କପିଳେଶ୍ବର ମନ୍ଦିରକୁ ରାଷ୍ଟ୍ରୀୟ ମହତ୍ତ୍ବ ସ୍ମାରକୀ ଘୋଷଣାକୁ ବର୍ଷେ: ପୂର୍ବରୁ ଯେମିତି ଏବେ ବି ସେମିତି

ମନ୍ଦିର-ପାଚେରି ସଫା କରି ଚୁପ୍‌ ବସିଛି ଏଏସ୍‌ଆଇ, ଚଉଡ଼ା ରାସ୍ତାଟିଏ, ବି ଏଯାଏ ହେଲାନି

ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବପୀଠ ହେଉଛି ପୁରୁଣା ଭୁବନେଶ୍ବରର କପିଳେଶ୍ୱର ମନ୍ଦିର। ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ ସ୍ମାରକୀ’ ଘୋଷଣା କରିବାକୁ ବର୍ଷେ ପୂରିଗଲାଣି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନକୁ ଯିବା ପରେ ଏହି ଐତିହ୍ୟପୂର୍ଣ୍ଣ ଅବକ୍ଷୟମୁଖୀ ମନ୍ଦିରର ଭାଗ୍ୟ ବଦଳିବ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ବର୍ଷେ ପରେ ‌ମଧ୍ୟ ସେଭଳି କିଛି ଆଖିଦୃଶିଆ କାମ କରିନାହିଁ ଏଏସ୍‌ଆଇ। ରକ୍ଷଣାବେକ୍ଷଣ ଅଭାବରୁ ପଞ୍ଚଦଶ ଶତାବ୍ଦୀର ଏହି ମନ୍ଦିରଟି ଅନେକ ବର୍ଷଧରି ଅସୁରକ୍ଷିତ ହୋଇ ରହିଛି। କପିଳେଶ୍ବର ମନ୍ଦିର ସମେତ ବେଢ଼ାରେ ଥିବା ପ୍ରଥମ ଓ ଦ୍ବିତୀୟ କପିଳେଶ୍ବର, ମୁଖ୍ୟ ଠାକୁରାଣୀ ଚତୁର୍ଭୁଜା ଦୁର୍ଗା, ମା’ ପାର୍ବତୀ ଓ ଅନ୍ୟ ସମସ୍ତ ମନ୍ଦିରରେ ‘ଷ୍ଟୋନ୍‌-କ୍ୟାନ୍‌ସର୍‌’ ହୋଇସାରିଛି। ଫଳରେ ମନ୍ଦିରରେ ଖୋଦେଇ ହୋଇଥିବା ବିରଳ କାରୁକାର୍ଯ୍ୟସବୁ ଲିଭି ଗଲାଣି। ବର୍ଷ ବର୍ଷ ଧରି ଖରା ଓ ବର୍ଷାରେ ମନ୍ଦିର ଫିକା ପଡ଼ିଗଲାଣି। ସାମାନ୍ୟ ବର୍ଷାହେଲେ ଜଗମୋହନ, ଭଣ୍ଡାରଗୃହ, ନାଟମଣ୍ଡପ, ରୋଷଘର (ଅଛିଣ୍ଡା ପାହାଚ) ସମେତ ଗର୍ଭଗୃହରେ ପାଣି ଗଳୁଛି।  ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ମଣିକର୍ଣ୍ଣିକା ପୁଷ୍କରିଣୀ ଅବହେଳିତ ହୋଇ ପଡ଼ିଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ହେଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଆଖି ବୁଜି ଦେଇଥିଲା।

ମନ୍ଦିର ସୁରକ୍ଷାକୁ ନେଇ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ। ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କପିଳେଶ୍ବର ମନ୍ଦିର ଦାୟିତ୍ବ ଏଏସ୍‌ଆଇ ନେଉ ବୋଲି ଚିଠି ଲେଖିବା ସହ ତା’ ପରଦିନ ହିଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଗତବର୍ଷ ମେ’ ୫ରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଏସ୍‌ଆଇ ଅଧୀନକୁ ଯିବା ପରେ ମନ୍ଦିରର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଏସ୍‌ଆଇ ମଧ୍ୟ ପ୍ରାୟ ସବୁ ମନ୍ଦିର ଓ ପାଚେରୀରେ ଉଠିଥିବା ବର, ଅଶ୍ବତ୍‌ଥ ଗଛକୁ ସଫା କରିଥିଲା। ଏହାକୁ ନେଇ ଅଧିକ ଆଶା ସଂଚାର ହୋଇଥିଲା। ହେଲେ କେବଳ ସେଫେଇକୁ ଛାଡ଼ିଦେଲେ ମନ୍ଦିର ସୁରକ୍ଷା ପାଇଁ ଏଏସ୍‌ଆଇ ଅନ୍ୟ କୌଣସି କାମ କରି ପାରିନାହିଁ।

ଅବଶ୍ୟ ଯେଉଁଠି ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଏଏସ୍‌ଆରଇ କରିପାରୁନାହିଁ, ସେଠି କପିଳେଶ୍ବରଙ୍କ ମନ୍ଦିରର କ’ଣ ସୁରକ୍ଷା ହେବ ବୋଲି ଅନେକ ବୁଦ୍ଧିଜୀବୀ ପରିହାସରେ କହୁଛନ୍ତି। ଅନ୍ୟପଟେ ମନ୍ଦିରକୁ ଭଲରାସ୍ତା ନାହିଁ। ଅଣଓସାରିଆ ଗଳିରାସ୍ତା ପାଇଁ ଏହି ପୀଠକୁ ପର୍ଯ୍ୟଟକମାନେ ଆସିବାକୁ ପସନ୍ଦ କରୁନାହାନ୍ତି। ସାମନ୍ତରାପୁରରୁ ମନ୍ଦିର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯାଇ ଏକ ଚଉଡ଼ା ରାସ୍ତା କରାଯିବ ବୋଲି ରାଜ୍ୟ ସରକାର ଅନେକ କାଳହେଲା କହି ଆସୁଛନ୍ତି। ହେଲେ ଏଯାଏ କାମ ଆରମ୍ଭ ହୋଇନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମନ୍ଦିରରେ ପୂଜାପର୍ବାଣୀ ଓ ନୀତିକାନ୍ତିକୁ ନେଇ ଦୀର୍ଘଦିନ ଧରି ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଭିତରେ ବିବାଦ ଲାଗି ରହିଛି। ଏହାର ପରିଣାମସ୍ବରୂପ ମନ୍ଦିରର ଅନେକ ନୀତି ବନ୍ଦ ହେବାକୁ ବସିଲାଣି।

ସମ୍ବନ୍ଧିତ ଖବର