୩ୟ ପର୍ଯ୍ୟାୟ : ୩ଟା ସୁଦ୍ଧା ୫୦% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ଆଜି ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ଆସନରେ ମତଦାନ ଚାଲିଛି। ସୂଚନା ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ୫୦.୦୭ ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ପଶ୍ଚିମବଙ୍ଗ ଓ ଆସାମରେ ସର୍ବାଧିକ ୬୩.୧ ପ୍ରତିଶତ (ଉଭୟ ରାଜ୍ୟ) ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୪୨.୬ ପ୍ରତିଶତ ମତଦାନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକ ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସପା ମୁଖ୍ୟ ଅଖିଳେଶ ଯାଦବ, ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସିଂଘଭିଙ୍କ ସମେତ ବହୁ ବରିଷ୍ଠ ନେତା ଆଜି ଭୋଟ୍ ଦେଇଛନ୍ତି।

ଏହି ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମୋଟ ୧୩୫୧ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଯେଉଁଥିରେ ୧୨୦ ଜଣ ମହିଳା ଅଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (ଗାନ୍ଧୀନଗର), ଜ୍ୟୋତିରାଦିତ୍ୟ ସିନ୍ଧିଆ (ଗୁନା), ମନସୁଖ ମାଣ୍ଡଭିୟା (ପୋରବନ୍ଦର), ପୁରୁଷୋତ୍ତମ ରୁପାଲା (ରାଜକୋଟ), ପ୍ରହ୍ଲାଦ ଯୋଶୀ (ଧାରୱାଡ) ଏବଂ ଏସପି ସିଂ ବାଘେଲ (ଆଗ୍ରା) ଏହି ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ୮.୩୯ କୋଟି ମହିଳାଙ୍କ ସମେତ ୧୭.୨୪ କୋଟି ଲୋକ ମତଦାନ ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ୧.୮୫ ଲକ୍ଷ ମତଦାନ କେନ୍ଦ୍ରରେ ୧୮.୫ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି

ସମ୍ବନ୍ଧିତ ଖବର