ଭୁବନେଶ୍ୱର : ରାଜଧାନୀର କୌଣସି ହୋଟେଲ, ଠେଲା, ଷ୍ଟଲ୍ ନିକଟରେ ଛିଡ଼ା ହୋଇ ଖାଇବାକୁ ବିଏମ୍ସି ଅନୁମତି ଦେଇନି। କେବଳ ସେମାନେ ପାର୍ସଲ ଦେଇପାରିବେ। ଯଦି କେହି ଠେଲା ବା ରାସ୍ତା କଡ଼ ଦୋକାନରେ ଛିଡ଼ା ହୋଇ ଖାଉଥିବା ଦେଖାଯିବ ତେବେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ ସହ ସିଲ୍ କରାଯିବ। ଏନେଇ ବିଏମ୍ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଖୁବ୍ ଶୀଘ୍ର ଜୋନାଲ ଡେପୁଟି କମିସନରମାନେ ଏନେଇ ପଦକ୍ଷେପ ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଏମ୍ସି କମିସନର କହିଛନ୍ତି ଯେ, ଚାଟ୍ ଦୋକାନ, ଗୁପଚୁପ୍ ଦୋକାନ, ଜଳଖିଆ ଦୋକାନଗୁଡ଼ିକୁ କେବଳ ପାର୍ସଲ ବିକିବାକୁ ଅନୁମତି ଦିଆଯାଇଛି। ଲୋକମାନେ ଏଠାରେ ଛିଡ଼ା ହୋଇ ଖାଇବାକୁ ମନା କରାଯାଇଛି। କିନ୍ତୁ କେହି ଏହି ନିୟମ ମାନୁନାହାନ୍ତି। ସେମାନଙ୍କ ଜୀବନ ଜୀବିକାକୁ ଦେଖି ଆମେ ଦୋକାନ ଖୋଲିବାକୁ ଅନୁମତି ଦେଇଛୁ। ହେଲେ ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍ କରାଯିବ। କୌଣସି ବ୍ୟବସାୟୀ ଦୋକାନ ନିକଟରେ ଖାଇବାକୁ ପ୍ରଶ୍ରୟ ଦିଅନ୍ତୁନି। ସାଧାରଣ ଲୋକ ବି ଏଠାରୁ ପାର୍ସଲ ନେଇ ଘରେ ଖାଆନ୍ତୁ। ସେହିପରି କୌଣସି ଚା’ ଦୋକାନରେ ଛିଡ଼ା ହୋଇ ଚା’ ପିଇବାକୁ ଅନୁମତି ଦିଆଯାଇନି। ଏଠାରେ ଲୋକ ଖଟି କରି, ଏକାଠି ଛିଡ଼ା ହୋଇ ଚା’ ପିଉଛନ୍ତି। ତେଣୁ ଏହିଭଳି ସ୍ଥିତି ଯେଉଁଠି ଦେଖାଯିବ ସେଠାରେ ଦୋକାନୀ ଓ ଗ୍ରାହକଙ୍କ ଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ଦୋକାନ ବନ୍ଦ କରିଦିଆଯିବ।