ଅପରାଜିତାଙ୍କ ନିଖୋଜ ପୋଷ୍ଟର ମାରିଲା କିଏ?

ମୁଁ ଆନନ୍ଦିତ, ଭୁବନେଶ୍ବର ମୋତେ ମିସ୍‌ କରୁଛି: ଅପରାଜିତା

ଭୁବନେଶ୍ବର : ଗୁରୁବାର ରାଜଧାନୀର ବିଭିନ୍ନ ଅଞ୍ଚଳରେ ‘ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ’ ପୋଷ୍ଟର ଲାଗିବା ପରେ ଏହିସବୁ ପୋଷ୍ଟର କିଏ ମାରିଲା, ଏହା ଚର୍ଚ୍ଚାର ବିଷୟ ପାଲଟିଛି। ପୋଷ୍ଟରରେ ଲେଖା ଥିଲା ‘ମୁହଁ ଖୋଲିବେ କେବେ? ଏକାମ୍ରକ୍ଷେତ୍ର ଉପରେ ପ୍ରସ୍ତାବିତ ବାଇ-ଲ’ ଏଯାବତ୍ ପ୍ରତ୍ୟାହାର ହୋଇନି। ଓଡ଼ିଶାର ପ୍ରମୁଖ ଐତିହ୍ୟସ୍ଥଳର ଅସ୍ତିତ୍ବକୁ ଧ୍ବଂସ କରିବାକୁ ଚାଲିଛି କେନ୍ଦ୍ର ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର। କାହିଁକି ଏ ପ୍ରସଙ୍ଗରେ ପଦୁଟିଏ ବି କହୁନାହାନ୍ତି ଭୁବନେଶ୍ବର ସାଂସଦ? କେଉଁଠି ଲୁଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ?’

ବୁଧବାର ସାମାଜିକ ଗଣମାଧ୍ୟମ ଟୁଇଟର୍‌ରେ ‘#ମିସିଙ୍ଗ୍ଅପରାଜିତା’ ଟ୍ରେଣ୍ଡ ଚାଲିଥିବାବେଳେ ବି‌ଜେଡି ନେତା ଓ କର୍ମୀମାନେ ମଧ୍ୟ ଅପରାଜିତାଙ୍କୁ କଟାକ୍ଷ କରି ଟୁଇଟ୍‌ କରିଥିଲେ। ହେଲେ ଆଜି ସକାଳୁ ରାଜଧାନୀରେ ଅପରାଜିତା ନିଖୋଜ ଥିବା ପୋଷ୍ଟର ଛାଇ ଯାଇଥିଲା। ବିଶେଷକରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅଧିକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା। ଲୋକେ ଛକଛକରେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ କରୁଥିଲେ। କେହିକେହି ଏହା ଯଥାର୍ଥ ବୋଲି ଦର୍ଶାଉଥିବାବେଳେ କେତେକ ଏହାକୁ ନାପସନ୍ଦ କରିଥିଲେ।

ଅନ୍ୟପକ୍ଷରେ ନିଖୋଜ ପୋଷ୍ଟର ସାରା ରାଜଧାନୀରେ ଲାଗିବା ପରେ ଅପରାଜିତା ସାମାଜିକ ଗଣମାଧ୍ୟମରେ ଜବାବ୍ ଦେଇଛନ୍ତି। ସେ ଟୁଇଟ୍‌ କରିଛନ୍ତି ଯେ, ସଂସଦର ବଜେଟ୍‌ ଅଧିବେଶନ ଚାଲିଥିବାବେଳେ ଏହିଭଳି ପୋଷ୍ଟର ଲାଗିବା ନେଇ ମୁଁ ଖୁସି ଅଛି। ଲୋକସଭାରେ ଉପସ୍ଥିତ ରହିବା ମୋର କର୍ତ୍ତବ୍ୟ। ମୁଁ ଆନନ୍ଦିତ ଯେ, ଭୁବନେଶ୍ବର ମୋତେ ମିସ୍ କରୁଛି। ବାସ୍ତବରେ ଏହା ଏକ ଉତ୍ତମ ଅନୁଭବ। ଫେବ୍ରୁଆରି ୧୫ ପରଠାରୁ ମୁଁ ମୋ ଲୋକଙ୍କ ଗହଣରେ ରହିବି।’ ତେବେ ଅପରାଜିତା ଏହି ଟୁଇଟ୍‌ କରିଥିଲେ ହେଁ ଏକାମ୍ର କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ନେଇ ସେ ସ୍ବର ଉଠାଇବେ କି ନାହିଁ ସେ ନେଇ କିଛି କହିନାହାନ୍ତି।

ସୂଚନାଯୋଗ୍ୟ ଯେ, ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ପ୍ରସ୍ତୁତ କରିଥିବା ଚିଠା ବାଇ ଲ’ ପ୍ରତ୍ୟାହାର ନେଇ ବି‌େଜଡି ଆକ୍ରମଣାତ୍ମକ ପଦକ୍ଷେପ ନେଉଥିବାବେଳେ ବିଜେପି ବ୍ୟାକ୍‌ଫୁଟ୍‌ରେ ଅଛି। ଏପରିକି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରସଙ୍ଗ‌େର ମାପିଚୁପି ମନ୍ତବ୍ୟ ଦେଇଛନ୍ତି। ତେଣୁ ବିଜେପି ରଣନୀତି କ’ଣ ହେବ ତାହା ଏବେ ଅପରାଜିତାଙ୍କ ଉପରେ ନିର୍ଭର କରୁଛି। କାରଣ ସେ ସ୍ଥାନୀୟ ସାଂସଦ। ଶ୍ରୀମନ୍ଦିରରୁ ଚିଠା ବାଇ ଲ’ ପ୍ରତ୍ୟାହାର ପାଇଁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ପରେ ତୁରନ୍ତ ଏହା ପ୍ରତ୍ୟାହାର ହୋଇଥିଲା। ହେଲେ ଅପରାଜିତା ଏ ପର୍ଯ୍ୟନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିନାହାନ୍ତି। ବରଂ ବୁଧବାର ସେ ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ଏକାମ୍ର କ୍ଷେତ୍ରକୁ ବୁଲି ଦେଖିବା ପରେ ଯାହା କହିବି।

ଅପରପକ୍ଷେ ସ୍ଥାନୀୟ ଲୋକ କହିଛନ୍ତି ଯେ, ଜାନୁଆରି ମାସରେ ଆୟୋଜିତ ‘ସ୍ବଚ୍ଛ ବିନ୍ଦୁସାଗର’ କାର୍ଯ୍ୟକ୍ରମରେ ସାଂସଦ ଯୋଗ ଦେବାକୁ ଆସିଥିବାବେଳେ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ବୁଲି ଦେଖିଥିଲେ। ପୂର୍ବରୁ ଏହି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। ଫେବ୍ରୁଆରି ୧୫ରେ ଆସିବା ପରେ ସେ ଆଉ କ’ଣ ଦେଖିବେ ଯେ, ଦେଖିବା ପରେ ମତ ଦେବେ?

ପୋଷ୍ଟରମରାକୁ ନେଇ ମାରପିଟ୍‌, ସାଂସଦଙ୍କ ପିଏ ସମେତ ୨ ଗିରଫ
ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ ଥିବା ନେଇ ସହରରେ ଏକ ପୋଷ୍ଟର ମରାକୁ କେନ୍ଦ୍ରକରି ମାରପିଟ୍ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏ ଦୁଇ ଜଣ ହେଉଛନ୍ତି ସାଂସଦଙ୍କ ପିଏ(ବ୍ୟକ୍ତିଗତ ସହାୟକ) ଧନେଶ୍ବର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା। ଆଜି ଅପରାହ୍ନରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ତେବେ ଅସୁସ୍ଥ ଥିବାରୁ ଧନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁଲିସ କହିଛି। ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଶୁଭମ ହୀରାଙ୍କ ମା’ଙ୍କର ଏକ କ୍ଲିନିକ୍ ରହିଛି। ଗତକାଲି ଶୁଭମ୍ ସେହି କ୍ଲିନିକ୍‌ର ପୋଷ୍ଟର ବିଭିନ୍ନ ସ୍ଥାନରେ ମାରୁଥିଲେ। କଦଳୀଗୋଦାମ ଅଞ୍ଚଳରେ ପୋଷ୍ଟର ମାରୁଥିବାବେଳେ ସେଠାରେ ଧନେଶ୍ବର ଓ ଜ୍ୟୋତିରଞ୍ଜନ ପହଞ୍ଚିଥିଲେ ଏବଂ ସେ କାହିଁକି ଅପରାଜିତାଙ୍କ ପୋଷ୍ଟର ମାରୁଛନ୍ତି କହି ଶୁଭମ୍‌ଙ୍କୁ ମାରପିଟ୍ କରିଥିଲେ। ଶୁଭମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର