ତାତିରେ ଛଟପଟ: ସହି ହେଉନାହିଁ ଗରମ, ପୋଡ଼ିଯାଉଛି ଦେହ, ମୁହଁ

ଭୁବନେଶ୍ବର: ସକାଳ ୮ଟାରୁ ତାତିରେ ଖଇ ଫୁଟୁଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ, ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ସମାନ ସ୍ଥିତି। କେଉଁଠି ବି ତାତିରୁ ନିସ୍ତାର ମିଳୁ ନାହିଁ। ଦିନ ବଢ଼ିବା ସହ ତାତିର ପ୍ରକୋପ ଏତେ ବଢ଼ିଯାଉଛି ଯେ ଶରୀରରୁ ଜଳୀୟ ଅଂଶ କମିଯାଉଛି। ସ୍ଥାନେ ସ୍ଥାନେ ଲୋକେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ତାତି ପ୍ରକୋପରେ କିଏ ରାସ୍ତାରେ ଟଳି ପଡ଼ୁଛନ୍ତି ତ ଆଉ କିଏ ପ୍ରତି ମୂହୂର୍ତ୍ତରେ ଗଛ ଛାଇ ଖୋଜୁଛନ୍ତି। ଲଗାତାର ୧୨ ଦିନ ହେଲା ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗିରହିଛି। ଆଗାମୀ ୪ ଦିନ ଆହୁରି ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏବେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି, ଯାହାକି ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଲାଗିରହିବ। ତେଣୁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ୧୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ଭୀଷଣ ଗ୍ରୀଷ୍ମପ୍ରବାହ(ସିଭିଅର ହିଟ୍‌ୱେଭ୍‌) ସ୍ଥିତି ଲାଗିରହିବାକୁ ଥିବାରୁ ରେଡ୍‌ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୩୯ରୁ ୪୧ ଡିଗ୍ରି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୩ ଡଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଉପକୂଳରେ ୨୪ରୁ ୨୬ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରି ମଧ୍ୟରେ ରହିଛି। ଏହି ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ୨୭ ଓ ୨୮ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହିଟ୍‌ୱେଭ୍‌ରୁ ସିଭିଅର ହିଟ୍‌ୱେଭ୍‌ ଅନୁଭୂତ ହେବାକୁ ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି। ଏପ୍ରିଲ ୨୯ ଓ ୩୦ ତାରିଖରେ ଝାରସୁଗୁଡ଼ା, ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାକୁ ରେଡ୍‌ ଆଲର୍ଟ ସହ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ସହି ହେଉନାହିଁ ଗରମ, ପୋଡ଼ିଯାଉଛି ଦେହ, ମୁହଁ
୨ ଦିନ ପାଇଁ ୧୮ ଜିଲ୍ଲାକୁ ‌ରେଡ୍‌ ଆଲଟ୍‌
ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାରୁ ୪

ଅନ୍ୟପକ୍ଷରେ ଆଜି ଦିନରେ ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୪ଟି ସହର। ପାଣିପାଗ ସଂସ୍ଥା‌ ଓଗିମେଟ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଅନୁଗୁଳ ଆଜି ‌ଦେଶର ଉତ୍ତର ସହର ପାଲଟିଛି। ଏଥିସହ ଏସିଆ ମହାଦେଶର ଚତୁର୍ଥ ସର୍ବୋଚ୍ଚ ତାପମାତ୍ରା ଅନୁଗୁଳଠାରେ ୪୪.୬ ଡିଗ୍ରି ରେକର୍ଡ ହୋଇଛି। ୪୪.୫ ଡିଗ୍ରି ସହ ବୌଦ୍ଧ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଏବଂ ଏସିଆ ମହାଦେଶର ପଞ୍ଚମ ଉତ୍ତପ୍ତ ସହର ପାଲଟିଛି। ନୂଆପଡ଼ା ଓ ବଲାଙ୍ଗୀର ଏସିଆର ୧୦ମ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଓଡ଼ିଶାର ୧୨ଟି ସହରର ପାରଦ ୪୩ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୦ ଡିଗ୍ରି ଉପରେ ୩୨ ସହର ରହିଛି। ଓମାନର ଜୋବାଠାରେ ଏସିଆ ମହାଦେଶର ସର୍ବୋଚ୍ଚ ତାପମାତ୍ରା ୪୮.୫ ଡିଗ୍ରି ରେକର୍ଡ ହୋଇଥିବା ଜଣାପଡ଼ିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ନାହିଁ। ୧୦ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରି ଅଧିକ ରହିବ। ଶନିବାର ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, କୋରାପୁଟ, ର‌ାୟଗଡ଼ା ଓ ମାଲକାନଗିରି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଦିନର ତାପମାତ୍ରା ବଢ଼ିବ। ୨୮ ତାରିଖରେ ସାରା ଓଡ଼ିଶାରେ ତାତି ବଢ଼ିବ ଏବଂ ୩୦ ତାରିଖରେ ଅନେକ ସ୍ଥାନରେ ତାପମାତ୍ରା ୪୩ରୁ ୪୪ ଡିଗ୍ରି ମଧ୍ୟରେ ରହିବ। ରାୟଗଡ଼ାରୁ ଭଞ୍ଜନଗର, କନ୍ଧମାଳରୁ ବାରିପଦା, ବଲାଙ୍ଗୀରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସଂଯୋଗ କରୁଥିବା ସରଳରେଖାର ଉଭୟ ପାର୍ଶ୍ବରେ ସବୁଠାରୁ ଅଧିକ ଗରମ ରହିବ। ୨୮ ଓ ୨୯ ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ ୪୫ ଡିଗ୍ରି ଡେଇଁପାରେ। ଗୋପାଳପୁରରୁ କେନ୍ଦ୍ରାପଡ଼ା‌ ପର୍ଯ୍ୟନ୍ତ ଉପକୂଳ ସଂଲଗ୍ନ ଅଞ୍ଚଳରେ ସାମୁଦ୍ରିକ ପବନ ହେତୁ ତାପମାତ୍ରା ବେଶି ବଢ଼ିବ ନାହିଁ। କିନ୍ତୁ ବାଲେଶ୍ବର ଉତ୍ତପ୍ତ ରହିବ। କିଛି ମଡେଲ୍‌ କହୁଛି ‌ସାମୁଦ୍ରିକ ପବନ ହେତୁ ଭୁବନେଶ୍ବର ତାପମାତ୍ରା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ୪୨ ଡିଗ୍ରି ଅତିକ୍ରମ କରିବ ନାହିଁ। ଆଉ କିଛି ମଡେଲ୍‌ ଆକଳନ କରିଛନ୍ତି ଯେ ୨୮ରୁ ୩୦ ତାରିଖ ମଧ୍ୟରେ ଭୁବନେଶ୍ବର ତାପମାତ୍ରା ୪୫ରୁ ୪୬ ଡିଗ୍ରି ମଧ୍ୟରେ ରହିପାରେ। ୨୭ ଓ ୨୮ ତାରିଖରେ ବିକିରଣ ବାଧାପ୍ରାପ୍ତ ହେଉଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗରମ ରହିବ। ମେ’ ୧ରେ ଦକ୍ଷିଣ ଉପକୂଳ, ମେ’ ୩ରେ ପରେ ଉତ୍ତର ଉପକୂଳ ଓ ମେ’ ୫ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ବଦଳିବା ସହ ତାପମାତ୍ରା କମିପାରେ।

ସମ୍ବନ୍ଧିତ ଖବର