ଭିନ୍ନକ୍ଷମ ତାଲିମ୍‌କେନ୍ଦ୍ର ଯୌନ କେଳେଙ୍କାରୀ, ମହିଳା ଥାନାରେ ମାମଲା

ଭୁବନେଶ୍ବର ବାହାରକୁ ଯିବ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ବର: ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦୀର୍ଘ ଦିନ ଧରି ଚାଲିଥିବା ଯୌନ କେଳେଙ୍କାରୀ ମାମଲାର ତନାଘନା କରୁଛି ସ୍ପେସାଲ ଟିମ୍‌। ସଂସ୍ଥାକୁ ଯୁବତୀ ଯୋଗାଉଥିବା ଓ ସଂସ୍ଥାରେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ସେମାନଙ୍କର ପୁରୁଣା ରେକର୍ଡ ଯାଞ୍ଚ କରାଯାଇଛି। ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ଦଳ ଆଜି ବାସନ୍ତୀ ଓ ଅନ୍ୟ ଅଭିଯୁକ୍ତମାନଙ୍କର ପୁରୁଣା ରେକର୍ଡ ଖୋଲିଛି। ଏମାନେ ପୂର୍ବରୁ ଏଭଳି କାରବାର କରୁଥିଲେ କି ନାହିଁ ସେ ବାବଦରେ ତଥ୍ୟ ଯୋଗାଡ଼ କରିଛି। ଆସନ୍ତାକାଲି ଏହି ସ୍ବତନ୍ତ୍ର ଦଳ ନିଆଳି, ନୟାଗଡ଼ ଓ କଟକ ଯିବ ବୋଲି ଜଣାପଡ଼ିଛି।

ଏହି ସବୁ ଅଞ୍ଚଳରୁ ଏମାନେ ଯୁବତୀ ଚାଲାଣ କରୁଥିଲେ। ଯୁବତୀମାନଙ୍କୁ ସେଠାରୁ ଆଣି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ଯୋଗାଉଥିଲେ। ସେହି ସବୁ ଯୁବତୀମାନଙ୍କର ପରିଚୟ ମିଳିଛି। ସେମାନଙ୍କୁ ଅଧିକ ପଚରା ଉଚରା ପାଇଁ ଏହି ସ୍ବତନ୍ତ୍ର ଟିମ୍‌ ବାହାରକୁ ଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କଟକରୁ ଗିରଫ ହୋଇଥିବା ବାସନ୍ତୀ ଏଠାକୁ ଯୁବତୀ ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ଏହି ସ୍ବତନ୍ତ୍ର ଦଳ ସେହି ଦିଗରେ ତଦନ୍ତ ଆରମ୍ଭ କରିଛି। ଓଡ଼ିଆ ଓ ଅଣଓଡ଼ିଆ ଯୁବତୀମାନଙ୍କୁ ଓଡ଼ିଶାର ବିଭିନ୍ନ ଜାଗାକୁ ସେ ଯୁବତୀ ଚାଲାଣ କରୁଥିବା ଜଣାପଡ଼ିଛି। ଏହି ପ୍ରମାଣକୁ ଆଧାର କରି ସ୍ବତନ୍ତ୍ର ଦଳ ଏହି ବେପାରରେ ଥିବା ବଡ଼ କେଳେଙ୍କାରୀକୁ ଧରିବାକୁ ଯୋଜନା କରିଛି।

ଅନ୍ୟପଟେ ଏୟାରପୋର୍ଟ ଆଇଆଇସିଙ୍କ ଅଭିଯୋଗ ବଳରେ ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ମହିଳାମାନଙ୍କୁ ଚାଲାଣ କରାଯାଉଥିବା ପ୍ରମାଣ ରହିଛି। ଏଣୁ ଏହାର ତଦନ୍ତ କରିବାକୁ ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ନୂଆ ମାମଲାର ରିମାଣ୍ଡ କୋର୍ଟକୁ ଦିଆଯାଇଛି। ପୁରୁଣା ମାମଲା ସହ ଏହି ନୂଆ ମାମଲା ଗୁନ୍ଥା ଯାଇଛି। ସ୍ବତନ୍ତ୍ର ଟିମ୍‌ର ଛାନ୍‌ଭିନ୍‌ ସହ ଏହି ନୂଆ ମାମଲାର ତଦନ୍ତ ସମାନ୍ତରାଳ ଭାବରେ ଚାଲିଛି।

ସମ୍ବନ୍ଧିତ ଖବର