କୋଭିଡ୍ ବଦଳାଇଛି ଖର୍ଚ୍ଚ କରିବାର ଶୈଳୀ, ବଦଳିଛି ପସନ୍ଦ
ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ଭାରତ ସମେତ ବିଶ୍ବର ଅନେକ ଦେଶରେ କୋଟି କୋଟି ଲୋକଙ୍କର ଖର୍ଚ୍ଚ କରିବାର ଶୈଳୀ ବଦଳାଇଦେଇଛି। ଏହି ଘାତକ କରୋନାଭୂତାଣୁ କେବଳ ଯେ ଲୋକଙ୍କ ଖର୍ଚ୍ଚରେ ପରିବର୍ତ୍ତନ ଆଣିଛି ତାହା ନୁହେଁ, ସେମାନଙ୍କ ପସନ୍ଦକୁ ମଧ୍ୟ ଢେର ପ୍ରଭାବିତ କରିଛି। ନିଜର ସ୍ବାସ୍ଥ୍ୟ ଏବଂ ରୋଗପ୍ରତିରୋଧକ କେମିତି ବଢ଼ାଇବେ, ସେ ଦିଗରେ ଆବଶ୍ୟକ ଉତ୍ପାଦ କିଣିବାରେ ଅନେକ ମନୋନିବେଶ କରିଥିଲେ। ସେହିପରି ଘରେ ଘରେ ପରିଷ୍କାର ପରିଚ୍ଛନ୍ନ ରହିବା ଲାଗି ଉଦ୍ଦିଷ୍ଟ ସାମଗ୍ରୀଗୁଡ଼ିକ ଖଞ୍ଜା ହୋଇ ରହିଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଯେହେତୁ ବାହାରେ ଖାଇବା ସମ୍ଭବ ନୁହେଁ, ସୁତରାଂ ଦେଶରେ ପୁଷ୍ଟିକର ପୁଡ଼ିଆ ଖାଦ୍ୟଗୁଡ଼ିକର ଯଥେଷ୍ଟ ଚାହିଦା ବଢ଼ିଯାଇଥିବା ଜଣାଯାଇଛି। ଏଥି ସହିତ ଘର ଭିତରେ ପ୍ରାୟ ସମୟ କାଟିବାକୁ ପଡୁଥିବାରୁ ଡିଜିଟାଲ୍ ସେବାରେ ମଧ୍ୟ କିଛି ଖର୍ଚ୍ଚ କରିବାକୁ ଲୋକେ କୁଣ୍ଠାବୋଧ କରିନାହାନ୍ତି। ଟିକାଟିଏ ବଜାରକୁ ଆସିବା ଯାଏ ଲୋକଙ୍କ ଚଳଣିରେ ଏହି ପରିବର୍ତ୍ତନ ଜାରି ରହିଥିବ ବୋଲି ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲମବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡାବର ଓ ହିମାଳୟ ଭଳି ଆୟୁର୍ବେଦ କମ୍ପାନି ଦ୍ବାରା ପ୍ରସ୍ତୁତ ଚ୍ୟବନପ୍ରାସର ବିକ୍ରି ଗତ ଜୁନ୍ ମାସରେ ୨୮୩ ପ୍ରତି ଶତ ବଢ଼ିଯାଇଛି। ସେହିପରି ମହୁର ବିକ୍ରିବୃଦ୍ଧି ୩୯ ପ୍ରତିଶତ ଘଟିଛି। ଏପରିକି ଡାବର ଚ୍ୟବନପ୍ରାସର ଚାହିଦା ଏପ୍ରିଲରୁ ଜୁନ୍ ଭିତରେ ୭୦୦ ପ୍ରତିଶତ ବଢ଼ିଥିବା କମ୍ପାନି ସୂତ୍ରରୁ ଜଣାଯାଇଛି। ମ୍ୟାଗି ନୁଡଲ୍ସ ଏବଂ କିଟ୍କାଟ୍ ଓ ମୁଞ୍ଚ୍ ଚକୋଲେଟ୍ ପ୍ରସ୍ତୁତ କରୁଥିବା ନେସଲେ କମ୍ପାନିର ରାଜସ୍ବ ୧୦ ପ୍ରତିଶତ ବଢ଼ିଛି। ସେହିପରି ବ୍ରିଟାନିଆ ଓ ପାର୍ଲେ ବିସ୍କୁଟଗୁଡ଼ିକର ବିକ୍ରି ଅଭୂତପୂର୍ବ ଭାବେ ବଢ଼ିଯାଇଛି। ସେହିପରି ଡିଜିଟାଲ୍ ସେବାର ମଧ୍ୟ ଅହେତୁକ ଚାହିଦା ବଢ଼ିଯାଇଛି। ଅନେକ ନୂଆ ଛାତ୍ର ଅନ୍ଲାଇନ୍ ଶିକ୍ଷଣକୁ ଆଦରି ନେଇଛନ୍ତି। ସେଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍ର ଚାହିଦା ମଧ୍ୟ ତଦନୁସାରେ କଳ୍ପନାତୀତ ହୋଇଛି। ସେହିପରି ଜୁଇସର, ଗ୍ରାଇଣ୍ଡର, ଟୋଷ୍ଟର, ମାଇକ୍ରୋଓଭେନ୍ ପରି ଅତ୍ୟାଧୁନିକ ରୋଷେଇ ସରଞ୍ଜାମଗୁଡ଼ିକର ମଧ୍ୟ ଭଲ ବିକ୍ରିବଟା ହୋଇଥିବା ଜାଣିବାକୁ ମିଳିଛି।