ବାମନଘାଟୀ ଉପଖଣ୍ଡରେ କାଳବୈଶାଖୀର ତାଣ୍ଡବ

ରାଇରଙ୍ଗପୁର: କାଳବୈଶାଖୀର କରାଳ ରୂପ ଦେଖାଯାଇଛି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ। ରାଇରଙ୍ଗପୁର ସହର ସମେତ ରାଇରଙ୍ଗପୁର, ବିଜାତଳା, ବିଶୋଇ ଓ କୁୁସୁମୀ ବ୍ଲକର ବହୁ ଲୋକଙ୍କ ଘରର ଛପର ଉଡାଇଥିବା ବେଳେ ବଡ଼ବଡ଼ ଗଛ ଓ ଇଲେକ୍ଟ୍ରି ଖୁନ୍ଟ ମଧ୍ୟ ଭାଙ୍ଗିଯାଇଛି। ଫଳରେ କିଛି ଅଂଚଳରେ ବହୁ ସମୟ ଧରି ବିଦ୍ୟୁତ ସରାବରାହ ବନ୍ଦ ରହିଥିଲା। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ତେବେ କିଛି ଲୋକଙ୍କର ଘରର ଛପର ଉଡ଼ିଯାଇଥିବାରୁ ସେମାନେ ବର୍ତ୍ତମାନ ବାସହରା ହୋଇଯାଇଥିବା ବେଳେ ରାସ୍ତା ଉପରେ ବଡ଼ବଡ଼ ଗଛ ଟଳି ପଡିଥିବାରୁ ଯାତାୟତର ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ରାଇରଙ୍ଗପୁର ପୌରପରିଷଦର ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛକୁ ଅଗ୍ନିଶମ ବିବାଗ ପକ୍ଷରୁ କାଟି ସଫା କରାଯାଇଥିବା ବେଳେ ବିଦ୍ୟୁତ୍‌ ବିଭାଗ ମଧ୍ୟ ମରାମତି କରିବା ପରେ ସମସ୍ତ ଅଂଚଳକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି।

ତେବେ ବିଜାତଳା ବ୍ଲକ୍ ବଣକାଟି ପଂଚାୟତର ଛନପାଳ ଗ୍ରାମର ରଶ୍ମି ବେଜ୍‌ଙ୍କ ଦୁଇ ବଖରା ଘରର ଛପର ଉଡାଇଦେବାରୁ ମୁଣ୍ଡ ଗୁଞିବାକୁ ତାଙ୍କର ଘର ଖଣ୍ଡିଏ ନାହିଁ। ତେବେ ସେହି ସମୟରେ ଘର ଭିତରେ ଥିବା ରଶ୍ମି ବେଜ୍ ଓ ତାଙ୍କ ପୁଅ ଜ୍ୟାତି ରଂଜନ ବାରିକଙ୍କ ମୁଣ୍ଡ ଓ ଦେହରେ ଆଜବେଷ୍ଟସ କଣ୍ଡ ବାଜି ଆହତ ହୋଇଥିଲେ। ଏହିପରି ବହୁ ଲୋକଙ୍କ ଛପର ଉଡ଼ିଯାଇଛି। ତାହା ତଦନ୍ତ କରି କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ତାଙ୍କୁ ଆବାସ ଯୋଜନା ଯୋଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର