ଏଣିକି ଯୁକ୍ତ୨ରେ ଆଗୁଆ ପାଠପଢ଼ା: ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ଥିଓରି

ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨)ର ୨୦୨୪-୨୫ ଶିକ୍ଷାବର୍ଷ ଆଗୁଆ ଆରମ୍ଭ ହେବାକୁ ଯାଉଛି। ଧାର୍ଯ୍ୟ ସମୟ ପୂର୍ବରୁ ଅର୍ଥାତ୍‌ ଚଳିତ ମାସରୁ ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ପରୀକ୍ଷା, ଖାତା ମୂଲ୍ୟାୟନ, ଯୁକ୍ତ୨ କଲେଜ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆଗୁଆ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରତିବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ଯୁକ୍ତ୨ ଥିଓରି ପରୀକ୍ଷା ୧୫ ଦିନ ଆଗରୁ ଅର୍ଥାତ୍‌ ୨୦୨୫ ଫେବ୍ରୁଆରି ଦ୍ବିତୀୟ ନ ହେଲେ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ‌ଶେଷ ହେବ। ଏକସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ବିଷୟଗୁଡ଼ିକର ପରୀକ୍ଷା ଆୟୋଜନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ନିଷ୍ପତ୍ତି ନେଇଛି। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଏହା ପୂର୍ବରୁ ଡିସେମ୍ବର ୨୫ ସୁଦ୍ଧା ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଜାରି ହେବ। ମାର୍ଚ୍ଚ ଦ୍ବିତୀୟ/ତୃତୀୟ ସପ୍ତାହରେ ମୂଲ୍ୟାୟନ ଆରମ୍ଭ ହୋଇ ୨୦୨୫ ମେ’ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ମେ’ ତୃତୀୟ ସପ୍ତାହରେ ମାର୍କ ପୁନଃଯାଞ୍ଚ କରିବାକୁ ପରୀକ୍ଷାର୍ଥୀ ଆବେଦନ କରିପାରିବେ।

ମେ’ ଚତୁର୍ଥ ସପ୍ତାହରେ ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଥିବା ବେଳେ ଜୁନ୍‌ ତୃତୀୟ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସରିବାର ୩୦ ଦିନ ମଧ୍ୟରେ ଇନ୍‌ଷ୍ଟାଣ୍ଟ୍‌ ଫଳ ପ୍ରକାଶ ପାଇବ। ୨୦୨୪ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଏକ୍ସ-ରେଗୁଲାର ଓ ନଭେମ୍ବର ତୃତୀୟ ସପ୍ତାହରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ଟେଷ୍ଟ୍‌ ଅନୁଷ୍ଠିତ ହେବ। ଥିଓରି ପରୀକ୍ଷା ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ଜାରି କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ସେହିପରି ଏକାଦଶ ଶ୍ରେଣୀ(ଯୁକ୍ତ୨ ପ୍ରଥମ ବର୍ଷ) ଛାତ୍ରଛାତ୍ରୀଙ୍କ ନାମଲେଖା‌ ଓ ପାଠପଢ଼ା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଧାରରେ ଆଗୁଆ କରାଯିବ। ନଭେମ୍ବର ତୃତୀୟ ସପ୍ତାହରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଫେବ୍ରୁଆରି ପ୍ରଥମ/ଦ୍ବିତୀୟ ସପ୍ତାହରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ହେବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅଧ୍ୟକ୍ଷ କପ୍‌ ବକ୍ତୃତା, ଚତୁର୍ଥ ସପ୍ତାହରେ ସାଂସ୍କୃତିକ ଓ ସାହିତ୍ୟ ସମ୍ମିଳନୀ, ନଭେମ୍ବର ଓ ଡିସେମ୍ବରରେ ସମସ୍ତ ପ୍ରକାର ଇନ୍‌ଡୋର ଓ ଆଉଟ୍‌ଡୋର ଖେଳ ପ୍ରତିଯୋଗିତା କରିବାକୁ ନିର୍ଦେଶ ଦିଆଯାଇଛି। ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କ ତାଲିମ ‌ହେବ। ନଭେମ୍ବର ଓ ଡିସେମ୍ବରରେ ଶୈକ୍ଷିକ/ପରୀକ୍ଷା ସମ୍ପର୍କିତ କର୍ମଶାଳା କରିବାକୁ ପରିଷଦ ପକ୍ଷରୁ ଆଜି ଜାରି ହୋଇଥିବା ଶିକ୍ଷା କ୍ୟାଲେଣ୍ଡରରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର