ଗୋଟିଏ କାର୍… ୨ ମାଲିକ, ମୂଳ ମାଲିକ ଜାଣନ୍ତିନି
କଟକ: ଗୋଟିଏ କାର୍। କିନ୍ତୁ ମାଲିକ ଦୁଇ ଜଣ। ଅଥଚ କାରର ମୂଳ ମାଲିକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ଏହି କାର୍ କଟକ ଓ ଭୁବନେଶ୍ବର ବାହାରକୁ କେବେ ଯାଇନାହିଁ। ଅଥଚ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଗଜପତି ଜିଲ୍ଲା ପୁଲିସ କାର୍ ବିରୋଧରେ ଡ୍ରାଇଭରଙ୍କ ନିକଟରୁ ଜରିମାନା ଆଦାୟ କରିଛି। ଜରିମାନା ଆଦାୟ ହୋଇଥିବା ଡ୍ରାଇଭରକୁ ବି ମୂଳ ମାଲିକ ଜାଣନ୍ତି ନାହିଁ। ନୂଆ ମଟରଯାନ ଆଇନ ଲାଗୁ ପରେ ପରିବହନ ବିଭାଗକୁ ଆଉ ଏକ ସଂଗିନ ଅଭିଯୋଗ ଆସିଛି। ନିୟମ ଲାଗୁ ହେବାର ୭ ମାସ ମଧ୍ୟରେ ରାଜ୍ୟରେ ଏଭଳି ଭୂତ ମାଲିକ ଓ ଚାଳକଙ୍କ ବିରୋଧରେ ଚାଲାଣ ଇସ୍ୟୁ ମାମଲା ପାଖାପାଖି ୭ଟି ଆସିଲାଣି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠାରେ ତ୍ରୁଟି ରହୁଛି, ସେ ନେଇ ତଦନ୍ତ ହେବାର ଆବଶ୍ୟକତା ରହିଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଭୁବନେଶ୍ବରରେ ରହୁଥିବା ଅଧ୍ୟାପିକା ସୁରଚିତା ପଟ୍ଟନାୟକଙ୍କ ମାରୁତି ସୁଇଫ୍ଟ ଜେଡଏକ୍ସଆଇ (ଓଡି୩୩ଭି-୪୬୧୭) ଗତ ଡିସେମ୍ବର ୨୨ ତାରିଖରେ ଗଜପତି ଜିଲ୍ଲାରେ ସିଟ୍ ବେଲ୍ଟ ପିନ୍ଧି ନଥିବା ଅଭିଯୋଗରେ ୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ଅଥଚ ଏକଥା ଶ୍ରୀମତୀ ପଟ୍ଟନାୟକ ନିଜେ ବି ଜାଣନ୍ତି ନାହିଁ। ଗତ ସପ୍ତାହରେ ଏମ୍. ପରିବହନ ଆବେଦନରେ ନିଜ ଗାଡ଼ି ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଥିବା ବେଳେ ଏଭଳି ଅଦ୍ଭୁତ ଘଟଣା ସାମନାକୁ ଆସିଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଯେଉଁ ନୋଟିସ୍ ତାଙ୍କୁ ଜାରି କରାଯାଇଛି, ସେଥିରେ ଗାଡ଼ିର ମାଲିକ ଭାବେ ଆସ୍କାର ରଞ୍ଜନ କୁମାର ରାଉତଙ୍କୁ ଦର୍ଶାଯାଇଛି। ତେବେ ଗାଡ଼ିର ପ୍ରକୃତ ମାଲିକ ସୁରଚିତା ହୋଇଥିବା ବେଳେ ତାଙ୍କ ଗାଡ଼ି ନମ୍ବରରେ ରଞ୍ଜନ କୁମାର ରାଉତ ନାମଧାରୀ ବ୍ୟକ୍ତିଙ୍କୁ ମାଲିକ ବୋଲି କିଭଳି ଦର୍ଶାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଶ୍ରୀମତୀ ପଟ୍ଟନାୟକ ଗଜପତି ଆରଟିଓ-୨, ଭୁବନେଶ୍ବର ଆରଟିଓ-୨ ଏବଂ କଟକ ପରିବହନ କମିସନଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇ ସାରିଲେଣି। କିନ୍ତୁ ତାଙ୍କୁ ସେଭଳି କୌଣସି ସଠିକ୍ ତଥ୍ୟ ମିଳିପାରୁ ନଥିବା ଅଭିଯୋଗ କରିଛନ୍ତି। ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆ ସକ୍ରିୟ ଥିବା ବେଳେ ଗଞ୍ଜେଇ ଚାଲାଣ ପାଇଁ ନକଲି ନମ୍ବର ବ୍ୟବହାର କରି ଗାଡ଼ି ଚଳାଉଥିବାରୁ ଏଭଳି ଜାଲିଆତି ହୋଇଥିବା ଆଶଙ୍କା କରାଯାଉଛି।