ତୃତୀୟ ପର୍ଯ୍ୟାୟରେ ୬୩.୨୭% ମତଦାନ: ଆସାମରେ ସର୍ବାଧିକ ୭୪.୮୬% ମତଦାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନମଣ୍ଡଳୀରେ ଆଜି ମତଦାନ ହୋଇଛି। ଆଜି ରାତି ୧୦ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ୬୩.୨୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଆସାମରେ ସର୍ବାଧିକ ୭୪.୮୬ ପ୍ରତିଶତ ମତଦାନ ହୋଇଛି। ସାମାନ୍ୟ ବର୍ଷା ସତ୍ତ୍ବେ ଆଜି ଆସାମରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି। ଆସାମ ପଛକୁ ପଶ୍ଚିମବଙ୍ଗରେ ୭୩.୯ ପ୍ରତିଶତ ଏବଂ ଛତିଶଗଡ଼ରେ ୬୬.୮୭ ପ୍ରତିଶତ ମତଦାନ ହୋଇଛି। ଜମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍‌ ଥିଲା। କିନ୍ତୁ ଖରାପ ପାଗ ପାଇଁ ଉକ୍ତ ଆସନରେ ଆଜି ମତଦାନ ସ୍ଥଗିତ ରହିଛି। ମେ’ ୨୫ ତାରିଖରେ ଏହି ଆସନରେ ଭୋଟ୍‌ ଗ୍ରହଣ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍‌ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂ‌ପେନ୍ଦ୍ର ପଟେଲ ମଧ୍ୟ ଆଜି ଭୋଟ୍‌ ଦେଇଛନ୍ତି। ବିଜେପିର ପ୍ରଭାବ ଥିବା ଅନେକ ଆସନରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି। ଆଜି ଭୋଟ୍‌ ଗ୍ରହଣ ହୋଇଥିବା ଆସନଗୁଡ଼ିକରୁ ୭୨ଟି ଆସନରେ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଜିତିଥିଲା। ଏହି ଆସନ ଗୁଡ଼ିକରୁ କେବଳ ୨୬ଟି ଆସନ ଗୁଜରାଟରେ ଅଛି। ବିଜେପି ଭଲ କରିଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ଅଛି। କିନ୍ତୁ ବିଜେପିର ସହଯୋଗୀ ଦଳ ଜେଡିଏସ୍‌ (ଜନତା ଦଳ ସେକ୍ୟୁଲାର) ନେତାଙ୍କ ସମ୍ପୃକ୍ତି ଥିବା‌ ଯୌନ କେଳେଙ୍କାରୀ ମାମଲା ବିଜେପି ପାଇଁ ଚଳିତ ଥର ସାମାନ୍ୟ ଅଡ଼ୁଆ ସୃଷ୍ଟି କରିପାରେ। କିନ୍ତୁ ବିଜେପି ଏହି ମାମଲାରୁ ନିଜକୁ ଦୂରେଇ ରଖିଛି।

ତୃତୀୟ ପର୍ଯ୍ୟାୟରେ ଆସାମରେ ୪ ଆସନ, ବିହାରରେ ୫, ଛତିଶଗଡ଼ରେ ୭, ଗୋଆରେ ୨, ଗୁଜରାଟରେ ୨୬, କର୍ଣ୍ଣାଟକରେ ୧୪, ମଧ୍ୟପ୍ରଦେଶରେ ୮, ମହାରାଷ୍ଟ୍ରରେ ୧୧, ଉତ୍ତରପ୍ରଦେଶରେ ୧୦, ପଶ୍ଚିମବଙ୍ଗରେ ୪, ଦାଦ୍ରା ଏବଂ ନଗର ହାବେଳି ଓ ଡାମନ ଏବଂ ଡିୟୁ‌ରେ ୨ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟ‌ରେ ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଗୁଜରାଟ ଗାନ୍ଧିନଗର ଆସନରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ଗୁନା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକ ଧାରୱାଡ଼ ଆସନରୁ ପ୍ରହ୍ଲାଦ ଯୋଶୀ ଏବଂ ମଧ୍ୟପ୍ରଦେଶ ବିଦିଶା ଆସନରୁ ଶିବରାଜ ସିଂହ ଚୌହାନ। ତୃତୀୟ ପର୍ଯ୍ୟାୟରେ ଥିବା ପ୍ରମୁଖ ବିରୋଧୀ ସଦସ୍ୟମାନେ ହେଉଛନ୍ତି ଉତ୍ତରପ୍ରଦେଶ ମୈନପୁରୀର ସମାଜବାଦୀ ପାର୍ଟି ସଦସ୍ୟ ଡିମ୍ପଲ ଯାଦବ ଏବଂ ପଶ୍ଚିମବଙ୍ଗର ବହରମପୁର ଆସନରୁ ଅଧୀର ରଂଜନ ଚୌଧୁରୀ, ମଧ୍ୟପ୍ରଦେଶ ରାଜଗଡ଼ରୁ ଦିଗବିଜୟ ସିଂହ, ମହାରାଷ୍ଟ୍ର ବାରାମତିରୁ ଏନସିପି ନେତ୍ରୀ ସୁପ୍ରିୟା ସୁଲେ।

ସମ୍ବନ୍ଧିତ ଖବର