ପ୍ୟାକେଜ୍ର ପେଡ଼ି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା : ଏମ୍ଏସ୍ଏମ୍ଇକୁ ୩ ଲକ୍ଷ କୋଟି
ଆର୍ଥିକ ସଂସ୍ଥାନଙ୍କୁ ୩୦ ହଜାର କୋଟି ସହାୟତା
ବିଦ୍ୟୁତ୍ ବଣ୍ଟନ କମ୍ପାନିଙ୍କୁ ୯୦ ହଜାର କୋଟି
ଇପିଏଫ୍ ବାବଦରେ ମିଳିବ ୯୨୫୦ କୋଟି
ଆୟକରଦାତାଙ୍କ ପାଇଁ ରିହାତି ଘୋଷଣା
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ : କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ ସେଥିରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମଇ)କୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲକ୍ ଡାଉନ୍ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ ଦିଆଯିବ।
ପ୍ରଥମ ପର୍ଯ୍ୟାୟ ପ୍ୟାକେଜ୍ରେ ୬ଟି କ୍ଷେତ୍ର ପାଇଁ ୧୫ ପ୍ରକାର ପଦକ୍ଷେପ ଘୋଷଣା କରିଛନ୍ତି ସୀତାରମଣ। ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ୬ଟି ସୁବିଧା ଘୋଷଣା କରାଯାଇଥିବା ବେଳେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ପାଇଁ ୨ଟି, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ (ଏନ୍ବିଏଫ୍ସି) ଓ ମାଇକ୍ରୋଫାଇନାନ୍ସ ଶିଳ୍ପ (ଏମ୍ଏଫଆଇ) ପାଇଁ ୨ଟି, ବିଦ୍ୟୁତ୍ ବଣ୍ଟନ କମ୍ପାନିଙ୍କ ପାଇଁ ଗୋଟିଏ, ଠିକାଦାରଙ୍କ ପାଇଁ ଗୋଟିଏ, ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ପାଇଁ ଗୋଟିଏ ସମେତ ଟିକସ କ୍ଷେତ୍ର ପାଇଁ ଅବଶିଷ୍ଟ ସୁବିଧା ଘୋଷଣା କରାଯାଇଛି।
ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ, ୨୦ ହଜାର କୋଟି ଟଙ୍କାର ସବଅର୍ଡିନେଟ୍ ଋଣ ଓ ୫୦ ହଜାର କୋଟି ଟଙ୍କାର ଫଣ୍ଡସ୍ ଅଫ୍ ଫଣ୍ଡ୍ ବିଷୟରେ ଘୋଷଣା କରାଯାଇଛି। ସରକାରୀ କ୍ରୟ ପ୍ରକ୍ରିୟାର ଲାଭ ଏମ୍ଏସ୍ଏମ୍ଇ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ବିଶ୍ବ ସ୍ତରୀୟ ଟେଣ୍ଡର୍ ଆହ୍ବାନ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ସରକାର ଏମ୍ଏସ୍ଏମ୍ଇଗୁଡ଼ିକର ସଂଜ୍ଞା ବଦଳାଇ ଦେଇଛନ୍ତି। ନିବେଶ ଏବଂ କାରବାର ଆଧାରରେ ସେମାନଙ୍କ ବର୍ଗୀକରଣ କରାଯାଇଛି।
ସେହିପରି ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ବସ୍ତି ଦେବା ଲାଗି ଆୟକର ରିଟର୍ଣ୍ଣ ଦାଖଲର ସୀମାକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆୟ ଉତ୍ସରୁ ଟିକସ କାଟ (ଟିଡିଏସ୍) ଓ ଉତ୍ସରୁ ଟିକସ ଆଦାୟ (ଟିସିଏସ୍)ରେ ୨୫% ହ୍ରାସ କରାଯାଇଛି। ‘ବିବାଦ ସେ ବିଶ୍ବାସ’ ସ୍କିମ୍ର ଅବଧି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାରୀ ପ୍ୟାକେଜ ଯୋଗୁଁ ୪୫ ଲକ୍ଷ ଏମଏସଏମଇ ଉପକୃତ ହେବେ ବୋଲି କୁହାଯାଉଛି।
ଇପିଏଫ୍ ଲାଗି ୯୨୫୦ କୋଟି ଟଭ୍କାର ସହାୟତା ଘୋଷଣା କରାଯାଇଛି। ବ୍ୟାବସାୟିକ ସଂସ୍ଥା ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ହାତରେ ଅଧିକ ଟଙ୍କା ପହଞ୍ଚାଇବା ଲାଗି ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ବାବଦ ଦେୟକୁ ତିନି ମାସ ଲାଗି ଉଭୟ କଂପାନି ଓ କର୍ମଚାରୀଙ୍କ ପାଇଁ ୧୨%ରୁ ହ୍ରାସ କରି ୧୦ ପ୍ରତିଶତ କରାଯାଇଛି।
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଦ୍ୟୁତ ବଣ୍ଟନ କଂପାନିଗୁଡ଼ିକ ପାଇଁ ୯୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍ସି) ଓ ରୁରାଲ୍ ଇଲେକ୍ଟ୍ରିଫିକେସନ୍ କର୍ପୋରେସନ (ଆରଇସି) ଜରିଆରେ ଏହି ସୁବିଧା ଦିଆଯିବ। ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି),
ହାଉସିଂ ଫାଇନାନ୍ସ ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଲାଭି ମୋଟ ୪୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ୩୦ ହଜାର କୋଟି ଟଙ୍କା ଏନ୍ବିଏଫ୍ସିକୁ ମିଳିବ। ରେଳବାଇ ଭଳି କେନ୍ଦ୍ରୀୟ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କୁ ମଧ୍ୟ କାର୍ଯ୍ୟ ଶେଷ କରିବା ଲାଗି ଅଧିକ ମହଲତ ପ୍ରଦାନ କରାଯାଇଛି। ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକର କଷ୍ଟ ଲାଘବ କରିବା ଲାଗି ରେରା ଅଧୀନରେ ସେମାନଙ୍କ ପାଇଁ କେତେକ ବ୍ୟବସ୍ଥାକୁ କୋହଳ କରାଯାଇଛି।
ଏହି ବୃହତ ପ୍ୟାକେଜ୍ର ପରବର୍ତୀ ଭାଗଗୁଡ଼ିକୁ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଏହା ବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଶ୍ଚାତଗାମୀ ରେପୋ ହାର ଓ ନଗଦ ଜମା ଅନୁପାତ କମ୍ କରି ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ଟଙ୍କା ପହଞ୍ଚାଇବାକୁ ପ୍ରୟାସ କରାଯାଇଥିଲା। ଏହା ବ୍ୟତୀତ ଋଣ ନେଇଥିବା ଗ୍ରାହକଙ୍କୁ ତିନି ମାସର ମୋରାଟୋରିଅମ୍ ସୁବିଧା ମଧ୍ୟ ଦିଆଯାଇଥିଲା।