ଚନ୍ଦ୍ରରେ ପ୍ରଚୁର ଜଳ: ପୂର୍ବ ଆକଳନ ଅପେକ୍ଷା ୮ ଗୁଣା ଅଧିକ ବରଫ

ଆମର ନିକଟତମ ମହାଜାଗତିକ ପିଣ୍ଡ ତଥା ପୃଥିବୀର ଏକମାତ୍ର ପ୍ରାକୃତ୍ରିକ ଉପଗ୍ରହ ଚନ୍ଦ୍ରରେ ଆଗକୁ ଜନବସତି ସ୍ଥାପନ କରିବା ପାଇଁ ବୈଜ୍ଞାନିକମାନେ ଉଦ୍ୟମରତ। କାରଣ ଏହା ଭବିଷ୍ୟତରେ ଜ୍ୟୋତିର୍ବିଜ୍ଞାନ ଓ ସୌର ପ୍ରଣାଳୀର ଅନୁସନ୍ଧାନ ପାଇଁ ଏକ ଆଧାର ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ତେଣୁ ଚନ୍ଦ୍ରପୃଷ୍ଠରେ ଜୀବନଧାରଣର ମୌଳିକ ଉପାଦାନ ଜଳର ଉପଲବ୍‌ଧତା ଉପରେ ଗବେଷଣା ଜାରି ରହିଛି। ଏହି କ୍ରମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ବରଫ ଆକାରରେ ଗଚ୍ଛିତ ଥିବା ଜଳର ଆହୁରି ୫ରୁ ୮ ଗୁଣା ଅଧିକ ଜଳ କଠିନ ଅବସ୍ଥାରେ ମେରୁ ଅଞ୍ଚଳର କେଇ ମିଟର ଗଭୀରତାରେ ଠୁଳ ହୋଇ ରହିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନେ ଜାଣିପାରିଛନ୍ତି।

ଆମେରିକାର ‘ନାସା’ ଦ୍ବାରା ପ୍ରେରିତ ‘ଲୁନାର ରିକନିସାନ୍‌ସ ଅର୍ବିଟର୍‌’ରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ଇସ୍ରୋ ବୈଜ୍ଞାନିକମାନେ ଉକ୍ତ ନିଷ୍କର୍ଷରେ ପହଞ୍ଚିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୦ ମସିହାରେ ଚନ୍ଦ୍ରରେ ବରଫ ଠାବ ହେଲା ପରଠାରୁ ଏହା ବିଭିନ୍ନ ମହାକାଶ ଅଭିଯାନ ପାଇଁ ଏକ ନିରନ୍ତର ଗବେଷଣାର ବିଷୟ ପାଲଟିଛି। ଗତ ଦଶନ୍ଧି ଭିତରେ ବୈଜ୍ଞାନିକମାନେ ଚନ୍ଦ୍ରର ବରଫୀକୃତ ଜଳର ପରିମାଣ ଓ ବିସ୍ତାରକୁ ବୁଝିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଇସ୍ରୋ ବୈଜ୍ଞାନିକମାନଙ୍କ ଏହି ସଦ୍ୟ ଆକଳନ ଚନ୍ଦ୍ରରେ ଭବିଷ୍ୟତ ଜନବସତି ପାଇଁ ଏକ ମୂଲ୍ୟବାନ ଉତ୍ସର ଅବତାରଣା କରିପାରିଛି। ବର୍ତ୍ତମାନ ସୁଦ୍ଧା କେବଳ ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ଗବେଷଣା କେନ୍ଦ୍ରୀଭୂତ ହୋଇଥିବା ବେଳେ ଅପେକ୍ଷାକୃତ ଅନାବିଷ୍କୃତ ହୋଇ ରହିଥିବା ଉତ୍ତର ମେରୁରେ ମଧ୍ୟ ଦୁଇଗୁଣା ବରଫ ରହିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର