ ମାଟି ଓ ସବୁଜିମାର ଅପୂରଣୀୟ ମୂଲ୍ୟ ବୁଝି ଏକ ନିରବ ଅଥଚ ଶକ୍ତିଶାଳୀ ଆନ୍ଦୋଳନକୁ ଆଗେଇ ନେଇପାରିଛନ୍ତି। ରାସ୍ତାଘାଟର ଏହି ପୁନଃସବୁଜୀକରଣ ପ୍ରକ୍ରିୟା ଆମ ସମୟର ଜଳବାୟୁ ଆହ୍ବାନର ଏକ ସୁଚିନ୍ତିତ ପ୍ରତିକ୍ରିୟା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଚିନ୍ତାଧାରା ୧୬ବର୍ଷ ତଳେ ୨୦୦୮ ମସିହାରେ ଆମେରିକାର ପୋର୍ଟଲାଣ୍ଡ ସହରରେ ଜନ୍ମ ନେଇଥିଲା। ଆଜି ସେହି ଆନ୍ଦୋଳନର ବିଶ୍ବସ୍ତରୀୟ ଲକ୍ଷ୍ୟ ହେଉଛି: “କଂକ୍ରିଟ୍ ଓ ପିଚୁ ବଦଳରେ ଯଥାସମ୍ଭବ ମାଟି ଓ ସବୁଜିମାର ବ୍ୟବହାର କରିବା।’’ ଏହି ଅଭିଯାନ ରାସ୍ତାଘାଟର ଜଳ ଶୋଷିବା କ୍ଷମତାକୁ ବଢ଼ାଇ ପ୍ରବଳ ବର୍ଷା ସମୟରେ ଆକସ୍ମିକ ବନ୍ୟା ଆଶଙ୍କାକୁ କମାଇବା ସହ ଅଧିକ ଜୈବ ବିବିଧତାକୁ ପ୍ରୋତ୍ସାହିତ କରି ଗୀଷ୍ମ କାଳରେ ଉନ୍ନତ ଛାୟା ଯୋଗାଇପାରୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସହରୀ ସବୁଜିମା ବୃଦ୍ଧି ହେତୁ ସହରବାସୀଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ହେଉଛି।
ସହରୀ ସଭ୍ୟତାରେ ଏହି ପରିବର୍ତ୍ତନକୁ ଆପଣେଇଥିବା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ, ବେଲଜିଅମ୍, ୟୁନାଇଟେଡ୍ କିଙ୍ଗ୍ଡମ୍ ସହରଗୁଡ଼ିକ ଅଧିକ ସୁଖଦ ସ୍ଥାନ ପାଇବା ସହ ପ୍ରବଳ ବର୍ଷାବିତ୍ପାତ ଓ ଗ୍ରୀଷ୍ମ ଲହରି ଭଳି ଚରମ ପାଣିପାଗ ଘଟଣାଗୁଡ଼ିକର ସଠିକ୍ ମୁକାବିଲା କରିହେବ। ଏହି ପ୍ରକ୍ରିୟାର ସୁଫଳ ପାଇବା ଲାଗି ଲୋକମାନେ ସ୍ଥାନୀୟ ସ୍ତରରେ ନିଜ ଲୋକପ୍ରତିନିଧି ଓ ପ୍ରଶାସନ ସହିତ ଆଲୋଚନା କରିବା ଆବଶ୍ୟକ। ସହରର କ୍ଷୁଦ୍ର ଅଞ୍ଚଳରେ ଏହାର ପରୀକ୍ଷଣ କରି ଲୋକମାନେ ଏହାର ସୁଫଳ ଅନୁଭବ କଲାପରେ ଯାଇ ଏହାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଗଲେ ଦୀର୍ଘକାଳୀନ ସୁଫଳ ମିଳିପାରିବ ବୋଲି ବିଶେଷଜ୍ଞମାନଙ୍କ ମତ।