ଅପରାଧ… ଅଘଟଣ ଓ ଦୁର୍ଘଟଣା। ବର୍ଷତମାମ ଏହି ତିନିଟି ଶବ୍ଦ ସହ ଅଭ୍ୟସ୍ତ ହୋଇଯାଇଥିଲେ ରାଜ୍ୟବାସୀ। ଗଣମାଧ୍ୟମର ବାରମ୍ବାର ପୃଷ୍ଠା ମଣ୍ଡନ କରୁଥିଲା ଏହି ସମ୍ପର୍କିତ ଖବର। ତା’ ଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ମଧ୍ୟ ଚର୍ଚାର ବିଷୟ ଥିଲା। ଫେସବୁକ୍ରେ ରାମଙ୍କୁ ଅଶ୍ଳୀଳ କମେଣ୍ଟ ଲେଖି ଛାଡ଼ ଦେବାରୁ ଭଦ୍ରକ ସହରରେ ସୃଷ୍ଟି ହୋଇଥିଲା ସାମ୍ପ୍ରଦାୟିକ ଦଙ୍ଗା। ୩ ଦିନ କାଳ ଜଳିଥିଲା ସହର। କେବଳ ଏତିକି ନୁହେଁ, ଏହି ସୋସିଆଲ ମିଡିଆରେ ବାରିପଦାର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମର ଭାଇରାଲ ଭିଡିଓ ରାଜ୍ୟବାସୀଙ୍କୁ ବିଚଳିତ କରିଥିଲା। ଏଭଳି ଅନେକ ଘଟଣା ଘଟି ଚାଲିଛି। କିନ୍ତୁ ପୁଲିସ ଭାଇରାଲ୍ ଭିଡିଓ ଘଟଣାକୁ ଏତେଟା ଗୁରୁତ୍ୱ ଦେଇନାହିଁ। ରାଜ୍ୟରେ ସାଇବର ଅପରାଧ ବଢ଼ି ବଢ଼ି ଚାଲିଥିବାବେଳେ ଯେମିତି ହୁଗୁଳା ହୋଇଯାଇଛି ପୁଲିସ। କୋଟି କୋଟି ଟଙ୍କା ଚିଟ୍ଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ଜେଲ୍ରେ ଥିବା ବହୁ ଅଭିଯୁକ୍ତ ଚଳିତ ବର୍ଷ କୋର୍ଟରେ ନିଜନିଜ ଦୋଷ ସ୍ୱୀକାର କରିଛନ୍ତି। ସେହିପରି ସିସୋର ଓ ରୋଜଭ୍ୟାଲି ଚିଟ୍ଫଣ୍ଡ ଠକେଇ ଘଟଣାରେ ଅଭିଯୁକ୍ତ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଓ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିବା ଘଟଣା ମଧ୍ୟ ସାରା ଦେଶରେ ଚର୍ଚାର ବିଷୟ ପାଲଟିଥିଲା। ବର୍ଷ ଶେଷ ଆଡ଼କୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧୀନ କୁନ୍ଦୁଲିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା। ତେବେ ଏହି ମାମଲା ଏବେବି ରହସ୍ୟମୟ ହୋଇ ରହିଛି। ଏଭଳି କେତୋଟି ଚର୍ଚିତ ଖବରକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
Sambad is now on WhatsApp
Join and get latest news updates delivered to you via WhatsApp
ଉପସ୍ଥାପନା: ତାପସ ଦାସ, ଅଳଙ୍କରଣ: ରବିନାରାୟଣ ସାହୁ
ଏନ୍କାଉଣ୍ଟରର ବର୍ଷ : ଗଞ୍ଜାମ, ବ୍ରହ୍ମପୁର ଓ କଟକରେ ଦୁର୍ଦାନ୍ତ ଅପରାଧୀ ଘାଇଲା
ବର୍ଷ ୨୦୧୭ ଥିଲା ଏନ୍କାଉଣ୍ଟର ବର୍ଷ। ଓଡ଼ିଶା ପୁଲିସ ଦୁର୍ଦାନ୍ତ ଅପରାଧୀଙ୍କୁ ମୂଳପୋଛ କରିବା ପାଇଁ ବର୍ଷ ଆରମ୍ଭରୁ ହୋଇଥିଲା ଅଭିଯାନ। ଗଞ୍ଜାମ ପୁଲିସ ଏନ୍କାଉଣ୍ଟରେ ରେକର୍ଡ କରିଛି ଚଳିତ ବର୍ଷ। ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ପାଖାପାଖି ୩୮ରୁ ଅଧିକ ଦୁର୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଛି। କେବଳ ଗଞ୍ଜାମ କାହିଁକି, ପୁରୀ, ଜଗତସିଂହପୁର ଓ କଟକ ପୁଲିସ ମଧ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର କରି ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲେ। କିନ୍ତୁ ଭୁବନେଶ୍ୱର ପୁଲିସ ଚଳିତ ବର୍ଷ ଦୁର୍ଦାନ୍ତ ଅପରାଧୀଙ୍କ ଏନ୍କାଉଣ୍ଟର କରିବାରେ ସେତେଟା ସଫଳତା ପାଇନାହିଁ।
ନକ୍ସଲଙ୍କ ବିସ୍ଫୋରଣରେ ୮ ପୁଲିସ ସହିଦ
ବର୍ଷର ପ୍ରଥମ ଭାଗରେ ନକ୍ସଲଙ୍କ ଟାର୍ଗେଟରେ ଥିଲେ ପୁଲିସ ଫୋର୍ସ। ଓଡ଼ିଶା-ଆନ୍ଧ୍ର ସୀମା ସୁଙ୍କୁରି ମୁଙ୍ଗାରିମା ଗାଁ ନିକଟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଓଡ଼ିଶା ପୁଲିସର ୮ ଯବାନ ସହିଦ ହୋଇଥିଲେ। କୋରାପୁଟ ପୁଲିସର ଏକ ଭ୍ୟାନ୍ ୧୩ ଜଣ କର୍ମଚାରୀଙ୍କୁ ନେଇ କଟକ ଅଭିମୁଖେ ଆସୁଥିଲେ। ସମସ୍ତେ କଟକରେ ଡ୍ରାଇଭିଂ ତାଲିମ ନେଇଥାନ୍ତେ। କିନ୍ତୁ ସଙ୍କୁରିଠାରେ ନକ୍ସଲମାନେ ଏକ କଲଭଟ୍ ତଳେ ଲ୍ୟାଣ୍ଡ ମାଇନ୍ ଖଞ୍ଜି ତାକୁ ଉଡ଼ାଇ ଦେଇଥିଲେ। ଫଳରେ ଭ୍ୟାନଟି ୫ ଫୁଟ ଉପରକୁ ଉଠି ଘାଟିରୁ ତଳକୁ ଖସି ପଡ଼ିଥିଲା। ନକ୍ସଲଙ୍କ ଏହି ବର୍ବର କାଣ୍ଡ ଚଳିତ ବର୍ଷ ଓଡ଼ିଶା ପୁଲିସ ପାଇଁ ଶକ୍ତ ଧକ୍କା ଥିଲା।
ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ହେବ ସାଇବର ଥାନା
ରାଜ୍ୟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଭାଇରାଲ ଭିଡିଓ। ନୂଆ ନୂଆ ନଗ୍ନ ଭିଡିଓ ସୋସିଆଲ ମିଡିଆକୁ ଆସୁଛି। ଯୁବତୀ ଓ ଛାତ୍ରୀଙ୍କ ଇଜ୍ଜତ ବାଜିରେ ଲାଗୁଛି। ଏଭଳି ଅନେକ ଅଭିଯୋଗ ଏବେ ପୁଲିସ ନିକଟରେ ପହଞ୍ଚିିବାରେ ଲାଗିଛି। କିନ୍ତୁ ଏସବୁ ସାଇବର ଅପରାଧର କିଭଳି ଭାବେ ତଦନ୍ତ ହେବ ସେ ନେଇ ସାଧାରଣ ପୁଲିସ ସଂପୂର୍ଣ ଅଜ୍ଞ। ଅନେକ ସମୟରେ ଦେଖା ଯାଉଛି ପୁଲିସ ମଧ୍ୟ ସାଇବର ଅପରାଧ ଅଭିଯୋଗକୁ ଗ୍ରହଣ କରୁନାହିଁ। ଫଳରେ ମାମଲା ଚପି ଯାଉଛି। ଏଥିପାଇଁ ଭୁବନେଶ୍ୱର ସମେତ ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଆଦି ସହରରେ ସାଇବର ଥାନା ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି।
ଏଟିଏମ୍ ହ୍ୟାକ୍ କରି ୧୦୦ କୋଟି ଲୁଟ୍
ଚଳିତ ବର୍ଷ ଏଟିଏମ୍ ଲୁଟେରା ଓଡ଼ିଶା ପୁଲିସକୁ ନାକରେ ପାଣି ପିଆଇଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସମେତ ୪ଟି ପ୍ରମୁଖ ସହରରେ ଥିବା ଏଟିଏମ୍ ହ୍ୟାକ୍ କରି ୧୦୦ କୋଟି ପାଖାପାଖି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ଏ ନେଇ ଭୁବନେଶ୍ୱର, ରାଉରକେଲା, ପୁରୀ ଓ ବ୍ରହ୍ମପୁରରେ ମାମଲା ରୁଜୁ ହୋଇଥିଲା। ପୁଲିସ ପାଇଁ ଏଭଳି ଲୁଟ ଏକ ପ୍ରକାର ଚ୍ୟାଲେଞ୍ଚ ଥିଲା। ବର୍ଷର ଶେଷ ଭାଗରେ ପୁଲିସ ମଧ୍ୟପ୍ରଦେଶର ସୟଦ କ୍ୟୁରେସି ନାମକ ଜଣେ ଯୁବକକୁ ଗିରଫ କରିଥିଲା। ସେ ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଥିଲେ ମଧ୍ୟ ପୁଲିସ ତା ନିକଟରୁ ଟଙ୍କାଟିଏ ମଧ୍ୟ ଜବତ କରି ପାରି ନ ଥିଲା।
ଜେଲ୍ରୁ ଫେରିଲେ ସୁର ବାବା
ବହୁ ଚର୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀ ଘଟଣାରେ ଗିରଫ ହୋଇ ଦୀର୍ଘ ଅଢ଼େଇ ବର୍ଷ କାଳ ଜେଲ୍ରେ ଥିବା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ଆଶ୍ରମକୁ ଫେରିଥିଲେ। ସତେ ଯେମିତି ସୁର ବାବାଙ୍କ ଫେରନ୍ତା ବାଟକୁ ତାଙ୍କ ଭକ୍ତ ଓ ସମଥର୍କମାନେ ଚାତକ ଭଳି ଚାହିଁ ରହିଥିଲେ। ଜେଲ୍ରୁ ମୁକୁଳିବା ପରେ ନିଜର କେତେକ ସମର୍ଥକଙ୍କ ସହିତ ସେ ସିଧା ଝିଣ୍ଟି ଶାସନଠାରେ ଥିବା ନିଜ ଆଶ୍ରମକୁ ଯାଇଥିଲେ। ସେଠାରେ ତାଙ୍କୁ ଶ୍ରଦ୍ଧାଳୁମାନେ ଘଣ୍ଟ, ଶଙ୍ଖ, ହୁଳୁହୁଳି ଆଦି ପକାଇ ପାଛୋଟି ନେଇଥିଲେ। ଖବର ପ୍ରଚାରିତ ହୋଇଗଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ଏହାକୁ ଆଶ୍ରମ ପକ୍ଷରୁ ଯଥା ସମ୍ଭବ ଗୋପନୀୟ ରଖାଯାଇଥିଲା। ବାବା ଫେରି ଆସିବା ପରେ ପୁଣି ଥରେ ଆଶ୍ରମ ପରିସରରେ ଥିବା ମନ୍ଦିରରେ ନୀତିକାନ୍ତି, ପୂଜାପାଠ, ଆଳତୀ, କଳ୍ପବୃକ୍ଷ ମୂଳେ ସାମୂହିକ ପ୍ରାର୍ଥନା ଆଦି ଆରମ୍ଭ ହୋଇ ଯାଇଛି।
ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ : ୩ ଦିନ ଜଳିଲା ଭଦ୍ରକ ସହର
ସୋସିଆଲ ମିଡିଆରେ ହିନ୍ଦୁଙ୍କ ଆରାଧ୍ୟ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ସଂପର୍କରେ ଅଶ୍ଳୀଳ ମନ୍ତବ୍ୟ ଦେବା ଘଟଣାକୁ ନେଇ ପୂରା ଭଦ୍ରକ ସହର ୩ ଦିନ ପାଇଁ ଜଳିଥିଲା। ସହରରେ ସୃଷ୍ଟି ହୋଇଥିଲା ସାଂପ୍ରଦାୟିକ ହିଂସା। ଅଶାନ୍ତ ହୋଇ ଉଠିଥିଲା ସମଗ୍ର ସହର। ଘୃଣା, ଅବିଶ୍ୱାସ ଓ ବିଦ୍ୱେଷର ବାତାବରଣ ଥିଲା। ପରିସ୍ଥିତି ଏପରି ହୋଇଥିଲା ସହରରେ କର୍ଫ୍ୟୁ ଘୋଷଣା କରାଯିବା ସହିତ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ପୁଲିସ ଫୋର୍ସ ପକ୍ଷରୁ ବାରମ୍ବାର ଫ୍ଲାଗମାର୍ଚ କରାଯାଇଥିଲା ସହରରେ। ଦଙ୍ଗାରେ କାହାର ଘର ଭାଙ୍ଗି ଦିଆଯାଇଥିଲା ତ କାହାର ବ୍ୟବସାୟ ପ୍ରତିଷ୍ଠାନ। ଗାଡ଼ି ମୋଟର ମଧ୍ୟ ପୋଡି ଦେଇଥିଲେ ଦଙ୍ଗାକାରୀ। ପୁଲିସ ଡିଜିଙ୍କଠାରୁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଭଦ୍ରକରେ କ୍ୟାମ୍ପ କରିଥିଲେ। ପୁଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସମ୍ମିଳିତ ଉଦ୍ୟମ ଫଳରେ ପ୍ରାୟ ସପ୍ତାହେ ପରେ ଶାନ୍ତି ଫେରିଥିଲା ସହରରେ।
ବ୍ଲୁ ହେ୍ଵଲ ଜାଲରେ ଛାତ୍ରଛାତ୍ରୀ
ଚଳିତ ବର୍ଷ ବିଦେଶରରୁ ଆମ ଦେଶକୁ ଆସିଥିବା ମାରାତ୍ମକ ଅନ ଲାଇନ୍ ଗେମ ବ୍ଲୁ ହେ୍ଵଲେ ପଞ୍ଝାରେ ପଡ଼ିଥିଲେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ। ଏହି ଗେମ୍ ଖେଳି ଅନେକ ପ୍ରାଣ ହରାଇଥିଲେ ମଧ୍ୟ। ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର, ପୁରୀ, ଅନୁଗୁଳ, ବାଲେଶ୍ୱର ଏହି ଖେଳ ଖେଳି ଅନେକ ଯୁବକ ଓ ଯୁବତୀ ପ୍ରାଣ ହରାଇଥିଲେ। ଏହି ମାରାତ୍ମକ ଖେଳକୁ ନେଇ ରାଜ୍ୟ ସାରା ଭୟର ବାତାବରଣ ଦେଖା ଯାଇଥିଲା।
ଜେଲ୍ରେ ବିଧାୟକ ଓ ସାଂସଦ
ଜାନୁଆରି ୩ ତାରିଖରେ ରୋଜଭ୍ୟାଲି ଚିଟ୍ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ୍ତ ବନ୍ଦୋପାଧ୍ୟାୟଙ୍କୁ କୋଲକାତାରୁ ଗିରଫ କରିଥିଲା। ଏହାକୁ ନେଇ କୋଲକାତାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁଦୀପ୍ତଙ୍କୁ ସିବିଆଇ ଭୁବନେଶ୍ୱର ଆଣି ଏଠାରେ କୋର୍ଟରେ ହାଜର କରିଥିଲା। ତେବେ ଏହି ତୃଣମୂଳ ସାଂସଦଙ୍କ ବହୁ ସମର୍ଥକ ଏଠାରେ ମଧ୍ୟ ହୋ-ହାଲ୍ଲା କରିଥିଲେ।
ଏହା ପରେ ଦୀର୍ଘ ଦିନ ଧରି ସିସୋର ଠକେଇ ମାମଲରେ ଚୁପ୍ ବସିଥିବା ସିବିଆଇ ହଠାତ ସେପ୍ଟମ୍ବର ମାସ ୧୯ ତାରିଖରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ କଟକର ସିଡିଏ ଘରୁ ଗିରଫ କରିଥିଲା ସିବିଆଇ। ସିସୋର ସହିତ ହୋଇଥିବା ଏକ ଜମି କିଣାବିକା ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ କହିଥିଲା। ପ୍ରଭାତଙ୍କୁ ଗିରଫ ପରେ ତାଙ୍କର ଶତାଧିକ ସମର୍ଥକ ସିବିଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗିରଫ ପରେ ବିଧାୟକ ଶ୍ରୀ ବିଶ୍ୱାଳ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲ ନିଆଯାଇଥିଲା। ଏବେବି ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ନେଇ ଏକ ପିଟିସନ୍ ମଧ୍ୟ ହାଇକୋର୍ଟରେ ଦାଖଲ ହୋଇଛିି।
କୁନ୍ଦୁଲି ଦୁଷ୍କର୍ମ ଏବେ ବି ରହସ୍ୟମୟ
ଅକ୍ଟୋବର ୧୦ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧୀନ କୁନ୍ଦୁଲିରେ ଜଣେ ନାବାଳିକାଙ୍କୁ ୪ ଜଣ ଯବାନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚାର ବିଷୟ ହୋଇଥିଲା। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାକୁ ରେଡ୍ଫ୍ଲାଗ୍ ବର୍ଗର ବୋଲି ଘୋଷଣା କରିଥିଲେ। ନାବାଳିକାଙ୍କୁ ପ୍ରଥମେ କୁନ୍ଦୁଲି ଡାକ୍ତରଖାନା ପରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ବିଜେପି ଓ କଂଗ୍ରେସ ପକ୍ଷରୁ କୋରାପୁଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଘଟଣାର ଦୁଇ ମାସ ପରେ ଏଚ୍ଆରପିସି ଏଡିଜିଙ୍କ ରିପୋର୍ଟ ଘଟଣାକୁ ଅଧିକ ରହସ୍ୟମୟ କରି ଦେଇଥିଲା। ଡାକ୍ତରୀମାଇନା ରିପୋର୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବାର କୌଣସି ପ୍ରମାଣ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ଏଚଆରପିସି ଏଡିଜିଙ୍କ ଏଭଳି ରିପୋର୍ଟକୁ ଅନେକେ ଗ୍ରହଣ କରି ପାରି ନ ଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି।
ରାଜଧାନୀରୁ ବାରିପଦା : ଭାଇରାଲ ଭିଡିଓ କେଳେଙ୍କାରୀ
୨୦୧୭ରେ ପଦାକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଭାଇରାଲ ଭିଡିଓ କେଳେଙ୍କାରୀ। ବର୍ଷ ଆରମ୍ଭରୁ ଶେଷ ଯାଏ ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଘୂରି ବୁଲିଥିଲା। ଏ ନେଇ କିଛି ଅଭିଯୋଗ ଥାନା ପର୍ଯ୍ୟନ୍ତ ଆସିଥିଲା। ତେବେ ଲୋକଲଜ୍ଜା ଭୟରେ ଅନେକ ପୀଡ଼ିତା ଥାନାକୁ ଅଭିଯୋଗ କରିବାକୁ ଯାଇନାହାନ୍ତି। ରାସ୍ତାଘାଟରେ ନିଲାମ ହେବାରେ ଲାଗିଛି ଯୁବତୀଙ୍କ ଇଜ୍ଜତ। ରାଜଧାନୀ ଭୁବନେଶ୍ୱରରେ ଇଂଜିନିୟରିଂ ଛାତ୍ରୀ ଭାଇରାଲ ଭିଡିଓଠାରୁ ଆରମ୍ଭ କରି ବାରିପଦା ଓ ମୟୂରଭଞ୍ଜରେ ଯୁବତୀଙ୍କୁ ଜବରଦସ୍ତ ଦୁଷ୍କର୍ମ କରାଯିବା ଓ ସେହି ଭିଡିଓକୁ ମୋବାଇଲ୍ ଫୋନରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣା ଚଳିତ ବର୍ଷ ଚର୍ଚାର ବିଷୟ ପାଲଟିଥିଲା। କୌଣସି ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବାକୁ ଦିଆଯିବନି ପୁଲିସ ଟାଣର ସହିତ କହୁଥିଲେ ମଧ୍ୟ କିଛି ଦିନ ବ୍ୟବଧାନରେ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆକୁ ଆସିବା ଘଟଣା ପୁଲିସକୁ ବ୍ୟତିବ୍ୟସ୍ତ କରି ପକାଇଥିଲା।
ବାରିପଦାରେ ନାବାଳିକାଙ୍କୁ ଜବରଦସ୍ତ ଦୁଷ୍କର୍ମ କରାଯିବା ଓ ସେହି ଭିଡିଓକୁ ମୋବାଇଲ୍ ଫୋନରେ ସୁଟିଂ କରି ଭାଇରାଲ କରିବା ଘଟଣାରେ ବାରିପଦା ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା। ନାବାଳିକାଙ୍କ ବାପା ବାରିପଦା ସଦର ଥାନାରେ ଏତଲା ଦେବା ପରେ ପୁଲିସ କିଛି କ୍ଷଣ ମଧ୍ୟରେ ଜ୍ୟୋତିପୁର ଅଞ୍ଚଳର ମୋତିଲାଲ ମହାନ୍ତ, ଦୀପକ ମହାନ୍ତ ଓ ପୁରୁଷୋତ୍ତମ ମହାନ୍ତ ନାମକ ତିନି ଜଣେ ଯୁବକଙ୍କୁ ଗିରଫ କରିଥିଲା। ତେବେ ଅନ୍ୟ କେତେକ ଭାଇରାଲ ଭିଡିଓ ମାମଲାରେ ପୁଲିସ ପ୍ରକୃତ ଅପରାଧୀ ପାଖରେ ପହଞ୍ଚି ପାରି ନ ଥିଲା।
ଦୋଷ ମାନିନେଲେ ଚିଟଫଣ୍ଡ୍ ଅଭିଯୁକ୍ତ
କୋଟି କୋଟି ଟଙ୍କା ଚିଟ୍ଫଣ୍ଡ ଘୋଟାଲାରେ ଗିରଫ ହୋଇ ଜେଲ୍ରେ ଥିବା ଏକାଧିକ ଅଭିଯୁକ୍ତ ଚଳିତ ବର୍ଷ କୋର୍ଟରେ ନିଜନିଜ ଦୋଷ ସ୍ୱୀକାର କରିଛନ୍ତି। ପ୍ରଥମେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ କୋର୍ଟରେ ଦୋଷ ସ୍ୱୀକାର କରିବା ଚଳିତ ବର୍ଷର ଏକ ବଡ଼ ଖବର ଥିଲା। ମାନ୍ୟବର ସିବିଆଇ କୋର୍ଟ ପ୍ରଦୀପଙ୍କୁ ୭ ବର୍ଷ ଓ ନିର୍ଦେଶକ ମନୋଜ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ଯାହା ସୂଚନା ମିଳିଛି ଏମିତି ୨୨ ଜଣ ଚିଟ୍ଫଣ୍ଡ ଅଭିଯୁକ୍ତ ନିଜ ଦୋଷ ମାନିଯିବା ପରେ ଦଣ୍ଡିତ ହୋଇଛନ୍ତି।