୧୯୭୨ରୁ ସହରକୁ ଆସୁଥିଲେ ହଜାର ହଜାର ବୁଲ୍ବୁଲ୍
ଠିକଣା ଥିଲା ରାଉରକେଲା ମୁଖ୍ୟ ମାର୍କେଟର ବିଦ୍ୟୁତ୍ ତାର
ଅକ୍ଟୋବରରୁ ଫେବୃୟାରୀ ୫ ମାସର ସାଜୁଥିଲେ ଅତିଥି
Sambad is now on WhatsApp
Join and get latest news updates delivered to you via WhatsApp
ରାଉରକେଲା : ହଜାର ହଜାର ଅତିଥି ପକ୍ଷୀ ‘ବୁଲ୍ବୁଲ୍’ଙ୍କ କିଚିରିମିଚିରି ଶବ୍ଦରେ ଫାଟିପଡୁଥିବା ସହରର ମୁଖ୍ୟମାର୍କେଟ ଏବେ ନିରବୀ ଯାଇଛି। ସଂଧ୍ୟା ହେଲେ ବିଦ୍ୟୁତ୍ ତାରରେ ଦୁଇ ପାର୍ଶ୍ବରେ ଯେଉଁଠି ହଜାର ହଜାର ବୁଲ୍ବୁଲ୍ଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଥିଲା, ସେଠି ଗୋଟିଏ ହେଲେ ଏହି ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳୁନି। କେହି କେହି କହୁଛନ୍ତି ସହରର ଶବ୍ଦ ଓ ବାୟୁ ପ୍ରଦୂଷଣ ଅବା ଡିଜେର ବିକଟାଲ ଶବ୍ଦ ଯୋଗୁଁ ସହରରୁ କୁଆଡେ ଉଭାନ ହୋଇଗଲେ। ଆଉ କେହି ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସେମାନେ ସହର ଛାଡିବାକୁ ବାଧ୍ୟ କଲା ବୋଲି କହୁଛନ୍ତି ।
ମୁସ୍ଲିମ୍ ସମ୍ପ୍ରଦାୟର ଲୋକମାନେ ଏହି ପକ୍ଷୀକୁ ସାଉଦି ଆରବର ‘ଆବାଦୀ’ ପକ୍ଷୀ ବୋଲି କହୁଥିଲେ। ଏମାନଙ୍କୁ ‘ବର୍ଣ୍ଣ ସାଲୋ’ କହୁଥିଲେ। ତେବେ ଗତ ୪୮ ବର୍ଷ ଧରି ରାଉରକେଲା ସହରର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ପ୍ରଜାତି ପକ୍ଷୀଙ୍କ ଠିକଣା ଏବେ କେଉଁଠି କାହାରି ପାଖରେ ଉତ୍ତର ନାହିଁ। କିନ୍ତୁ ବିଦ୍ୟୁତ୍ ତାର ଉପରେ ବସିବାର ଶୈଳୀ ଏବଂ ରାତିରେ ସହରର ମୁଖ୍ୟ ମାର୍କେଟ ସୌନ୍ଦର୍ଯ୍ୟ ବଢ଼ାଉଥିବା ଏହି ପକ୍ଷୀଙ୍କର ଅନେକ ଫଟୋ ସହରବାସୀଙ୍କ ଘର କାନ୍ଥରେ ମୁକସାକ୍ଷୀ ହୋଇ ରହିଛି। କେବଳ ଏତିକି ନୁହେଁ ଆର୍ଏସ୍ପିରେ କାମ କରୁଥିବା ଋଷିୟା, ଇଂଲଣ୍ଡ, ଜାପାନର ଇଞ୍ଜିନିୟରମାନେ ଯେତେବେଳେ ମୁଖ୍ୟ ମାର୍କେଟକୁ ମାର୍କେଟିଂ କରିବାକୁ ଆସୁଥିଲେ, ଏମାନଙ୍କୁ ଦେଖିବାକୁ ଘଡିଏ ଛିଡା ହୋଇଯାଉଥିଲେ। କେବଳ ଛିଡା ହେଉ ନଥିଲେ ବରଂ ନିଜ କ୍ୟାମେରା ଫଟୋ ଉତ୍ତୋଳନ କରିବାକୁ ପଛାଉ ନଥିଲେ।
ବୁଲ୍ବୁଲ୍ ରାଉରକେଲା ଛାଡି ଦେବା ପରେ ମୁଖ୍ୟ ମାର୍କେଟରେ ପୂର୍ବରୁ ଯେମିତି ବ୍ୟବସାୟ ହେଉଥିଲା ସେମିତି ହେଉ ନାହିଁ ବୋଲି କିଛି ବ୍ୟବସାୟୀ କହୁଛନ୍ତି। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପ୍ରତିଷ୍ଠା ହେବାର କିଛି ବର୍ଷ ପରେ ସହରର ମୁଖ୍ୟମାର୍କେଟ ଗଢ଼ି ଉଠିଥିଲା। ୧୯୭୨ ବେଳକୁ ରାଜ୍ୟ ବାହାରୁ ବୁଲ୍ବୁଲ୍ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିଲା। ବିଶେଷ କରି ଥଣ୍ଡା ସମୟ ଅର୍ଥାତ୍ ଅକ୍ଟୋବର ମାସ ଆରମ୍ଭରେ ବୁଲ୍ବୁଲ୍ ସହରକୁ ଆସୁଥିଲେ। ସେମାନେ ପ୍ରଥମେ ମୁଖ୍ୟ ମାର୍କେଟ ନିକଟରେ ଥିବା ମସ୍ଜିଦ୍ ଚତୁଃପାର୍ଶ୍ବକୁ ସୁରକ୍ଷିତ ଠିକଣା ଭାବି ସେଠାରୁ ରହୁଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟା ବାଜିଲା ମାତ୍ରେ ଆକାଶରେ ଧାଡ଼ି ବାନ୍ଧି ନୀଡକୁ ଫେରିଲା ପରି ମସ୍ଜିଦ୍ ଚତୁଃପାର୍ଶ୍ବ ବିଦ୍ୟୁତ୍ ତା’ର ଉପରେ ବସୁଥିଲେ। ରାତି ତମାମ ବିଦ୍ୟୁତ୍ ତାର୍ ଉଭୟ ପାର୍ଶ୍ବରେ ପରସ୍ପରକୁ ମୁହଁ କରି ଧାଡି ବାନ୍ଧି ବସୁଥିଲେ। ଭୋର ପ୍ରାୟ ସାଢ଼େ ୪ଟା ଅର୍ଥାତ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଖାଦ୍ୟ ସନ୍ଧାନରେ କେଉଁଆଡେ ଯାଉଥିଲେ। ପୁଣି ସଂଧ୍ୟାରେ ଆସି ବିଦ୍ୟୁତ୍ ତାର ଉପରେ ସେହି ଜାଗାରେ ବସୁଥିଲେ। ମସ୍ଜିଦ୍ ପରେ ସେମାନେ ନାଲାରୋଡ ମାର୍କେଟ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ପୁରୁଣା ବସ୍ଷ୍ଟାଣ୍ଡ ମାର୍କେଟ ସମ୍ମୁଖରେ ଯାଇଥିବା ବିଦ୍ୟୁତ୍ ତାରରେ ବସିବା ଆରମ୍ଭ କରିଥିଲେ। ଧୀରେ ଧୀରେ ରାଉରକେଲା ଡେଲିମାର୍କେଟରୁ ବିଶ୍ରାରୋଡ ରାଧିକା ହୋଟେଲ ପର୍ଯ୍ୟନ୍ତ ପ୍ରାୟ ୩ କି.ମି. ଦୂର ପର୍ଯ୍ୟନ୍ତ ଧାଡିରେ ବସୁଥିଲେ। ରାତିରେ ମାର୍କେଟିଂ କରିବାକୁ ଯେତେ ଲୋକ ଆସୁଥିଲେ ସମସ୍ତେ ଲମ୍ବା ଧାଡିରେ ବସିବା ଓ କିଚିରିମିଚିର ଶବ୍ଦ ଶୁଣିବାକୁ କ୍ଷଣିକେ ଅଟକି ଯାଉଥିଲେ।
ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ବିଲାଲ୍ ଅହମ୍ମଦ କୁହନ୍ତି ଆବାଦି ପକ୍ଷୀ ସହରରୁ ୨ ବର୍ଷ ହେଲାଣି କୁଆଡେ ଚାଲିଗଲେଣି। ଯେତେବେଳେ ମସ୍ଜିଦ୍ରେ ନମାଜ ପଢ଼ିବା ଆରମ୍ଭ ହୁଏ ସେତେବେଳେ ପକ୍ଷୀମାନେ ଧାଡ଼ିବାନ୍ଧି ବିଦ୍ୟୁତ୍ ତାର ଉପରେ ବସିବା ଆରମ୍ଭ କରୁଥିଲେ। ରାତିସାରା ରହିବା ପରେ ଭୋର ପ୍ରାୟ ସାଢ଼େ ୫ଟାରେ ମସ୍ଜିଦ୍ରେ ନମାଜ ପଢ଼ିବା ଆରମ୍ଭ ହେବା ମାତ୍ରେ ଚାଲି ଯାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେମିତି ଅନ୍ୟ ପକ୍ଷୀମାନେ ସଂଧ୍ୟା ହେଲେ ନିଜ ନିଜ ବସାକୁ ଫେରି ଆସନ୍ତି, ଏମାନେ ସେହିପରି ଯେଉଁସ୍ଥାନରେ ବସିଥାନ୍ତି ଠିକ୍ ସେହି ସ୍ଥାନରେ ବସୁଥିଲେ। ଡେଲିମାର୍କେଟର ଦେବ ବିହାର, ରଣଜିତ ନାୟକ ସମେତ ଅନ୍ୟ ବ୍ୟବସାୟୀ କୁହନ୍ତି ରାତି ହେଲେ ମୁଖ୍ୟ ବଜାର ଏମାନଙ୍କ କଳରବରେ ମାର୍କେଟ ଫାଟି ପଡୁଥିଲା। ଦୁଇ ବର୍ଷ ହେଲା କିନ୍ତୁ ଏମାନଙ୍କୁ ଆଉ ଦେଖିବାକୁ ମିଳୁନି।