ନୂଆଦିଲ୍ଲୀ: ବିଟ୍କଏନ୍ ଭଳି ଭର୍ଚୁଆଲ କରେନ୍ସିରେ ନିବେଶ କରୁଥିବା ଭାରତୀୟମାନଙ୍କୁ କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି। ଭର୍ଚୁଆଲ କରେନ୍ସିରେ ନିବେଶ କରିବା ପଞ୍ଜି ସ୍କିମ୍ରେ ନିବେଶ କରିବା ଭଳି। ଏଭଳି ମୁଦ୍ରାକୁ କୌଣସି ପ୍ରକାର ଆଇନଗତ ସୁରକ୍ଷା ଦିଆଯାଇ ନାହିଁ କିମ୍ବା ଏହି ମୁଦ୍ରାର କୌଣସି ସୁରକ୍ଷା ନାହିଁ। ଏହାକୁ ସରକାର କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କ କେହି ମଞ୍ଜୁରି ଦେଇ ନାହାଁନ୍ତି। ତେଣୁ ଏଥିରେ ନିବେଶ କରିବା ହାନିକାରକ ବୋଲି ସରକାର ସତର୍କ କରାଇ ଦେଇଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଏହି ମୁଦ୍ରାରେ ନିବେଶ କରିବା ଦ୍ୱାରା ଖୁଚୁରା ନିବେଶକମାନେ ହଠାତ୍ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କ କଷ୍ଟଲବ୍ଧ ଅର୍ଥ ମଧ୍ୟ ବୁଡ଼ି ଯାଇପାରେ। ତେଣୁ ଏଭଳି ପଞ୍ଜିି ସ୍କିମ୍ର ଜାଲରେ ନିବେଶ ନକରିବାରୁ ଯେଭଳି ରକ୍ଷା ପାଇବେ ସେ ନେଇ ଅତ୍ୟଧିକ ସତର୍କ ରହିବାକୁ କୁହାଯାଇଛି। ଭର୍ଚୁଆଲ କରେନ୍ସିକୁ ଡିଜିଟାଲ କରେନ୍ସି ଭାବେ ଷ୍ଟୋର କରାଯାଉଛି। ତେଣୁ ଏଥିପ୍ରତି ହ୍ୟାକିଂ, ପାସଓ୍ଵାର୍ଡ ଚୋରି ଏବଂ ଭାଇରସ୍ ଆକ୍ରମଣ ଭଳି ଭୟ ରହିଛି। ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଯେ ବିଟ୍କଏନ୍ ସମେତ ଅନ୍ୟ ଭର୍ଚୁଆଲ କରେନ୍ସି (କ୍ରିପ୍ଟୋକରେନ୍ସି)ର ମୂଲ୍ୟ ସମ୍ପୂର୍ଣ୍ଣଭାବେ ଅଟକଳ ଉପରେ ଆଧାରିତ। ଏଥିଯୋଗୁଁ ଏହାର ମୂଲ୍ୟରେ ଏତେ ମାତ୍ରାରେ ହ୍ରାସ ବୃଦ୍ଧି ଘଟୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ପୂର୍ବରୁ ରିଜର୍ଭ ବ୍ୟାଙ୍କ କ୍ରିପ୍ଟୋକରେନ୍ସି ନେଇ ୩ ଥର ସତର୍କ ସୂଚନା ଜାରି କରିସାରିଛି। ୨୦୧୩ ଡିସେମ୍ବର, ୨୦୧୭ ଫେବ୍ରୁଆରି ଏବଂ ଚଳିତମାସରେ ଏହି ସତର୍କ ସୂଚନା ଜାରି କରାଯାଇଛି।