ଟଙ୍କା କାରବାରରୁ ନିର୍ମମ ହତ୍ୟାକାଣ୍ଡ : ସ୍ବାମୀକୁ ହତ୍ୟା, ଆକ୍ରମଣରେ ସ୍ତ୍ରୀ ଗୁରୁତର
ମୁଖ୍ୟ ଅଭିଯୁକ୍ତ ସମେତ ୬ ଅଟକ, ଛୁରି ଜବତ
ଭୁବନେଶ୍ବର : ରାଜଧାନୀରେ ଜଣେ ମହିଳାଙ୍କୁ ହତ୍ୟା କରି ମୁଣ୍ଡକାଟ ଘଟଣାର ପର୍ଦ୍ଦାଫାସ୍ ହେଉହେଉ ମଞ୍ଚେଶ୍ବର ଝରଣା ସାହିରେ ଆଉ ଏକ ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ପଡ଼ୋଶୀ ପରିବାରର ପ୍ରାଣାନ୍ତକ ଆକ୍ରମଣରେ ଛୋଟୁଲାଲ ବେଶ୍ରା(୪୦) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପତ୍ନୀ କବିତା ବେଶ୍ରା ଗୁରୁତର ଆହତ ହୋଇଛନ୍ତି। ସଂକଟାପନ୍ନ ଅବସ୍ଥାରେ କବିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ସୁକାନ୍ତ ଦାସ, ତାଙ୍କ ଉଭଣୀ ଅନୀତା ଦାସ, ମା’ ମାଳତୀ ଦାସ, ଭିଣୋଇ ଚଣ୍ଡି ନାୟକ, ଚଣ୍ଡିର ପତ୍ନୀ ସୁନୀତା ଓ ପୁଅ ରାଜୁ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ପୁଲିସ ଜବତ କରିଛି। ଟଙ୍କା କାରବାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଛୋଟୁଲାଲଙ୍କ ବଡ଼ଝିଅଙ୍କ ଅଭିଯୋଗ ଅନୁସାରେ, ସେମାନେ ଝାଡଖଣ୍ଡର ମୂଳ ବାସିନ୍ଦା ହୋଇଥିବାବେଳେ ଭୁବନେଶ୍ବରରେ ଦୀର୍ଘଦିନ ହେଲା ରହି ଆସୁଛନ୍ତି। ଘରେ ତାଙ୍କର ଏକ ତେଜରାତି ଦୋକାନ ରହିଛି। ସେହି ଦୋକାନରୁ ଚଣ୍ଡିଙ୍କ ପରିବାର ଲୋକ ସଉଦା ଉଧାର ନିଅନ୍ତି। ଏ ବାବଦରେ ଚଣ୍ଡିଙ୍କ ଉପରେ ଟଙ୍କା ବାକି ଥିଲା। ବାରମ୍ବାର ବାକି ଟଙ୍କା ମାଗିବା ସତ୍ତ୍ବେ ଚଣ୍ଡି ଦେଉ ନ ଥିଲେ। ଯାହାଫଳରେ ଗତ ୧୦ ଦିନ ତଳେ ଚଣ୍ଡି ଓ ସୁକାନ୍ତଙ୍କ ସହ ଛୋଟୁଲାଲଙ୍କର ପାଟିତୁଣ୍ଡ ହୋଇଥିଲା। ଗତକାଲି ରାତିରେ ବାପା(ଛୋଟୁଲାଲ) ବାକି ଟଙ୍କା ମାଗିବାରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଚଣ୍ଡି, ସୁକାନ୍ତ ତାଙ୍କୁ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ପରିବାରର ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।
କିନ୍ତୁ ପୁଲିସ ହତ୍ୟାକାଣ୍ଡ ପଛରେ ଟଙ୍କା କାରବାର ଥିବା ଜାଣିବାକୁ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଚଣ୍ଡିର ପତ୍ନୀ ସୁନୀତା ନାୟକ ଏକ ଗ୍ରୁପ୍ ତିଆରି କରି ଋଣ କାରବାର କରୁଥିଲେ। ଛୋଟୁଲାଲର ପତ୍ନୀ କବିତା ସେହି ଗ୍ରୁପରୁ ଟଙ୍କା ଋଣ ନେଇଥିଲେ। ଋଣ ଟଙ୍କା ପରିଶୋଧ ନ କରିବାରୁ ସେମାନଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ବାପାଙ୍କୁ ବଞ୍ଚାଇବାକୁ ଲଢ଼ିଥିଲେ ଝିଅ
ଛୋଟୁଲାଲ ଓ ତାଙ୍କ ପତ୍ନୀ କବିତାଙ୍କ ଉପରେ ଅଭିଯୁକ୍ତମାନେ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରୁଥିବାବେଳେ ବଡ଼ ଝିଅ ବାପାଙ୍କୁ ବଞ୍ଚାଇବାକୁ ଚାହିଁଥିଲେ। ନିଜର ସବୁ ବଳ ଲଗାଇ ପ୍ରତିରୋଧ କରିଥିଲେ। ଆକ୍ରମଣକାରୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ହେଲେ ଝିଅ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରି ନଥିଲେ। ଆକ୍ରମଣାକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ତାଙ୍କ ବାପାଙ୍କୁ ହତ୍ୟା କରିବା ସହ ମା’ଙ୍କୁ ଲହୁଲୁହାଣ କରି ଦେଇଥିଲେ। ଏହି ଧସ୍ତାଧସ୍ତି ଫଳରେ ତାଙ୍କ ଦେହରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିବା ବେଳେ ସେ ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲେ।