କୋଟିଆରେ ବିଜେପି ଟିମ୍ : ‘ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ଗୁଇନ୍ଦା ବିଫଳ’

ଭୋଟ ନଦେବାକୁ ଲୋକଙ୍କୁ କହିଲେ

ପଟାଙ୍ଗି : ଚାରି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟସରକାରଙ୍କ ଗୁଇନ୍ଦା ବିଭାଗର ବିଫଳତା ଯୋଗୁଁ ସରକାର ଏହି ବିଷୟରେ ପୂର୍ବରୁ କିଛି ବି ଜାଣିପାରିଲେ ନାହିଁ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସରକାରଙ୍କ ନିଦ ଭାଙ୍ଗିଲା। ସରକାରଙ୍କ ଏହି ଅବହେଳା ପାଇଁ ଆନ୍ଧ୍ର ସରକାର ଫାଇଦା ଉଠାଉଛନ୍ତି। ଆଜି କୋଟିଆ ଗସ୍ତରେ ଯାଇଥିବା ବିଜେପିର ଏକ ଟିମ୍‌ ଏହିଭଳି ଅଭିଯୋଗ ଆଣିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ଟିମ୍ ପ୍ରଥମେ ଫଗୁଣସିନେରୀ ଏବଂ ପରେ ପାଟୁସିନେରୀ ଗାଁକୁ ଯାଇଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ସେଠାକାର ସ୍ଥିତି କ’ଣ ରହିଛି ଅନୁଧ୍ୟାନ କରିବା ପରେ ଘରଘର ବୁଲି ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଓଡ଼ିଶା ସରକାର ପକ୍ଷରୁ ଲୋକଙ୍କୁ କେଉଁ ପ୍ରକାର ସୁବିଧା ମିଳୁଛି ଏବଂ ଗାଁର କ’ଣ ସବୁ ସମସ୍ୟା ରହିଛି ପଚାରି ବୁଝିଥିଲେ। ସେହିପରି ଆନ୍ଧ୍ର ସରକାର କ’ଣ ସବୁ ସୁବିଧା ଯୋଗାଇ ଦେଉଛନ୍ତି ଏବଂ କାହିଁକି ଲୋକେ ଆନ୍ଧ୍ରରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ତାହାର କାରଣ ଖୋଜିବାକୁ ଚେଷ୍ଟା କରିଥିଲା ଏହି ଟିମ୍। ଏହାପରେ ଉପର ପାହାଡ଼ ଚଢ଼ି କୋଟିଆର ନକ୍ସା ସଂପର୍କରେ ଆଲୋଚନା କରିଥିଲେ। ବିବାଦୀୟ ଗାଁରୁ ଫେରିବା ପରେ କୋଟିଆରେ ଦଳ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏହି ଗସ୍ତର ଉଦ୍ଦେଶ୍ୟ ସଂପର୍କରେ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ଯଥାଶୀଘ୍ର ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଥିଲେ। ପ୍ରଥମେ ମାଟି ଓ ପରେ ପାର୍ଟି, ତେଣୁ ସରକାର ଆଲୋଚନା ପରାମର୍ଶ ଦେଇଥିଲେ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପୂରା ବିବାଦ ପାଇଁ ପ୍ରଶାସନିକ ନିଷ୍କ୍ରିୟତାକୁ ଦାୟୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଜୟରାମ ପାଙ୍ଗି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବରିଷ୍ଠ ନେତା ଗୌତମ ସାମନ୍ତରାୟ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ତ୍ରିପୁରାରୀ ଗରଡ଼ା, କୃଷକ ସେଲ୍‌ ସାଧାରଣ ସମ୍ପାଦକ ଶରତ ବିଶ୍ୱାଳ, ରାଜ୍ୟ ସମ୍ପାଦକ କାଳିନ୍ଦୀ ଚରଣ ସାମଲଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର